କଟକ: ବିଟ୍‌ ବକ୍ସର ଅର୍ଚ୍ଚିତ ପଣ୍ତା ଏବେ ଚର୍ଚ୍ଚାରେ। ପାଟି ଓ ନାକ ସାହାଯ୍ୟରେ ଭିନ୍ନ ଭିନ୍ନ ପ୍ରକାରର ସାଂଗୀତିକ ଶବ୍ଦ ସୃଷ୍ଟି କରି ନିଜର ଏକ ନିଆରା ପରିଚୟ ତିଆରି କରିଛନ୍ତି ସେ । ବିନା କୌଣସି ତାଲିମରେ ଶରୀରର  ବିଭିନ୍ନ ଅଙ୍ଗକୁ ବ୍ୟବହାର କରି ଭିନ୍ନସ୍ବାଦର ସଂଗୀତ ପ୍ରସ୍ତୁତ କରିବାରେ ଦକ୍ଷତା ହାସଲ କରିଛନ୍ତି ଅର୍ଚ୍ଚିତ।

Advertisment

କଟକସ୍ଥିତ କେଶରପୁର ବକ୍ସିବଜାରରେ ବାସ କରୁଥିବା ଡକ୍ଟର ସଞ୍ଜୟ ପଣ୍ତା ଓ ଡକ୍ଟର ଲିପ୍ସା ପଣ୍ତାଙ୍କ ପୁଅ ଅର୍ଚ୍ଚିତଙ୍କୁ ଏବେ ବୟସ ମାତ୍ର ୧୬ ବର୍ଷ। ସେ ସାଇ ଇଣ୍ଟରନ୍ୟାସନାଲ କଲେଜର ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ର। ଛଅ ବର୍ଷ ବୟସରୁ ସେ ଏଭଳି ଅଭ୍ୟାସ କରୁଛନ୍ତି। ପ୍ରାୟ ୭ ବର୍ଷ ହେବ ସୋସିଆଲ ମିଡ଼ିଆରେ ବି ସେ ନିଜର ଏହି କୌଶଳ ପ୍ରଦର୍ଶନ କରୁଛନ୍ତି। ରାକ୍ସଜେଲ, ଷ୍ଟ୍ରମ୍‌ ଥମ୍‌, ଥ୍ରଙ୍ଗବ ଭଳି ଜଣାଶୁଣା ବିଟ୍‌ ବକ୍ସର ହେଉଛନ୍ତି ଅର୍ଚ୍ଚିତଙ୍କ ପ୍ରେରଣା।

ଅର୍ଚ୍ଚିତ କହିବା ଅନୁଯାୟୀ, ପିଲାବେ‌ଳୁ ସଙ୍ଗୀତ ପ୍ରତି ତାଙ୍କର ଦୁର୍ବଳତା ରହି ଆସିବାବେଳେ କିଛି ଭିନ୍ନ କରିବାକୁ ଇଚ୍ଛା ରହିଥିଲା। ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ବିଟ୍‌ ବକ୍ସରଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଏଥି ପାଇଁ ସେ କୌଣସି ତାଲିମ ନେଇ ନାହାନ୍ତି। କେବଳ ସୋସିଆଲ ମିଡ଼ିଆରୁ ଦେଖି ଅଭ୍ୟାସ କରିଛନ୍ତି। ଏଥିପାଇଁ ବି ତାଙ୍କୁ ତାଙ୍କର ବାପା ମା’ ବହୁତ ଉତ୍ସାହିତ କରିଛନ୍ତି। ପାଠପଢ଼ାରୁ ଯେଉଁ କିଛି ସମୟ ମିଳେ ସେହି ସମୟ ସେ ଏହାକୁ ଅଭ୍ୟାସ କରିଥାନ୍ତି। ଆଗାମୀ ଦିନରେ ଏପରି ଅଭ୍ୟାସ ଜାରି ରଖିବା ସହ ଇଣ୍ତିଆ ବିଟ୍‌ ବକ୍ସ ଚାମ୍ପିଅନ ଓ ବ୍ରାଣ୍ତ ବିଟ୍‌ ବକ୍ସ ଭଳି ପ୍ରତିଯୋଗିତାରେ ଭାଗ ନେଇ ଚାମ୍ପିଅନ ହେବା ତାଙ୍କର ଲକ୍ଷ୍ୟ ବୋଲି କହିଛନ୍ତି ଅର୍ଚ୍ଚିତ।