ମୁମ୍ବାଇ: ବିଗ୍ ବସ୍-୧୪କୁ ୱାଇଲଡ କାର୍ଡ ପ୍ରତିଯୋଗୀଭାବେ ଆସି ଲୋକପ୍ରିୟ ହୋଇଥିବା ସୋନାଲୀ ଫୋଗଟ ଆଉ ନାହାନ୍ତି। ହୃଦଘାତ କାରଣରୁ ତାଙ୍କର ସୋମବାର ରାତିରେ ମୃତ୍ୟୁ ହୋଇଛି। ଅଭିନୟ ସହ ରାଜନୀତିରେ ମଧ୍ୟ ସକ୍ରିୟ ଥିବା ସୋନାଲୀଙ୍କ ହଠାତ ଏଭଳି ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିିଛି। ସ୍ବାମୀଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହେବାର କିଛି ବର୍ଷ ପରେ ସୋନାଲୀଙ୍କ ମୃତ୍ୟୁ ହେବାରୁ ଏବେ ତାଙ୍କ ଝିଅ ଏକା ହୋଇଯାଇଛନ୍ତି। ତେବେ ପ୍ରାଥମିକ ତଦନ୍ତ‌ରୁ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ମା’ଙ୍କୁ ଫୋନ କରି ସୋନାଲୀ କହିଥିବା କଥା ଏବେ ସାମ୍ନାକୁ ଆସିଛି।

Advertisment

ସୋନାଲୀଙ୍କ ଭଉଣୀ କହିଛନ୍ତି ଯେ, ଗୋଆ ଯିବା ପୂର୍ବରୁ ସେ ମା’ଙ୍କ ସହ କଥା ହୋଇଥିଲେ। ସମ୍ପୂର୍ଣ୍ଣ ଭଲ ଥିବା କଥା କହିବା ସହ ଅଗଷ୍ଟ ୨୭ରେ ସେ ସୁଟିଂ ସାରି ଫେରିବେ ବୋଲି କହିଥିଲେ। ହେଲେ ସୋମବାର ସକାଳୁ ସେ ମା’ଙ୍କୁ ଫୋନ କରି ତାଙ୍କୁ କିଛି ଭଲ ଲାଗୁନଥିବା କହିଥିଲେ। ଏହା ସହ ସେ କହିଥିଲେ, ଖାଦ୍ୟ ଖାଇବା ପରେ ତାଙ୍କୁ ଭଲ ଲାଗୁନାହିଁ। ଲାଗୁଛି ଖାଦ୍ୟରେ କିଛି ମିଶାଯାଇଛି। ବୋଧହୁଏ କେହି ଷଡଯନ୍ତ୍ର କରୁଛନ୍ତି।

ତେବେ ଭଉଣୀ ଏଭଳି ଖୁଲାସା କରିବା ପରେ ସୋନାଲୀଙ୍କୁ ହତ୍ୟା କରାଯାଇଛି କି? ବୋଲି ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ତେବେ ସୋନାଲୀଙ୍କ ମୃତ୍ୟୁ ପରେ ବିଗ୍ ବସରେ ଥିବା ତାଙ୍କ ସହପ୍ରତିଯୋଗୀମାନେ ଟ୍ବିଟ କରି ଦୁଃଖପ୍ରକାଶ କରିଛନ୍ତି। ଅଭିନେତା ଅଲି ଗୋନିଙ୍କ ସହ ଅଭିନେତ୍ରୀ ରୁବିନା ଦିଲେକ ମଧ୍ୟ ଟ୍ବିଟ କରି ଦୁଃଖପ୍ରକାଶ କରିଛନ୍ତି।