କେତେକ ସିନେମାରେ ନାୟିକାଙ୍କୁ ଦୃଷ୍ଟିବାଧିତ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଛନ୍ତି। ଏଯାବତ୍‌ ଓଡ଼ିଆ ଚଳଚ୍ଚିତ୍ରରେ ମାତ୍ର ଚାରି ଜଣ ନାୟିକା ସେମାନଙ୍କ ପ୍ରଥମ ସିନେମାରେ ହିଁ ଦୃଷ୍ଟିହୀନା ଯୁବତୀ ଚରିତ୍ରରେ ଅବତୀର୍ଣ୍ଣ ‌ହୋଇ ଦର୍ଶକଙ୍କ ମନ ମୋହିଛନ୍ତି।

Advertisment

ଶିବଶଙ୍କର ଓଝା

ଏବେ ଓଲିଉଡ୍‌ରେ ସିକ୍ବେଲ୍‌ ଭିଡ଼ ଲାଗିଥିବା ବେଳେ ଏହି ‌ବର୍ଗରେ ଚର୍ଚ୍ଚା ସାଉଁଟିଛି ନୂଆ ସିନେମା ‘ଆଇ ଲଭ୍ ୟୁ ୨’। ସଞ୍ଜୟ ନାୟକ (ଟୁଟୁ)ଙ୍କ ପ୍ରଯୋଜିତ ଓ ସୁଧାଂଶୁମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ଛବିର ନାୟିକା ହେଲେ ଅପ୍‌ସରା ରାଣୀ। ଆଗରୁ ‘ମାଇଣ୍ଡ୍‌ ଗେମ୍’ ଶୀର୍ଷକ ଓଡ଼ିଆ ସମେତ ଅନ୍ୟ ଭାଷାରେ ନିର୍ମିତ ବହୁଭାଷୀ ଛବିରେ ଏକ ଛୋଟ ଚରିତ୍ରରେ ନଜର ଆସିଥିବା ଅପ୍‌ସରା ‘ଆଇ ଲଭ୍ ୟୁ ୨’ରେ ମୁଖ୍ୟ ନାୟିକା ଭୂମିକାରେ ଅଛନ୍ତି। ତାଙ୍କ ଚରିତ୍ରର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ସେ ଏଥିରେ ଜଣେ ଦୃଷ୍ଟିହୀନା ଯୁବତୀ ଭୂମିକାରେ ଆସିଛନ୍ତି। ଅପ୍‌ସରା ରାଣୀଙ୍କ ବିପକ୍ଷରେ ନବାଗତ ଆଦିତ୍ୟଙ୍କୁ ନାୟକ ଭାବେ ନିଆଯାଇଛି। ଏହି ସିନେମାରେ ଜଣେ ଗାୟକ ଓ ଦୃଷ୍ଟିହୀନା ଯୁବତୀଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିବ। ଏଥିରେ ଅପସରାଙ୍କ ଅଭିନୀତ ଚରିତ୍ରର ନାଆଁ ରହିଛି ଗୀତା। ତେବେ ଗୀତା କାହିଁକି ଦୃଷ୍ଟିହୀନା ହେ‌ାଇଛନ୍ତି ଏବଂ ସେ ନିଜର ଦୃଷ୍ଟିଶକ୍ତି ଫେରିପାଉଛନ୍ତି କି ନା ତାହା ‘ଆଇ ଲଭ୍ ୟୁ ୨’ରେ ଦେଖିବାକୁ ପାଇବେ ସିନେପ୍ରେମୀ।

ପୂର୍ବରୁ ଓଲିଉଡ୍‌ର ଆଉ ତିନି ନାୟିକାଙ୍କ କ୍ଷେତ୍ରରେ ବି ସମାନ କଥା ଘଟିଥିଲା। ଏମାନେ ହେଲେ ନମ୍ରତା ଥାପ୍ପା, ଆକାଂକ୍ଷା ଚୌଧୁରୀ ଏବଂ ରୂପାଲି। ତିନିହେଁ ସେମାନଙ୍କର ପ୍ରଥମ ଓଡ଼ିଆ ଛବିରେ ଦୃଷ୍ଟିବାଧିତ ଯୁବତୀ ଭାବେ ଉଭା ହୋଇଥିଲେ। ବ୍ରଜରାଜ ମୁଭିଜ୍‌ର ବ୍ଲକ୍‌ବଷ୍ଟର୍‌ ମୁଭି ‘ଆଇ ଲଭ୍ ୟୁ’(୨୦୦୪) ଜରିଆରେ ପରଦାକୁ ଆସିଥିଲେ ନମ୍ରତା ଥାପ୍ପା। ସେ ମୁମ୍ବାଇରେ କ୍ୟାରିଅର୍‌ କରୁଥିବା ବେଳେ ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ) ତାଙ୍କୁ ଓଲିଉଡ୍‌ରେ ବ୍ରେକ୍‌ ଦେଇଥିଲେ। ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାମ ଥିଲା ଗୀତା ଓ ଏଥିରେ ତାଙ୍କ ବିପକ୍ଷରେ ନାୟକ ସଞ୍ଜୟ ଚରିତ୍ରରେ ଅନୁଭବଙ୍କୁ ନିଆଯାଇଥିଲା। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘ଆଇ ଲଭ୍ ୟୁ’ରେ ନମ୍ରତାଙ୍କ ଅଭିନୟ ବି ମନଛୁଆଁ ଥିଲା। ଏହାପରେ ଶ୍ରୀବଳଦେବଜିଉ ପ୍ରଡକସନ୍‌ର ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ସିନେମା ‘ରସିକନାଗର’ରେ ବି ଦୃଷ୍ଟିହୀନା ଯୁବତୀର ଚରିତ୍ର ନିଭାଇଥିଲେ ନମ୍ରତା। ଏଥିରେ ତାଙ୍କର ନାୟକ ଭୂମିକାରେ ଥିଲେ ସିଦ୍ଧାନ୍ତ ମହାପାତ୍ର।

ରୂପାଲିଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ପ୍ରଶାନ୍ତ ଜେନାଙ୍କ ପ୍ରଯୋଜିତ ତଥା ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ‘ତୋ ବିନା ଭଲ ଲାଗେ ନା’ (୨୦୦୮)। ଏହି ସିନେମାରେ ରୂପାଲିଙ୍କୁ ଜଣେ ଦୃଷ୍ଟିହୀନା ଯୁବତୀ ଭୂମିକାରେ ଦର୍ଶକଙ୍କ ସାମ୍ନାକୁ ଅଣାଯାଇଥିଲା। ସେ ଏହି ଭୂମିକାକୁ ଖୁବ୍ ନିଖୁଣଭାବେ ନିଭାଇଥିଲେ। ଏହି ତ୍ରିକୋଣୀୟ ପ୍ରେମକାହାଣୀରେ ତାଙ୍କ ବିପକ୍ଷରେ ଦୁଇଜଣ ନାୟକ ଥିଲେ- ସବ୍ୟସାଚୀ ଓ ପୁପିନ୍ଦର୍। ଠିକ୍ ସେହିପରି ନାୟିକା ଆକାଂକ୍ଷା ଚୌଧୁରୀ ବି ତାଙ୍କ ଅଭିନୀତ ପ୍ରଥମ ଓଡ଼ଆ ଛବି ‘ଏସିପି ରଣବୀର’ରେ ଦୃଷ୍ଟିହୀନା ଭୂମିକାରେ ନଜର ଆସିଥିଲେ। ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଆକାଂକ୍ଷାଙ୍କୁ ଅନୁଭବଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ। ବର୍ତ୍ତମାନ ଓଲିଉଡ୍‌ରେ ନୂଆ ଚିନ୍ତାଧାରାର ମୌଳିକ କାହାଣୀକୁ ଗୁରୁତ୍ବ ଦିଆ ଯାଉଥିବା ହେତୁ ଆଗକୁ ନାୟିକାଙ୍କ କ୍ଷେତ୍ରରେ ଏପରି ଘଟିପାରେ ବୋଲି ଆଶା କରାଯାଇପାରେ।

ସେମାନେ କହନ୍ତି
‘ଆଇ ଲଭ୍ ୟୁ’ରେ ଟୁଟୁ ଭାଇ ଯେତେବେଳେ ମୋତେ ନେଇଥିଲେ, ମୁଁ ଖୁବ୍ ଉତ୍ସାହିତ ହୋଇଥିଲି। ମୋ ଭୂମିକାକୁ ମୁଁ ଶତପ୍ରତିଶତ ଦେବାକୁ ଚେଷ୍ଟା କରିଥିଲି। ଆଉ ପରେ ସିନେମାଟି ଇତିହାସ ପାଲଟିଗଲା ଓ ମୁଁ ଓଲିଉଡ୍‌କୁ ଛାଡ଼ିପାରିଲିନି।
-ନମ୍ରତା

‘ଆଇ ଲଭ୍ ୟୁ ୨’ରେ ମୋତେ ନୂଆ ନାୟକ ଆଦିତ୍ୟଙ୍କୁ ମ୍ୟାଚ୍ କରୁଥିବା ଯୁବତୀଟିଏ ଦରକାର ଥିଲା। ମୁଁ କେତେକ ଓଡ଼ିଆ ନାୟିକାଙ୍କୁ ଅଫର୍ ଦେଇଥିଲି, କିନ୍ତୁ କେହି ଆଗ୍ରହ ଦେଖାଇଲେ ନାହିଁ। ଏଣୁ ମୁଁ ସାଉଥ୍ ଓ ବଲିଉଡ୍‌ରେ ନାଆଁ କରିଥିବା ଓଡ଼ିଆ ଝିଅ ଅପ୍‌ସରା ରାଣୀଙ୍କୁ ନେବା ଲାଗି ସ୍ଥିର କଲି। ତାଙ୍କ ସହ ଯୋଗାଯୋଗ ପରେ ସେ ପୁନେରେ ସୁଟିଂ କରୁଥିବା ସମୟରେ ତାଙ୍କୁ ଚୁକ୍ତିବଦ୍ଧ କରିଥିଲି। ‘ଆଇ ଲଭ୍ ୟୁ’ର ନମ୍ରତାଙ୍କ ଭଳି ଅପ୍‌ସରା ରାଣୀ ବି ‘ଆଇ ଲଭ୍ ୟୁ ୨’ରେ ନିଜର ଦୃଷ୍ଟିହୀନା ଯୁବତୀ ଭୂମିକାକୁ ଜୀବନ୍ତ କରିଛନ୍ତି।
-ପ୍ରଯୋଜକ ସଞ୍ଜୟ ନାୟକ (ଟୁଟୁ)

ପ୍ରଥମ ସିନେମାରେ ଜଣେ ଦୃଷ୍ଟିହୀନା ଯୁବତୀର ଭୂମିକା ମୋ ଲାଗି ଚ୍ୟାଲେଞ୍ଜିଂ ଥିଲା। ମାତ୍ର ନିର୍ଦ୍ଦେଶକ ଜ୍ୟୋତି ଦାସ ସେହି ଭୂମିକାଟିକୁ ସହଜରେ ନିଭାଇବାରେ ମୋର ସହାୟତା କରିଥିଲେ। ତାଙ୍କ ମାର୍ଗଦର୍ଶନକୁ ଅସ୍ବୀକାର କରିହେବ ନାହିଁ।
-ରୁପାଲି