ମୁମ୍ବାଇ: କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବ୍ରିହନ୍ମୁମ୍ବାଇ ମୁନିସିପାଲିଟି କର୍ପୋରେସନ(ବିଏମ୍ସି) ସୋମବାର ଅଭିନେତା ଅରବାଜ ଖାନ୍ ଏବଂ ସୋହଲି ଖାନ୍ଙ୍କ ବିରୋଧରେ ମାମଲା ରୁଜୁ କରିଛି। କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ବିଏମ୍ସି ରୁଜୁ କରିଥିବା ମାମଲାରେ ସୋହଲିଙ୍କ ପୁଅ ନିର୍ବାଣ ଖାନ୍ଙ୍କ ନାମ ମଧ୍ୟ ଦେଖିବାକୁ ମିଳିଛି।
ବିଏମ୍ସିର ଡାକ୍ତରଖାନା ଅଧିକାରୀଙ୍କ ଅଭିଯୋଗ ଅନୁସାରେ ଅରବାଜ ଖାନ୍, ସୋହଲି ଖାନ୍ ଓ ନିର୍ବାଣ ଖାନ୍ ଗତ ଡିସେମ୍ବର ୨୫ରେ ଦୁବାଇରୁ ମୁମ୍ବାଇ ଫେରିଥିଲେ। ସେମାନେ ନିୟମ ମୁତାବକ ନିଜକୁ ପୃଥକବାସରେ ନରଖି ସିଧାସଳଖ ଘରକୁ ଯାଇଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେମାନଙ୍କୁ ଏକ ହୋଟେଲ୍ରେ ଆଇସୋଲେସନ୍ରେ ରହିବାକୁ କୁହାଯାଇଥିଲେ ବି ସେମାନେ ନମାନି ସିଧା ଘରକୁ ପଳାଇଥିଲେ।
ମୁମ୍ବାଇରେ ଥିବା ହୋଟେଲ୍ ତାଜ୍ରେ ସେମାନେ ରହିଛନ୍ତି ବୋଲି ଏକ ନକଲି ଅଣ୍ଡର୍ଟେକିଂ ଦେଇ ସେମାନେ ନିଜ ବାନ୍ଦ୍ରାସ୍ଥିତ ବାସଭବନକୁ ଚାଲି ଯାଇଥିବା ସୂଚନା ରହିଛି।
କୋଭିଡ୍-୧୯ ନିମୟ ମୁତାବକ ଏହି ୩ ଜଣଙ୍କୁ ଦୁବାଇରୁ ଫେରିବା ପରେ ଅତି କମ୍ରେ ଏକ ସପ୍ତାହ କ୍ବାରେଣ୍ଟାଇନ୍ରେ ରହିବାର ଥିଲା, ମାତ୍ର ସେମାନେ ନିୟମ ଉଲ୍ଲଂଘନ କରିଛନ୍ତି।
ବିଏମ୍ସି ଟିମ୍ ସୋହଲିଙ୍କ ଘରକୁ ଯାଇ ତାଙ୍କୁ ପଚାରିବାରୁ ସେ କହିଛନ୍ତି କି ତାଜ୍ ହୋଟେଲ୍ରେ ସେମାନେ ଅଟକିଥିଲେ, ସେମାନଙ୍କ ରିପୋର୍ଟ ନେଗେଟିଭ୍ ଆସିବାରୁ ସେମାନେ ଘରକୁ ପଳାଇଥିଲେ।