ମୁମ୍ବାଇ: ‘କଫି ଉଇଥ କରଣ’ ସିଜନ-୮ର ଦ୍ବିତୀୟ ଅଧ୍ୟାୟରେ ଦେୱଲ ବ୍ରଦର୍ସ ଧମାଲ କରିବେ। ଟକ ସୋ’ର ପ୍ରଥମ ପ୍ରମୋ ରିଲିଜ ହୋଇଯାଇଛି। ଏଥିରେ ସନ୍ନି ଓ ବବି ଖୁବ ମଜା କଥା କହୁଥିବା ଶୁଣିବାକୁ ମିଳୁଛି। ଯାହାକି ଦର୍ଶକଙ୍କୁ ସୋ’ ଦେଖିବା ପାଇଁ ବେଶ ଖୋରାକ ଯୋଗାଇବ ବୋଲି କୁହାଯାଉଛି।
‘କଫି ଉଇଥ କରଣ’ ସିଜନ-୮ ସୋ’ରେ ଯୋଗ ଦେଇ ବବି ଓ ସନ୍ନି ନିଜର ସଫଳତା ଓ ବିଫଳତା କ୍ୟାରିୟର ବିଷୟରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି।
କରଣ ଜୋହର ଦୁଇଭାଇଙ୍କୁ ପଚାରିଥିଲେ କ’ଣ ଆମେ ବକ୍ସ ଅଫିସ ନମ୍ବର ବଢ଼ାଇ ଚଢ଼ାଇ କହୁଛି କି? ଏହାର ଉତ୍ତରରେ ସନ୍ନି କହିଥିଲେ, ‘ଏମିତି ହିଁ ହୋଇଥାଏ। ଏଭଳି ଭାବେ ଏହି ସମାଜ ଆଗକୁ ବଢ଼ୁଛି।’
ଏହି କ୍ରମରେ ବବି କହିଥିଲେ,‘ମୋର ବିଫଳ ସିନେମା ପରେ ମୁଁ ସୁପରଷ୍ଟାର ସଲମାନଙ୍କୁ ସାହାଯ୍ୟ ମାଗିଥିଲି। ଏହାପରେ ସେ ‘ରେସ-୩’ରେ ମୋତେ ପରଦାକୁ ଫେରିବାର ସୁଯୋଗ ଦେଇଥିଲେ।’
କେବଳ ଏତିକି ନୁହେଁ ସୋ’ରେ କରଣ ବବିଙ୍କୁ ମଜା କରି ପଚାରିଥିଲେ, ‘ତୁମର ବାପା ଏତେ ଚତୁର କ’ଣ ପାଇଁ? ଅଭିନେତା ହସିହସି କହିଥିଲେ, ‘ମୋତେ ଜଣାନାହିଁ।’
ସନ୍ନିଙ୍କୁ କରଣ ପରଦାରେ ଧର୍ମେନ୍ଦ୍ରଙ୍କ ଚୁମ୍ବନ କଥା ପଚାରିବାରୁ ଅଭିନେତା କହିଥିଲେ, ‘ହଁ ବାପା ସେ ସବୁ ଭଲ କରନ୍ତି। ସେ ଚୁମ୍ବନ ଦେବା ପରେ ଖସି ବି ଯାଇଥାଆନ୍ତି, କେହି ଜାଣି ପାରନ୍ତି ନାହିଁ।’
ଏଭଳି ପ୍ରମୋ ଦେଖି ଦର୍ଶକ ସୋ’ର ଟେଲିକାଷ୍ଟକୁ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି।