ସାବରମତୀ ଆଶ୍ରମରେ ପହଞ୍ଚି ସୂତା କାଟି‌ଲେ ସଲମାନ

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନଙ୍କ ଫିଲ୍ମ ‘ଅନ୍ତିମ ଦ ଫାଇନାଲ୍ ଟ୍ରୁଥ୍’ ରିଲିଜ୍ ହୋଇସାରିଛି । ସିନେମା ହଲରେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ମଧ୍ୟ ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ବକ୍ସ ଅଫିସରେ ସେତେ ଭଲ ରୋଜଗାର କରିପାରି ନଥିବା ସୂଚନା ରହିଛି ।
ଅନ୍ୟପଟେ ‘ଅନ୍ତିମ’ ଫିଲ୍ମର ପ୍ରମୋସନ ପାଇଁ ଏବେ ଲାଗିପଡିଛନ୍ତି ସଲମାନ ଖାନ । ସୋମବାର ସଲମାନ ଗୁଜରାଟରେ ନିଜର ଫିଲ୍ମର ପ୍ରମୋସନ ଚଳାଇଥିବାବେଳେ, ସାବରମତୀ ଆଶ୍ରମରେ ପହଞ୍ଚିଥିଲେ ।

ଏହି ସମୟରେ ସଲମାନ ସାବରମତୀ ଆଶ୍ରମରେ କିଛି ସମୟ କାଟିବା ସହିତ ସେଠାରେ ସୁତା କାଟିଥିବା ମଧ୍ୟ ଦେଖିବାକୁ ମିଳିଥିଲା, ଯାହାର ଫଟୋ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଫଟୋରେ ବଲିଉଡ୍ ଭାଇଜାନ୍ ସଲମାନ୍ ଅରଟ ଧରି ସୂତା କାଟୁଥିବା ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ତାଙ୍କ ସହିତ କିଛି ଫ୍ୟାନ୍ସ ମଧ୍ୟ ନଜର ଆସିଛନ୍ତି । ତେବେ ସଲମାନ ଆଜି ତାଙ୍କ ବଡିଗାର୍ଡ ଶେରାଙ୍କ ସହିତ ଗୁଜରାଟର ଗାନ୍ଧୀ ଆଶ୍ରମରେ ପହଞ୍ଚିଥିଲେ । ସଲମାନ ସେଠାରେ ପହଞ୍ଚିବା ପରେ ସେଠାରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।

ଏହା ପୂର୍ବରୁ ସଲମାନ ଖାନ୍ ବିଭିନ୍ନ ରିୟାଲିଟି ସୋରେ ମଧ୍ୟ ‘ଅନ୍ତିମ’ର  ପ୍ରମୋସନ କରିସାରିଛନ୍ତି । ଏବେ ସେ ଦେଶର ବିଭିନ୍ନ ସହର ବୁଲି ଫିଲ୍ମର ପ୍ରମୋସନ କରୁଛନ୍ତି । ଅହମ୍ମଦାବାଦ ପରେ ସଲମାନ ହାଇଦ୍ରାବାଦ ମଧ୍ୟ ଯାଇପାରନ୍ତି ବୋଲି ସୂଚନା ମିଳୁଛି । ଅନ୍ୟପଟେ ଫିଲ୍ମ କଥା ଦେଖିବାକୁ ଗଲେ, ଗତ ଦୁଇ ଦିନ ଭିତରେ ଅନ୍ତିମ ବକ୍ସ ଅଫିସରେ ମାତ୍ର ୧୦ କୋଟି ଟଙ୍କା ରୋଜଗାର କରିପାରିଛି ।

ସମ୍ବନ୍ଧିତ ଖବର