ନସିରୁଦ୍ଦିନ ଶାହାଙ୍କ ସହ ମତଭେଦ ହେବା ପରେ ଅନୁପମଙ୍କ ଟୁଇଟ୍; କିଛି ଲୋକ ମୋତେ ଭାଙ୍ଗିବାକୁ ଯାଇ ନିଜେ ତ‌ଳେ ପଡ଼ିଛନ୍ତି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ କୋଣରେ ଏବେ ବିରୋଧ ପ୍ରଦର୍ଶନ ଲାଗି ରହିଛି। ଦେଶ ଦୁଇ ଭାଗରେ ବିଭକ୍ତ ହୋଇ ସାରିଥିବା ବେଳେ ବଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟ ଦୁଇ ଭାଗ ହୋଇ ଯାଇଛି। ଖାସ୍ କରି ଦୁଇ ଜଣାଶୁଣା ଅଭିନେତା ଅନୁପମ ଖେର୍ ଓ ନସିରୁଦ୍ଦିନ ଶାହା ଏ ନେଇ ପରସ୍ପରର ବିରୋଧି ପାଲଟିଛନ୍ତି। ପୂର୍ବରୁ ଦୁହେଁ ଦୁହିଁଙ୍କ ବିରୋଧରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ସାରିଥିବା ବେଳେ ଏବେ ଅନୁପମ ଖେର୍ କରିଥିବା ଟୁଇଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେ ଟୁଇଟ୍ କରି ଲେଖିଛନ୍ତି କି, ‘ନାଁ ମୁଁ ଭାଙ୍ଗି ପଡ଼ିଲି…..ନ‌ାଁ ମୋର ଆଶାର କାନ୍ଥ ଭାଙ୍ଗି ପଡ଼ିଲା….କିନ୍ତୁ କିଛି ଲୋକ ମୋତେ ଭାଙ୍ଗିବାକୁ ଯାଇ ନିଜେ ଭାଙ୍ଗି ପଡ଼ିଲେ’। ତାଙ୍କର ଏଭଳି ଟୁଇଟ୍ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସୂଚନା ମୁତାବକ, କିଛି ଦିନ ତଳେ ଅତି ନିମ୍ନସ୍ତରକୁ ଯାଇ ଦୁହେଁ ପରସ୍ପରକୁ ସମାଲୋଚନା କରିଥିଲେ। ଅନୁପମ ଖେରଙ୍କୁ ନସିରୁଦ୍ଦିିନ ଶାହା ‘ଜୋକର’ ବୋଲି କହିଥିବା ବେଳେ ତାଙ୍କୁ ଜବାବ ଦେଇ ନସିରୁଦ୍ଦିିନ ଶାହାଙ୍କୁ ‘ନିଶାଖୋର’ ବୋଲି  କହିଥିଲେ ଅନୁପମ ଖେର। ମୋଦୀ ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଥିବାରୁ ତାଙ୍କୁ ଜଣେ ଜୋକର ବୋଲି ସମ୍ବୋଧନ କରିିଥିଲେ ନସିରୁଦ୍ଦିନ୍ ଶାହା, ଯାହା ପରେ ଟୁଇଟ୍ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଥିଲେ ଅନୁପମ ଖେର।  ପ୍ରାୟ ୨ମିନିଟର ଏକ ଭିଡିଓ ପୋଷ୍ଟ କରି ଅନୁପମ ଖେର ନସିରୁଦ୍ଦିନଙ୍କୁ ନିଶାଖୋର ବୋଲି ଆକ୍ଷେପ କରିଥିଲେ।

ସମ୍ବନ୍ଧିତ ଖବର