ମୁମ୍ବାଇ: ନିର୍ବାଚନ ଲଢ଼ିବେ ବଲିଉଡ ଷ୍ଟାର ଗୋବିନ୍ଦା। ଗତ କିଛି ଦିନ ହେବ ସେ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ କୁହାଯାଉଛି ଯେ, ଅଭିନେତା ଶିବସେନାରେ ଯୋଗ ଦେଇ  ଲୋକସଭା ନିର୍ବାଚନ ଲଢ଼ିବେ। ଗତକାଲି ରାତିରେ ଗୋବିନ୍ଦା, ଶିବସେନା ନେତା କୃଷ୍ଣ ହେଗଡେଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି । ଏବିଷୟରେ ପଚରାଯିବାରୁ କୃଷ୍ଣ ହେଗଡେ ଫୋନରେ କହିଛନ୍ତି ଯେ ଗୋବିନ୍ଦା ଜାତୀୟ ସ୍ତରରେ କାମ କରିବାକୁ ଚାହୁଁଛନ୍ତି। ଆସନ କିମ୍ବା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେ ବିଷୟରେ ମୁଁ କୌଣସି ମନ୍ତବ୍ୟ ଦେବି ନାହିଁ।

Advertisment

ଲୋକସଭା ନିର୍ବାଚନକୁ ନେଇ କଳ୍ପନାଜଳ୍ପନା ଚାଲିଛି ଯେ ଅଭିନେତା ଗୋବିନ୍ଦା ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ରାଜନୀତିକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଏହା ସହ ଉତ୍ତର-ପଶ୍ଚିମ ମୁମ୍ବାଇ ଲୋକସଭା ଆସନରୁ ଏକନାଥ ସିନ୍ଦେଙ୍କ ଶିବସେନା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।

ବଡ ପରଦାରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ ଗୋବିନ୍ଦା। ତାଙ୍କର ଅଭିନୟ ଦକ୍ଷତା ବଲିଉଡରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥିଲା। ୨୦୦୪ଲୋକସଭା ନିର୍ବାଚନରେ ​​ସେ ଉତ୍ତର ମୁମ୍ବାଇର ଆସନ ଜିତି କଂଗ୍ରେସ ପାର୍ଟି ସହିତ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ପରେ କିଛି କାରଣରୁ ସେ ସ୍ବେଚ୍ଛାକୃତ ଭାବେ ରାଜନୀତିରୁ ଇସ୍ତଫା ଦେଇଥିଲେ। ହେଲେ ଏବେ ସେ ପୁଣି ଶିବସେନା ସହ ହାତ ମିଲାଇ ରାଜନୀତିକୁ ଫେରିବେ ବୋଲି କୁହାଯାଉଛି।