ମୋତେ ବଂଶୀକା ପାଇଁ ବଞ୍ଚିବାକୁ ହେବ: ମୃତ୍ୟୁ ପୂର୍ବରୁ ଏମିତି କହୁଥିଲେ ସତୀଶ

ମୁମ୍ବାଇ: ସମସ୍ତଙ୍କୁ ହସାଇ ଚାଲିଥିବା କଳାକାର ସତୀଶ କୌଶିକଙ୍କ ମୃତ୍ୟୁ ସିନେମାଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏକଥା ଜାଣିବାକୁ ସମସ୍ତେ ଉତ୍ସୁକ ଯେ ସେଦିନ ହୋଲି ପାର୍ଟିରେ ଏପରି କ’ଣ  ହେଲା କି ତାହା ସତୀଶଙ୍କ ପାଇଁ ଶେଷ ହୋଲି ପାଲଟିଗଲା। ଏ ସବୁ ପ୍ରଶ୍ନର ଉତ୍ତର ଦିବଂଗତ ଅଭିନେତାଙ୍କ ମ୍ୟାନେଜର୍ ସନ୍ତୋଷ ରାୟ ଦେଇ ସାରିଛନ୍ତି।

ସତୀଶଙ୍କ ଶେଷ ସମୟରେ ତାଙ୍କ ସହ ତାଙ୍କ ମ୍ୟାନେଜର୍‌ ବି ଥିଲେ। ସେ ଏବେ ସେଦିନର ସମସ୍ତ କଥା ବଖାଣିଛନ୍ତି। ସେ କହିଛନ୍ତି ଯେ ସତୀଶ ରାତି ୮.୩୦ରେ ରାତ୍ରଭୋଜନ ସାରି ଦେଇଥିଲେ। ଆଗାମୀ ଦିନ, ଅର୍ଥାତ ୯ ତାରିଖରେ ସମସ୍ତେ ମୁମ୍ବାଇ ଫେରିଥାନ୍ତେ। ସେ ସମୟ‌ରେ ସତୀଶ ତାଙ୍କ ମ୍ୟାନେଜର୍‌ଙ୍କୁ ଜଲ୍‌ଦି ଶୋଇବାକୁ କହିଥିଲେ। ସକାଳୁ ଫ୍ଲାଇଟ୍‌ ଥିବାରେ ସେମାନେ ନିଜ ନିଜ ରୁମ୍‌କୁ ଶୋଇବାକୁ ଚାଲିଗଲେ।

ତାପରେ ରାତି ପ୍ରାୟ ୧୧ଟାରେ ମ୍ୟାନେଜର ସନ୍ତୋଷଙ୍କୁ କଲ୍‌ କରି ରୁମ୍‌କୁ ଡାକି ୱାଇଫାଇ ପାସ୍‌ୱାର୍ଡ ମାଗିଲେ ସତୀଶ। କାରଣ ସେ ତାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାଗଜ-୨’ ଦେଖିବାକୁ ଚାହୁଁଥିଲେ, ଯାହାର ସୁଟିଂ ସରିଯାଇଛି କେବଳ ଏଡିଟିଂ ବାକି ଅଛି।

ତାପରେ ସନ୍ତୋଷ ପାସୱାର୍ଡ ଦେଇ ଚାଲି ଯାଇଥିଲେ। ରାତି ଠିକ୍‌ ୧୨ଟା ବେଳକୁ ସତୀଶ ଜୋର୍‌ ଜୋର୍‌ ସନ୍ତୋଷଙ୍କ ନାମ ଧରି ଡାକିବାକୁ ଲାଗିଲେ। ‌ସନ୍ତୋଷ ଧାଇଁକି ଆସି ଦେଖନ୍ତି ତ ସତୀଶ ଠିକ୍‌ କରି ନିଶ୍ବାସ ନେଇ ପାରୁନାହାନ୍ତି।

ତାପରେ ସତୀଶଙ୍କୁ ହସ୍ପିଟାଲ୍‌ ନେବା ବାଟରେ ସେ କହୁଥିଲେ, ‘ମୋତେ ଜଲ୍‌ଦି ହସ୍ପିଟାଲ୍‌ ନେଇଯାଅ। ମୁଁ ବଞ୍ଚିବାକୁ ଚାହେଁ, ମୋତେ ବଂଶୀକା (ସତୀଶଙ୍କ ଝିଅ) ପାଇଁ ବଞ୍ଚିବାକୁ ହେବ।’

ସମ୍ବନ୍ଧିତ ଖବର