ମୁମ୍ବାଇ: ଫିଲ୍ମ ‘କେଦାରନାଥ’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ । ଏହା ପରେ ତାଙ୍କର ଦ୍ୱିତୀୟ ଫିଲ୍ମ ‘ସିମ୍ବା’ ରିଲିଜ୍ ହୋଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ସାରାଙ୍କ ଅଭିନୟକୁ ଦର୍ଶକେ ପସନ୍ଦ କରିଥିଲେ । ଦୁଇଟି ଫିଲ୍ମ ପରେ ସାରା ଏବେ ସମସ୍ତଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ଫିଲ୍ମ ପରେ ଏବେ ସେ ଆଉ ଏକ କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି ।
ସୂଚନା ମୁତାବକ, ସାରା ଏବଂ ତାଙ୍କ ମା’ ତଥା ଅଭିନେତ୍ରୀ ଅମୃତା ସିଂହଙ୍କୁ ଡେରାଡୁନ୍ର ପୁଲିସ ଷ୍ଟେସନରେ ଦେଖିବାକୁ ମିଳିଥିଲା । ଶନିବାର ଦୁହିଁଙ୍କୁ ପୁଲିସ ଷ୍ଟେସନ ବାହାରେ ଦେଖା ଯାଇଥିବା ବେଳେ ଦୁହେଁ ଜମି ବିବାଦକୁ ନେଇ ପୁଲିସ ଷ୍ଟେସନ ଯାଇଥିବା ଜଣା ପଡ଼ିଛି । ଡେରାଡୁନ୍ରେ ସାରାଙ୍କ ମାମୁଙ୍କର କୋଟି କୋଟି ଟଙ୍କାର ସମ୍ପତି ରହିଛି । ଯାହା ଉପରେ ଜମି ମାଫିଆଙ୍କ ନଜର ରହିଛି । ସେମାନେ ଜମି ଉପରେ କବ୍ଜା କରିବାର ଆଶଙ୍କା ଥିବାରୁ ପୁଲିସକୁ ସୂଚନା ଦେବା ପାଇଁ ଯାଇଥିଲେ ସାରା ଏବଂ ତାଙ୍କ ମା’ ଅମୃତା । ଗତ ଶନିବାର ସାରାଙ୍କ ମାମୁ ମଧୁସୂଦନ ବିମ୍ବେଟ୍ଙ୍କ ଦେହାନ୍ତ ହୋଇ ଯାଇଥିଲା । ଦୁହେଁ ଅନ୍ତିମ ସଂସ୍କାରରେ ଯୋଗ ଦେଇ ସିଧା ପୁଲିସ ଷ୍ଟେସନ ଯାଇଥିଲେ । ସେଠାରେ ପହଞ୍ଚି ମଧୁସୁଦନଙ୍କ ପରିବାର ଲୋକ ଡେରାଡୁନରେ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କ ସମ୍ପତିକୁ ଜମି ମାଫିଆଙ୍କଠାରୁ ବଞ୍ଚାଇବା ପାଇଁ ପୁଲିସକୁ ଜଣାଇଥିଲେ ଅମୃତା ।