ନୂଆଦିଲ୍ଲୀ: ଡ୍ରଗ୍‌ ଚୋରାଚାଲାଣ ମାମଲାରେ ଗିରଫ ହୋଇ ସଂଯୁକ୍ତ ଆରବ ଏମିରେଟସ୍‌ର ସାରଜା ଜେଲ୍‌ରେ ଥିବା ବଲିଉଡ୍‌ ଅଭିନେତ୍ରୀ କ୍ରିସନ୍‌ ପରେରା ମୁକ୍ତ ହୋଇଥିବା କଥା ତାଙ୍କ ଭାଇ କେଭିନ୍‌ ପରେରା କହିଛନ୍ତି ବୋଲି ‘ଏଏନ୍‌ଆଇ’ ରିପୋର୍ଟ କରିଛି।

Advertisment

ସୂଚନାଯୋଗ୍ୟ, ଅଭିନେତ୍ରୀ କ୍ରିସନ୍‌ ସାଥିରେ ନେଇଥିବା ଗୋଟାଏ ‘ଟ୍ରଫି’ ଭିତରେ ଡ୍ରଗ୍‌ ଲୁଚାଯାଇଥିବା କଥା ସାରଜା କର୍ତ୍ତୃପକ୍ଷମାନେ ଜାଣିବା ପରେ ଚଳିତ ମାସ ପ୍ରାରମ୍ଭରେ ତାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ, କ୍ରିସନ୍‌ଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

୨୭ ବର୍ଷୀୟ କ୍ରିସନ୍‌ ‘ସଡକ୍‌-୨’ ଏବଂ ‘ବଟଲା ହାଉସ୍‌’ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

publive-image Image Courtesy of OneIndia

ଉକ୍ତ ଡ୍ରଗ୍‌ ଚୋରାଚାଲାଣ ମାମଲାରେ ଅଭିନେତ୍ରୀଙ୍କୁ ଫସାଇ ଥିବା ଅଭିଯୋଗରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଅଳ୍ପ ଦିନ ତଳେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସେ ଦୁଇଜଣ ହେଉଛନ୍ତି, ଆନ୍ଥୋନି ପଲ୍‌ ନାମରେ ଜଣେ ପାଉଁରୁଟି କାରଖାନା ମାଲିକ ଓ ତାଙ୍କର ସହଯୋଗୀ ରାଜେଶ ବାଭୋତେ ଓରଫ୍ ରବି। ସେମାନଙ୍କୁ ମେ ୨ ତାରିଖ ପର୍ଯ୍ୟନ୍ତ ପୁଲିସ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ଗିରଫ ହୋଇଥିବା ଆଉ ୪ଜଣ ହେଉଛନ୍ତି ଡ୍ରଗ୍‌ ଚାଲାଣକାରୀ।

ପୁଲିସ କହିବା ଅନୁସାରେ, ଅନ୍ଥୋନି ପଲ୍‌ ହେଉଛନ୍ତି ଏହି ମାମଲାର ମାଷ୍ଟର୍‌ମାଇଣ୍ଡ୍‌। ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଅଭିନେତ୍ରୀଙ୍କ ସମେତ ୫ଜଣଙ୍କ ପାର୍ସଲ୍‌ରେ ସେ ଗଞ୍ଜେଇ ଓ ଅଫିମ ରଖିଥିଲେ। ପଲ୍‌ ହେଉଛନ୍ତି କ୍ରିସନ୍‌ଙ୍କ ମାଆ ପ୍ରିମିଳାଙ୍କ ବ୍ୟାବସାୟିକ ଅଂଶୀଦାର।

ଷଡ଼ଯନ୍ତ୍ର କରି ଆନ୍ଥୋନି ପଲ୍‌ କ୍ରିସନ୍‌ଙ୍କୁ ‘ସଂଯୁକ୍ତ ଆରବ ଏମିରେଟ୍‌’ରେ ହେଉଥିବା ଏକ ଅଡିସନ୍‌କୁ ପଠାଇଥିଲେ। ବିମାନ ଆରୋହଣ କରିବାର ଠିକ୍‌ ପୂର୍ବରୁ କ୍ରିସନ୍‌ଙ୍କୁ ଗୋଟାଏ ଗଞ୍ଜେଇ ଭର୍ତ୍ତି ଟ୍ରଫି ଧରାଇ ଦିଆଯାଇଥିଲା। ଟ୍ରଫିଟି ଅଡ଼ିସନ୍‌ରେ ଦରକାର ବୋଲି ତାଙ୍କୁ କୁହାଯାଇଥିଲା।