ସୂର୍ଯ୍ୟବଂଶମର ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ବିଷୟରେ ଏହି ସବୁ କଥା ଜାଣନ୍ତି କି?

ମୁମ୍ବାଇ: ବଲିଉଡ଼ ଅଭିନେତା ଅମିତାଭ ବଚ୍ଚନଙ୍କ ଅଭିନୀତ ଚଳଚ୍ଚିତ୍ର ସୂର୍ଯ୍ୟବଂଶମ ୧୯୯୮ ମସିହାରେ ପରଦାକୁ ଆସିଥିଲା । ଏହି ଆଇକନିକ୍ ଚଳଚ୍ଚିତ୍ରଟି ଆଜି ମଧ୍ୟ ଦର୍ଶକଙ୍କ ବହୁତ ପସନ୍ଦ । ଅମିତାଭ ବଚ୍ଚନ ଏହି ଚଳଚ୍ଚିତ୍ରରେ ଡବଲ ରୋଲରେ ନଜର ଆସିଥିଲେ । ପୂରା ଫିଲ୍ମ ବାପା-ପୁଅ ସମ୍ପର୍କ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରରେ ଦକ୍ଷିଣ ଅଭିନେତ୍ରୀ ସୌନ୍ଦର୍ଯ୍ୟା ନିଜର ହିନ୍ଦୀ ଚଳଚ୍ଚିତ୍ର ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅମିତାଭଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ତାଙ୍କୁ ଏହି ଫିଲ୍ମରେ ରାଧା ସିଂ ଭୂମିକାରେ ଦେଖିବାକୁ ମିଳିଥିଲା।

ଏହି ଚଳଚ୍ଚିତ୍ରରେ ସୌନ୍ଦର୍ଯ୍ୟାଙ୍କ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଚଳଚ୍ଚିତ୍ର ସୌନ୍ଦର୍ଯ୍ୟାଙ୍କ ପ୍ରଥମ ବଲିଉଡ ଚଳଚ୍ଚିତ୍ର ଏବଂ ଶେଷ ମଧ୍ୟ ଥିଲା । ଖୁବ୍ କମ୍ ସମୟ ମଧ୍ୟରେ ସୌନ୍ଦର୍ଯ୍ୟା ଦୁନିଆରୁ ବିଦାୟ ନେଇଥିଲେ । ଅଭିନେତ୍ରୀ ହେବା ସୌନ୍ଦର୍ଯ୍ୟାଙ୍କ ସ୍ୱପ୍ନ ଥିଲା, ଯେଉଁ କାରଣରୁ ସେ ମେଡିକାଲ୍ ପାଠ ଛାଡି ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କର ଏହି ଉତ୍ସାହ ଦେଖି ତାଙ୍କ ବାପାଙ୍କ ବନ୍ଧୁ ତାଙ୍କୁ ପ୍ରଥମ ବ୍ରେକ୍ ଦେଇଥିଲେ ।

ସୌନ୍ଦର୍ଯ୍ୟା ୧୮ ଜୁଲାଇ ୧୯୭୨ରେ କର୍ଣ୍ଣାଟକର କୋଲାରରେ ଜଣେ ପ୍ରସିଦ୍ଧ କନ୍ନଡ ଚଳଚ୍ଚିତ୍ର ଅଭିନେତା, ଲେଖକ ତଥା ନିର୍ମାତା କେ.ଏସ୍ ସତ୍ୟନାରାୟଣଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ସୌନ୍ଦର୍ଯ୍ୟାଙ୍କ ପ୍ରକୃତ ନାମ ଥିଲା ସୌମ୍ୟା ସତ୍ୟନାରାୟଣ । ପିଲାଦିନରୁ ସେ ଚଳଚ୍ଚିତ୍ରକୁ ବହୁତ ଭଲ ପାଉଥିଲେ ଏବଂ ବଡ ହେବା ସହିତ ଚଳଚ୍ଚିତ୍ର ପ୍ରତି ତାଙ୍କର ପ୍ରେମ ଆହୁରି ବଢିଯାଇଥିଲା । ଯେତେବେଳେ ତାଙ୍କ ପିତାଙ୍କ ବନ୍ଧୁ ଫିଲ୍ମ ‘ଗାନ୍ଧର୍ଭା’ ଅଫର ଦେଇଥିଲେ ସେତେବେଳେ ସୌନ୍ଦର୍ଯ୍ୟା ମେଡିକାଲ୍ ପଢୁଥିଲେ । ହେଲେ ମଧ୍ୟ ସେ ସେହି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ତାହା ହିଟ୍ ହୋଇଗଲା । ଏହି ଚଳଚ୍ଚିତ୍ର ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ପରେ ତାଙ୍କୁ ଅନେକ ଫିଲ୍ମର ଅଫର ମିଳିଥିଲା ​​।

ସୌନ୍ଦର୍ଯ୍ୟା ଏକମାତ୍ର ଅଭିନେତ୍ରୀ ଥିଲେ ଯିଏ ଲଗାତାର ପାଞ୍ଚ ବର୍ଷ ଧରି ଦକ୍ଷିଣର ଏକ ନମ୍ବର ଷ୍ଟାର ହୋଇ ରହିଥିଲେ । ୧୯୯୯ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶମ’ ସହିତ ସୌନ୍ଦର୍ଯ୍ୟା ହିନ୍ଦୀ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲେ । ସୌନ୍ଦର୍ଯ୍ୟାଙ୍କୁ ଠିକ ଭାବରେ ହିନ୍ଦୀ ଜଣା ନଥିଲା, ତେଣୁ ରେଖା ଏହି ଚଳଚ୍ଚିତ୍ରରେ ସ୍ୱର ଦେଇଥିଲେ ।

ସୌନ୍ଦର୍ଯ୍ୟା ୨୦୦୪ ମସିହାରେ ବିଜେପିରେ ଯୋଗ ଦେଇଥିଲେ ଏବଂ ସେହି ବର୍ଷ ସେ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଏକ ବିମାନରେ ଯାତ୍ରା କରୁଥିଲେ । ବିମାନଟି ୧୦୦ ଫୁଟ ଉଚ୍ଚରେ ପହଞ୍ଚିବା ମାତ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ସୌନ୍ଦର୍ଯ୍ୟା, ତାଙ୍କ ସାନଭାଇ, ତେଲୁଗୁ ଚଳଚ୍ଚିତ୍ର ନିର୍ମାତା ଅମରନାଥ, ବିଜେପି ଯୁବ ନେତା, ରମେଶ କଦମ ଦୁର୍ଘଟଣାର ଶିକାର ହୋଇଥିଲେ ଏବଂ ପ୍ରାଣ ହରାଇଥିଲେ ।

ସମ୍ବନ୍ଧିତ ଖବର