ପତ୍ନୀଙ୍କ ଅର୍ଥ ହଡ଼ପ କରି ନିର୍ଯାତନା ଦେବା ମହଙ୍ଗା ପଡ଼ିଲା; ଓଡ଼ିଆ ବଲିଉଡ ସିନେମାଟୋଗ୍ରାଫରଙ୍କ ବିରୋଧରେ ମାମଲା ରୁଜ୍ଜୁ

ଭୁବନେଶ୍ୱର: ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଆଜି ବଲିଉଡ୍‌ ସିନେମାଟୋଗ୍ରାଫର ମନୋଜ ଖଟୋଇଙ୍କୁ ଅଟକ ରଖିଛି। ମନୋଜଙ୍କ ପତ୍ନୀ ପ୍ରୀତି ତାଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିବା ପରେ ପ୍ରୀତିଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱରର ମହିଳା ଥାନା ପୁଲିସ ସିନେମାଟୋଗ୍ରାଫର ମନୋଜଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ଆଜି ପତ୍ନୀ ପ୍ରୀତି ଭୁବନେଶ୍ୱର ମହିଳା ପୁଲିସ ଥାନାକୁ ଯାଇ ସିନେମାଟୋଗ୍ରାଫର ମନୋଜଙ୍କ ବିରୋଧରେ ଲିଖିତ ଅଭିଯୋଗ କରି କହିଥିଲେ ଯେ ପ୍ରାୟ ୧୯ ବର୍ଷ ପୂର୍ବେ ସେ ମନୋଜଙ୍କୁ ବିବାହ କରିଥିଲେ। ବିବାହ ପରେ ସ୍ୱାମୀ ମନୋଜ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଖାଲି ଏତିକି ନୁହେଁ; ସିନେମାଟୋଗ୍ରାଫର ସ୍ୱାମୀ ମନୋଜ ତାଙ୍କୁ ଠକେଇ କରି ତାଙ୍କ ଅଜାଣତରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଜରିଆରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ପ୍ରାୟ ୧.୫ କୋଟି ଟଙ୍କା ଠକି ନେଇଛନ୍ତି। ସେ ଗତ ୧୯ ବର୍ଷ ଧରି ମୋତେ ଅପମାନିତ କରି ଆସୁଛନ୍ତି। ମୁଁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁଁଛି ମୋ ପାଇଁ ଏବଂ ମୋ ପୁଅ ପାଇଁ ନ୍ୟାୟ ମାଗୁଛି।

ମନୋଜଙ୍କ ପୁଅ ମଧ୍ୟ ତାଙ୍କ ବିରୋଧରେ ଅଭିଯୋଗ ଆଣି କହିଛନ୍ତି, ‘ମୋ ବାପା ମୋ ସାମ୍ନାରେ ମା’ଙ୍କୁ ପିଟୁଛନ୍ତି। ସେ ବହୁତ କଷ୍ଟ ସହିଛନ୍ତି। ଯଦି ସେ ଚାହାନ୍ତି, ତେବେ ସେ ଏସବୁ ବନ୍ଦ କରି ଆସି ଆମ ସହିତ ଖୁସିରେ ରହିପାରନ୍ତି। ନଚେତ୍‌ ମା’ଙ୍କ ଠାରୁ ସେ ଛାଡପତ୍ର ନେଇପାରନ୍ତି। ସେ ଯାହା ଚାହାଁନ୍ତି ତାହା କରିପାରିବେ’ ବୋଲି କହିଛନ୍ତି ଅଭିଯୁକ୍ତ ମନୋଜଙ୍କ ପୁଅ।
ଏହାପୂର୍ବରୁ ଗତ ଅଗଷ୍ଟ ୨୫ରେ ପ୍ରୀତି ସିନେମାଟୋଗ୍ରାଫର ମନୋଜଙ୍କ ବିରୋଧେରେ ସମାନ ଅଭିଯୋଗ ଆଣି ନନ୍ଦନକାନନ ପୁଲିସ୍‌ ଥାନାକୁ ଯାଇଥିଲେ। ତେବେ, ନନ୍ଦନକାନନ ଥାନା ଇନ୍‌ସପେକ୍ଟର ଇନ୍‌-ଚାର୍ଜ (ଆଇଆଇସି) ଏଫ୍‌ଆଇଆରେ ତ୍ରୁଟି ଥିବା ଦର୍ଶାଇ ଅଭିଯୋଗ ପଞ୍ଜିକରଣ କରି ନଥିଲେ। ଆଇଆଇସି ତାଙ୍କୁ ଏକ ନୂତନ ଏଫ୍‌ଆଇଆର ଆଣି ଅଭିଯୋଗ କରିଥିଲେ। ଏହାପରେ ପ୍ରୀତି ଆଜି ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମନୋଜ ୨୦ରୁ ଅଧିକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ତା’ ମଧ୍ୟରେ ଅଛି ରଇସ୍‌, ଫକ୍ରେ, ତାଲାସ୍‌, ଡନ୍‌, ତାରେ ଜାମିନ୍‌ ପର ଏବଂ ଜୱାନୀ ଜାନେମନ ପ୍ରମୁଖ।

ସମ୍ବନ୍ଧିତ ଖବର