ମୁମ୍ବାଇ: ପରଲୋକରେ ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ର। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ହୋଇଥିଲା। ହେଲେ ପରିବାର ଲୋକେ ସେ ଜୀବିତ ଥିବା ସ୍ପଷ୍ଟ କରିଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଘରକୁ ଅଣାଯାଇଥିଲା। ଘରେ କିଛି ଦିନ ପରିବାର ଲୋକଙ୍କ ସହିତ ସମୟ ବିତାଇବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ୫୦ ଜଣ ଲୋକଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ବଲିଉଡ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଇନଷ୍ଟାରେ ପୋଷ୍ଟ କରିବା ପରେ ଏହା ସ୍ପଷ୍ଟ ହୋଇଛି। ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଅଭିନେତାଙ୍କ ଘରକୁ ଅନେକ ସେଲିବ୍ରିଟି ପହଞ୍ଚିବା ଆରମ୍ଭ କରିଛନ୍ତି। ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ଧଳା ଶାଢ଼ୀ ପିନ୍ଧିଥିବା ଦେଖିବାକୁ ମିଳିଛି। ଘର ବାହାରେ ଦିବଂଗତ ଅଭିନେତାଙ୍କ ନାତି କରଣ ଦେଓଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବହୁତ ଦୁଃଖିତ ଦେଖାଯାଉଛନ୍ତି।
ପୂର୍ବରୁ ମୃତ୍ୟୁକୁ ନେଇ ହୋଇଥିଲା ଗୁଜବ
ଧର୍ମେନ୍ଦ୍ରଙ୍କୁ ପୂର୍ବରୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନଭେମ୍ବର ୧୦ ତାରିଖରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବାରୁ ତାଙ୍କର ଦେହାନ୍ତ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ଏହି ଗୁଜବ ପରେ ଝିଅ ଈଶା ଦେଓଲ ଏବଂ ପତ୍ନୀ ହେମା ମାଳିନୀ ସୋସିଆଲ ମିଡିଆରେ ପୋଷ୍ଟ କରି ଖବର ମିଛ ବୋଲି କହିଥିଲେ।
ନିଶ୍ୱାସ ନେବାରେ କଷ୍ଟ ହେଉଥିଲା
ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁ ଧର୍ମେନ୍ଦ୍ରଙ୍କୁ କିଛି ଦିନ ତଳେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା। ବହୁ ବଲିଉଡ ଷ୍ଟାର ଧର୍ମେନ୍ଦ୍ରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ହସ୍ପିଟାଲକୁ ଆସିଥିଲେ। ସଲମାନ ଖାନ, ଶାହରୁଖ ଖାନ, ଆର୍ଯ୍ୟାନ ଖାନ, ଆମିର ଖାନ, ଗୋବିନ୍ଦା ଏବଂ ଅମିଷା ପଟେଲଙ୍କ ଭଳି ପ୍ରମୁଖ ଷ୍ଟାରମାନଙ୍କୁ ହସ୍ପିଟାଲ ବାହାରେ ଦେଖିବାକୁ ମିଳିଥିଲା।
ଆହୁରି ପଢ଼ନ୍ତୁ: Andhra Doctor Dies: US ଭିସା ଆବେଦନ ଖାରଜ ହେବା ପରେ ଜୀବନ ହାରିଲେ ଡାକ୍ତରାଣୀ
୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ। ସାତ ଦଶନ୍ଧିର କ୍ୟାରିଅରରେ, ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ "ଶୋଲେ", "ଚୁପକେ ଚୁପକେ", "ସୀତା ଔର ଗୀତା" ଏବଂ "ଧରମ ବୀର" ଭଳି ସୁପରହିଟ୍ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/24/untitled-9-2025-11-24-14-13-21.jpg)