ବଲିଉଡ୍‌ କଳାକାରଙ୍କ ପ୍ରଭାବ: ଦୁଇ ବର୍ଷରେ ଅଙ୍ଗଦାନ ଦେବାର ପ୍ରତିଜ୍ଞାରେ ୧୬୫୦୦ ପ୍ରତିଶତ ବୃଦ୍ଧି

ମୁମ୍ବାଇ : କଥାରେ ଅଛି ଅଙ୍ଗଦାନ ମହାପୁଣ୍ୟ । ଜଣେ ଲୋକ ନିଜର ଅଙ୍ଗଦାନ କରିବା ଦ୍ୱାରା ଅନ୍ୟ ଜଣେ ନୂଆ ଜୀବନ ପାଇଥାଏ । ଏହି କଥାକୁ ପୂର୍ବରୁ ଦେଶରେ ଖୁବ୍‌ କମ ଲୋକ ବୁଝୁଥିଲେ । ମୃତ୍ୟୁ ପରେ ସେମାନେ ନିଜ ନିଜ ସଂପର୍କୀୟଙ୍କ ଅଙ୍ଗକୁ ଦାନ ନ କରି ଶେଷକୃତ୍ୟ ସଂପନ୍ନ କରି ଦେଉଥିଲେ । ଯାହାଦ୍ୱାରା କିଛି ଲୋକ ଅଙ୍ଗ ଅଭାବରୁ ମୃତ୍ୟୁବରଣ କରୁଥିଲେ । ଦେଶର ଏହି ସମସ୍ୟାକୁ ଦୂର କରିବା ପାଇଁ ବଲିଉଡ୍‌ କଳାକାରମାନେ ଦୁଇ ବର୍ଷ ପୂର୍ବେ ଅଣ୍ଟା ଭିଡ଼ିଥିଲେ । ବଲିଉଡର ଆଗ ଧାଡ଼ିର ନାୟକ-ନାୟିକାମାନେ ନିଜର ଅଙ୍ଗଦାନ କରିବାର ପ୍ରତିଶ୍ରୁତି ଦେଇଥିବା ବେଳେ ଦୁଇ ବର୍ଷ ମଧ୍ୟ ଅଙ୍ଗଦାନ ହେବାର ପ୍ରତିଜ୍ଞା ପ୍ରାୟ ୧୬,୫୦୦ପ୍ରତିଶତ ବଢ଼ିଛି ି । ବଲିଉଡ଼ର ମିଷ୍ଟର ପର୍‌ଫେକ୍ଟ ଆମିର ଖାନ୍‌ ନିଜ ଶରୀରର ପ୍ରତିଟି ଅଙ୍ଗ ଦାନ କରିବା ପାଇଁ ପ୍ରତିଜ୍ଞା ଦେଇଥିବା ବେଳେ ନାୟିକା ସୋନାକ୍ଷୀ ସିହ୍ନା ଏବଂ ଏଶ୍ୱର୍ଯ୍ୟା ରାୟ ନିଜର ଚକ୍ଷୁଦାନ କରିବେ ବୋଲି ପ୍ରତିଜ୍ଞା ଦେଇଥିବା ଜଣାପଡ଼ିଛି । ଏମାନଙ୍କ ସମେତ ବଲିଉଡ଼ର ଅନେକ କଳାକାରମାନଙ୍କର ସାହାଯ୍ୟ ପାଇଁ ଦୁଇ ବର୍ଷ ମଧ୍ୟରେ ଅଙ୍ଗଦାନ କରିବାର ପ୍ରତିଜ୍ଞା ୧୬୫୦୦ପ୍ରତିଶତ ବୃଦ୍ଧି ପାଇ ପାରିଛି ବୋଲି ଜଣାପଡ଼ିଛି ।

DNA India

ନ୍ୟାସ୍‌ନାଲ ଅର୍‌ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍‌ଗାନାଇଜେସନ(ନୋଟୋ) ଦେଇଥିବା ରିପୋର୍ଟ ଅନୁଯାୟୀ, ଦୁଇ ବର୍ଷ ମଧ୍ୟରେ ଅଙ୍ଗଦାନ ଦେବାର ପ୍ରତିଜ୍ଞା ୯,୦୦୦ରୁ ବଢ଼ି ୧୫,୦୦,୦୦୦ରେ ପହଞ୍ଚିଛିି । ଏହା କେବଳ ବଲିଉଡ଼ କଳାକାରମାନଙ୍କ ପାଇଁ ସମ୍ଭବ ହୋଇ ପାରିଛି ବୋଲି ନୋଟେ ସଂସ୍ଥା ତରଫରୁ କୁହାଯାଇଛି । ବଲିଉଡ଼ କଳାକାରମାନଙ୍କୁ ନେଇ ଅଙ୍ଗଦାନର ସଚେତନତା କାର୍ଯ୍ୟକ୍ରମ କରାଯାଉଥିବାରୁ ଲୋକମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଛି । ନିଜ ନିଜ ପସନ୍ଦର କଳାକାରମାନଙ୍କୁ ଅଙ୍ଗଦାନର ପ୍ରତିଜ୍ଞା ନେଉଥିବା ଦେଖି ଲୋକମାନେ ଅନୁପ୍ରାଣୀତ ହେବା ସହ ନିଜେ ମଧ୍ୟ ସେହି କାମ କରିବାକୁ ପ୍ରତିଜ୍ଞା ନେଇଥିବା ଜଣାପଡ଼ିଛି । ଦୁଇ ବର୍ଷ ମଧ୍ୟ ଯେଉଁ ବୃଦ୍ଧି ହୋଇଛି ତାହାର ସବୁ ତକ ଶ୍ରେୟ ବଲିଉଡ୍‌ କଳାକାରମାନଙ୍କୁ ଯାଉଛି ବୋଲି ନୋଟୋ ସଂସ୍ଥା ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର