ମୁମ୍ବାଇ:  ବଲିଉଡ୍‌ ଅତ୍ୟନ୍ତ ନିଷ୍ଠୁର ଜଗତ। ଏଠାରେ କେତେବେଳେ କାହା ସହ କ’ଣ ଘଟିବ, ତାହା କହି ହେବ ନାହିଁ। ବଲିଉଡ୍‌ରେ ୨୫ବର୍ଷ ପୂରଣ କରିବା ଅବସରରେ ଅଭିନେତା ବବି ଦେୱଲ ଆଜି ଏପରି କହିଛନ୍ତି।  ନିଜ ବଲିଉଡ୍‌ ଯାତ୍ରା ବିଷୟରେ ଅଧିକ ଆଲୋଚନା କରି ସେ କହିଛନ୍ତି, ଦିନ ଥିଲା, ସୁପରହିଟ୍‌ ଚଳଚ୍ଚିତ୍ର ‘ଅଜ୍‌ନବୀ’ରେ ଅକ୍ଷୟ କୁମାରଙ୍କ ଚରିତ୍ର ମୋର କରିବାର ଥିଲା। କିନ୍ତୁ ପରେ ଅଲଗା ଚରିତ୍ରରେ ଅବତୀର୍ଣ୍ଣ ହେଲି। ଯାହା ପାଖକୁ ମୁଁ ଚଳଚ୍ଚିତ୍ରଟି କରିବା ପାଇଁ ଏହି ପ୍ରୋଜେକ୍ଟ ନେଇ ଯାଇଥିଲି, ସେମାନେ ଏହି ପ୍ରୋଜେକ୍ଟ ନିଜେ ତିଆରି କରିନେଲେ ଓ ମୋ ସ୍ଥାନରେ ଅକ୍ଷୟ କୁମାରଙ୍କୁ ନିଆଗଲା।

Advertisment

ସେହିପରି ଚଳଚ୍ଚିତ୍ର ‘ଜବ୍‌ ୱି ମେଟ୍‌’ ପାଇଁ ଶ୍ରୀଅଷ୍ଟବିନାୟକ ଷ୍ଟୁଡିଓ ମତେ ନାୟକ ଭାବେ ନେବାକୁ ଚାହୁଥିଲା। ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ ଥିଲା। ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ମୁଁ ଇମ୍‌ତିଆଜ୍‌ ଅଲ୍ଲୀଙ୍କ ନାଁ ନେଇଥିଲି। ନାୟିକା ଭୂମିକା‌‌ରେ କରୀନା କପୁରଙ୍କ ନାମ ପ୍ରସ୍ତାବ ଦେଇଥିଲି। କିନ୍ତୁ ଇମ୍‌ତିଆଜ୍‌ ଜଣେ ଦାମୀ ନିର୍ଦ୍ଦେଶକ ହୋଇଥିବାରୁ ପ୍ରଯୋଜକ ତାଙ୍କୁ ନେବାକୁ ମନା କରିଥିଲେ। କରୀନା ବି ଇମ୍‌ତିଆଜ୍‌ଙ୍କୁ ଭେଟିବାକୁ ଚାହୁ ନଥିଲେ। ପରେ ମୁଁ ପ୍ରୀତି ଜିଣ୍ଟାଙ୍କ ନାମ ପ୍ରସ୍ତାବ ଦେଇଥିଲି। ପ୍ରୀତି ଏହି ଚଳଚ୍ଚିତ୍ର କରିବାକୁ ରାଜି ହୋଇଥିଲେ ସତ, କିନ୍ତୁ ୬ ମାସ ପରେ ସୁଟିଂ କରିବାକୁ କହିଥିଲେ। ଫଳରେ ଚଳଚ୍ଚିତ୍ର ଅଟକି ଯାଇଥିଲା। ପରେ ଜାଣିବା‌କୁ ପାଇଲି, ଇମ୍‌ତିଆଜ୍‌ ଏହି ଚଳଚ୍ଚିତ୍ର କରୁଛନ୍ତି ଓ କରୀନା ମଧ୍ୟ ଏଥିରେ ନାୟିକା ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତ। ଦୁଃଖର କଥା ହେଲା, ସେତେବେଳେ କରୀନାଙ୍କ ପୁରୁଷ ବନ୍ଧୁ ସାହିଦ କପୁର ଥିବାରୁ କରୀନା ମତେ ହଟାଇ ଚଳଚ୍ଚିତ୍ରରେ ସାହିଦଙ୍କ ନାମ ପ୍ରସ୍ତାବ କରିଥିଲେ। ଏବେ ବି ଇମ୍‌ତିଆଜ୍‌ ଓ ମୁଁ ଭଲ ସାଙ୍ଗ। କିନ୍ତୁ ତାଙ୍କର ଏପରି ଧୋକା ପରେ ମୁଁ ଆଜି ଯାଏଁ ତାଙ୍କର କୌଣସି ଚଳଚ୍ଚିତ୍ର ଦେଖୁନାହିଁ।