ମୁମ୍ବାଇ: ବିଭିନ୍ନ ଭାଷାର ସିନେମା ମିଶାଇ ଭାରତରେ ବର୍ଷକୁ ଶହ ଶହ ସିନେମା ରିଲିଜ୍ ହେଉଛି। ଦେଖିବାକୁ ଗଲେ ସାରା ବିଶ୍ୱରେ ସବୁଠାରୁ ଅଧିକ ରିଲିଜ୍ ହେଉଛି ବଲିଉଡ୍ ଚଳଚ୍ଚିତ୍ର। ଯେହେତୁ ସିନେମା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଦେଶ ତେଣୁ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍(ସିବିଏଫ୍ସି) ସିନେମାକୁ ପରଖିବା ବେଳେ କୌଣସି ପ୍ରକାରର ସାଲିସ୍ କରିନଥାଏ। ସୁଟିଂ ହୋଇଥିବା ସବୁ ଚଳଚ୍ଚିତ୍ର ବା ଚଳଚ୍ଚିତ୍ରର ସମସ୍ତ ଦୃଶ୍ୟକୁ ପ୍ରଦର୍ଶିତ କରାଇବାର ଅନୁମତି ସେନ୍ସର୍ ବୋର୍ଡ ପ୍ରଦାନ କରିନଥାଏ। ଏମିତି ଅନେକ ଚଳଚ୍ଚିତ୍ର ରହିଛି ଯେଉଁଗୁଡ଼ିକୁ ସେନ୍ସର୍ ବୋର୍ଡ ପ୍ରାଥମିକ ସ୍ତରରୁ ରିଲିଜ୍ ହେବାକୁ ଅନୁମତି ଦେଇନଥିଲା। ପରେ ସଂଶୋଧନ ହେବା ପରେ ଯାଉ ଚଳଚ୍ଚିତ୍ରଗୁଡ଼ିକ ପରଦାକୁ ଆସିଥିଲା। ସେଗୁଡ଼ିକ ହେଲା...
‘ବଣ୍ଡିଟ୍ କୁଇନ୍’: ଅଶ୍ଳୀଳ ଭାଷା ଏବଂ ନଗ୍ନ ଦୃଶ୍ୟ ଥିବା ହେତୁ ପ୍ରାଥମିକ ଅବସ୍ଥାରେ ଫିଲ୍ମଟିକୁ ରିଲିଜ୍ ହେବାର ଅନୁମତି ମିଳିନଥିଲା।
‘ବ୍ଲାକ୍ ଫ୍ରାଇଡେ’: ଚଳଚ୍ଚିତ୍ରଟି ୧୯୯୩ ମସିହାରେ ମାଷ୍ଟର୍ ମାଇଣ୍ଡ୍ ଦାଉଦ ଇବ୍ରାହିମ୍ଙ୍କ ଦ୍ୱାରା ହୋଇଥିବା ମୁମ୍ବାଇ ବିସ୍ଫୋରଣ ଉପରେ ଆଧାରିତ ହୋଇଥିବାରୁ ଏହା ବିବାଦୀୟ ବୋଲି ଚିନ୍ତା କରି ଦୀର୍ଘ ୩ ବର୍ଷ ପର୍ଯ୍ୟନ୍ତ ସେନ୍ସର୍ ବୋର୍ଡ ଏହାକୁ ରିଲିଜ୍ କରାଇ ଦେଇନଥିଲା।
‘ଫ୍ୟାୟାର୍’: ଏହି ଚଳଚ୍ଚିତ୍ରଟିରେ ସମଲିଙ୍ଗୀ ସଂପର୍କ ପ୍ରଦର୍ଶିତ ହୋଇଥିବାରୁ ଏହା ବିବାଦ ପରିସରକୁ ଆସିଥିଲା। ଏଥିରେ ଦୁଇ ଲେସ୍ବିଆନ୍ ଭୂମିକା ନିଭାଇଲେ ସବାନା ଆଜମୀ ଏବଂ ନନ୍ଦିତା ଦାସ। ଚଳଚ୍ଚିତ୍ରଟି ନିର୍ଦ୍ଦିଷ୍ଟ କେତାଟି ହଲ୍ରେ ପଡ଼ିବା ପରେ ବିରୋଧ ହେବାରୁ ମାତ୍ର କିଛି ଦିନ ମଧ୍ୟ ଉଠି ଯାଇଥିଲା।
‘ଗାଣ୍ଡୁ’: ଏହି ଚଳଚ୍ଚିତ୍ରଟିରେ କେତକ ନଗ୍ନ ଦୃଶ୍ୟ ଏବଂ ମୁଖ ମୈଥୁନ ଦୃଶ୍ୟ ଥିବାରୁ ଏହାକୁ ମଧ୍ୟ ସେନ୍ସର୍ ବୋର୍ଡ ପ୍ରଦର୍ଶନ ଅନୁମତି ଦେଇନଥିଲା।
‘ହାଓ୍ଵା ଆନି ଡେ’: ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକଙ୍କୁ ସେନ୍ସର୍ ବୋର୍ଡ କେତୋଟି ଦୃଶ୍ୟ କାଟିବାକୁ ପରାମର୍ଶ ଦେଇଥିଲା। ମାତ୍ର ନିର୍ଦ୍ଦେଶକ ଏହାକୁ ଅବମାନନା କରିବାରୁ ଏହାକୁ ବ୍ୟାନ୍ କରାଯାଇଥିଲା।
‘ଲିପ୍ଷ୍ଟିକ୍ ଅଣ୍ଡର୍ ମାଇଁ ବୁର୍ଖା’: ଏଥିରେ ଅଶ୍ଳୀଳ ଶବ୍ଦ, ଅଶ୍ଳୀଳ ଦୃଶ୍ୟ ଥିବାରୁ ଏହାକୁ ସେନ୍ସର୍ ବୋର୍ଡ ପ୍ରଥମରୁ ନିଷେଧ କରି ଦେଇଥିଲା। ପରେ ଏହି ଚଳଚ୍ଚିତ୍ରକୁ ‘ଇଣ୍ଟର୍ ନ୍ୟାସ୍ନାଲ୍ ଫିଲ୍ମ ଫେଷ୍ଟିଭାଲ୍’ ଏବଂ ‘ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ୍’ ଆଓ୍ଵାର୍ଡ ମିଳିଥିଲା।
‘ଗୁଲାବି ଆଇନା’: ଚଳଚ୍ଚିତ୍ରଟି ତୃତୀୟଲିଙ୍ଗୀମାନଙ୍କ ଉପରେ ଆଧାରିତ। ସେମାନେ କିପରି ପୁରୁଷମାନଙ୍କୁ ସେକ୍ସ ପାଇଁ ପ୍ରଲୋଭିତ କରାଇଥାନ୍ତି ସେ ସଂପର୍କରେ ଦର୍ଶାଯାଇଛି। ଅବଶ୍ୟ ଏହା କୌଣସି ସିନୋମା ହଲ୍ରେ ଦେଖିବାକୁ ମିଳିନାହିଁ ମାତ୍ର ଅନେକ ଆଓ୍ଵାର୍ଡ ଜିତିଛି।
ଏହି ଚଳଚ୍ଚିତ୍ରଗୁଡ଼ିକ ବ୍ୟତୀତ ‘ପେଡ୍ଲ୍ରସ୍’, ‘ଅନ୍ ଫ୍ରିଡମ୍’, ‘ଓ୍ଵାଟର୍’ ଇତ୍ୟାଦି ଅନେକ ଚଳଚ୍ଚିତ୍ର ରିଲିଜ୍ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।