ଶଶୀଙ୍କ ପରଲୋକରେ ଶୋକର ଛାୟା, ଶ୍ରଦ୍ଧାଞ୍ଜଳି ଜଣାଇଲା ବଲିଉଡ୍‌

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍‌ ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ଶଶୀ କପୁର୍‌ଙ୍କର ଆଜି ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲ୍‌ରେ ଦେହାନ୍ତ ହୋଇଛି। ତାଙ୍କର ମୃତ୍ୟୁରେ ଅଭିନୟ ଦୁନିଆ ଶୋକାଭିଭୂତ ହୋଇପଡ଼ିଛି। ଦୀର୍ଘଦିନ ଧରି ଅସୁସ୍ଥଥିବା ଏହି ବର୍ଷିଆନ୍‌ ସିନେ-ବ୍ୟକ୍ତତ୍ୱଙ୍କର ବିୟୋଗରେ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ଘଟିଛି।


୧୯୩୮ ମସିହା ମାର୍ଚ ୧୮ ତାରିଖରେ ଶଶୀ କୋଲକାତାଠାରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ଅଭିନୟ ଜଗତର କିମ୍ବଦନ୍ତୀ ପୁରୁଷ ପୃଥ୍ଵୀରାଜ କପୁରଙ୍କର ତୃତୀୟ ଏବଂ ସର୍ବକନିଷ୍ଠ ପୁତ୍ର। ଶଶୀ କେବଳ ଅଭିନେତା ନ ଥିଲେ, ଜଣେ ଭଲ ନିର୍ଦ୍ଦେଶକ ଓ ପ୍ରଯୋଜକ ମଧ୍ୟ ଥିଲେ । ସେ ୧୬୦ରୁ ଅଧିକ ହିନ୍ଦୀ ଓ ଇଂରାଜୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରି ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ।

୧୯୬୧ ମସିହାରେ ‘ଧର୍ମପୁତ୍ର’ ଚଳଚ୍ଚିତ୍ର ଜରିଆରେ ଶଶୀ କପୁର ନାୟକ ଭାବେ ହିନ୍ଦୀ ଛବି ଜରିଆରେ ପ୍ରବେଶ କରିଥିଲେ। ଏହାର ସଫଳତା ତାଙ୍କୁ ଲୋକପ୍ରିୟତା ହାସଲ କରିବାରେ ସମର୍ଥ କରିଥିଲା। ସେ ସମୁଦାୟ ୧୧୬ଟି ହିନ୍ଦୀ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛନ୍ତି। ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ଅଭିନୟ କରିବାରେ ଶଶୀ ହେଉଛନ୍ତି ପ୍ରଥମ ଭାରତୀୟ ଅଭିନେତା। ଷାଠିଏ ଦଶକରେ ସେ ଅଭିନୟ କରିଥିବା ବହୁ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ମହବତ୍‌ ଇସ୍‌କୋ କେହେତେ ହେଁ’, ‘ଜବ୍‌ ଜବ୍‌ ଫୁଲ୍‌ ଖିଲେ’, ‘ନିନ୍ଦ୍‌ ହମାରି ଖ୍ଵାବ୍‌ ତୁହ୍ମାରେ’, ‘ରାଜା ସହେବ’, ‘ରୁଠା ନା କରୋ’ ଇତ୍ୟାଦି। ସେ ବହୁ ପରିଚିତ ଅଭିନେତ୍ରୀ ରାକ୍ଷୀ, ଶର୍ମିଳା ଟାଗୋର, ଜିନତ୍‌ ଅମନ, ହେମା ମାଳିନୀ, ପର୍‌ବିରନ୍‌ ବାବି, ମୌସୁମୀ ଚାଟାର୍ଜୀ ଆଦିଙ୍କ ବିପକ୍ଷରେ ଅଭିନୟ କରି ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି।


ସେ ଶିଶୁ କଳାକାର ଭାବେ ପ୍ରଥମେ ୧୯୪୦ ମସିହାରେ ପରଦାରେ ଦେଖିବାକୁ ମିଳିଥିଲେ। ବଡ଼ଭାଇ ରାଜ କପୁରଙ୍କ ଅଭିନୀତ ‘ଆଗ୍‌(୧୯୪୮) ଓ ‘ଆଓ୍ଵାରା(୧୯୫୧)’ ଚଳଚ୍ଚିତ୍ରରେ ଅଭିନୟ କରି ସେ ଜଣେ ପ୍ରତିଭାବାନ୍‌ ଶିଶୁ କଳାକାରର ପରିଚୟ ସୃଷ୍ଟି କରିପାରିଥିଲେ। ଏହାବାଦ୍‌ ସେ ତାଙ୍କ ବାପା ପୃଥ୍ଵୀରାଜ କପୁର୍‌ଙ୍କ ପ୍ରଯୋଜିତ-ନିର୍ଦ୍ଦେଶିତ କେତେକ ଚଳଚ୍ଚିତ୍ରରେ ପ୍ରଥମେ ଶିଶୁ କଳାକାର ଭାବେ ଦେଖିବାକୁ ମିଳିଥିଲେ।

ଯେଉଁ ଚଳଚ୍ଚିତ୍ରଗୁଡ଼ିକ ତାଙ୍କୁ ଲୋକପ୍ରିୟତାର ଶୀର୍ଷକୁ ନେଇ ଯାଇଥିଲା ସେଗୁଡ଼ିକ ଭିତରେ ରହିଛି ‘ଜବ୍‌ ଜବ୍‌ ଫୁଲ୍‌ ଖିଲେ’, ‘ଶର୍ମିଲେ’, ‘ଦିଓ୍ଵାର୍‌’, ‘ନମକ ହଲାଲ’, ‘ପ୍ୟାର୍‌କା ମୌସମ’, ‘ଓ୍ଵକ୍ତ’, ‘ସତ୍ୟମ ଶିବମ୍‌ ସୁନ୍ଦରମ୍‌’, ‘ତ୍ରିଶୁଲ’ ଓ ‘ସୁହାଗ’ ଇତ୍ୟାଦି।


ଅଭିନୟ କ୍ଷେତ୍ରରେ ସଫଳତା ଲାଗି ସେ ବହୁ ସମ୍ମାନଜନକ ପୁରସ୍କାର ଲାଭ କରିଛନ୍ତି। ସେଥି ମଧ୍ୟରେ ରହିଛି ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡର ସ୍ପେସିଆଲ୍‌ ଜୁରି ପୁରସ୍କାର(୧୯୯୪), ନ୍ୟାସ୍‌ନାଲ ଫିଲ୍ମ ଆଓ୍ଵାର୍ଡରେ ଶ୍ରେଷ୍ଠ ଅଭିନେତା ପୁରସ୍କାର(୧୯୮୬), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ଫିଲ୍ମ ଫେୟାର୍‌ ପୁରସ୍କାର(୧୯୭୬) ଓ ୧୯୮୦ ଏବଂ ୧୯୮୨ ମସିହାରେ ଶ୍ରେଷ୍ଠ ଅଭିନୟ ପାଇଁ ଫିଲ୍ମ ଫେୟାର୍‌ ପୁରସ୍କାର ରହିଛି। ୨୦୧୧ରେ ତାଙ୍କୁ ଭାରତ ସରକାର ସମ୍ମାନଜନକ ‘ପଦ୍ମଭୂଷଣ’ ଉପାଧୀ ପ୍ରଦାନ କରିଥିବା ବେଳେ ୨୦୧୫ରେ ଚଳଚ୍ଚିତ୍ର ଜଗତର ଶ୍ରେଷ୍ଠ ସ୍ୱୀକୃତୀ ଦାଦା ସାହେବ ଫାଲ୍‌କେ ପୁରସ୍କାର ତାଙ୍କୁ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର