କୃଷକ ଆନ୍ଦୋଳନକୁ ବଲିଉଡ୍‌ ସମର୍ଥନ

କୃଷି ଆଇନ ପ୍ରତ୍ୟାହାର କରିବା ଦାବିରେ ଚାଲିଥିବା କୃଷକ ଆନ୍ଦୋଳନକୁ ବଲିଉଡ୍‌ର ସମର୍ଥନ ମିଳିଛି। ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଓ ସୋନୁ ସୁଦ୍‌ଙ୍କ ଭଳି ବଡ଼ ବଡ଼ କଳାକାରଙ୍କ ନାମ ମଧ୍ୟ ଏଥିରେ ଯୋଡ଼ି ହୋଇଯାଇଛି। ଏଥିସହ ବିଜେପି ସାଂସଦ ତଥା ଅଭିନେତା ସନ୍ନି ଦେଓଲ ମଧ୍ୟ କୃଷକ ଆନ୍ଦୋଳନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା ଚୋପ୍ରା କଣ୍ଠଶିଳ୍ପୀ ଦିଲଜିତଙ୍କ ଏକ ଟ୍ୱିଟକୁ ରିଟ୍ବିଟ୍‌ କରି ଲେଖିଛନ୍ତି ‘କୃଷକ ଦେଶର ଖାଦ୍ୟ ସୈନିକ। ସେମାନଙ୍କର ଭୟ ଦୂର ହେବା ଆବଶ୍ୟକ। ସେମାନଙ୍କର ଆଶା ପୂରଣ ହେବା ଆବଶ୍ୟକ। ଏକ ବିକାଶଶୀଳ ଗଣତନ୍ତ୍ର ଭାବେ ଆମକୁ ନିଶ୍ଚିତ କରିବାକୁ ପଡ଼ିବ ଯେ ଏହି ସଙ୍କଟ ଯଥାଶୀଘ୍ର ଶେଷ ହେବ।’ ଅଭିନେତ୍ରୀ ପରିଣିତି ଚୋପ୍ରା ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଲେଖିଛନ୍ତି ଯଦି ଆପଣ ରାତ୍ରିଭୋଜନ କରି ସାରିଛନ୍ତି ତା’ହେଲେ କୃଷକଙ୍କୁ ଧନ୍ୟବାଦ ଜଣାନ୍ତୁ। ସେହିପରି ସୋନୁ ସୁଦ୍‌ ଲଗାତାର ଚାଷୀଙ୍କ ସପକ୍ଷରେ ଟୁଇଟ୍ କରୁଛନ୍ତି।

ସୋନୁ ଲେଖିଥିଲେ କୃଷକଙ୍କ ମୂଲ୍ୟ ପିତାମାତାଙ୍କଠାରୁ କମ୍ ନୁହେଁ। ଆଉ ଏକ ଟ୍ବିଟ୍‌ରେ ସୋନୁ ଲେଖିଥିଲେ, କୃଷକ ଅଛନ୍ତି ତ ଆମେ ଅଛେ। ସେହିପରି ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲ କହିଛନ୍ତି, କୃଷକ ଓ ସରକାରଙ୍କ ଏହା ପାରସ୍ପରିକ ମାମଲା। ଅନ୍ୟମାନେ ଏଥିରେ ଆସିବା ଉଚିତ ନୁହେଁ। କିଛି ଲୋକ ଏହାର ଲାଭ ଉଠାଇବାକୁ ଚାହାନ୍ତି। କିଛି ଲୋକ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି। ମୁଁ ସବୁବେଳେ କୃଷକମାନଙ୍କ ସହ ଅଛି ଓ ରହିବି। ଆମ ସରକାର ସବୁବେଳେ ଚାଷୀଙ୍କ ବିଷୟରେ ଚିନ୍ତା କରିଆସୁଛନ୍ତି ଓ ଖୁବ୍‌ଶୀଘ୍ର ଏହାର ସମାଧାନ ଖୋଜିବେ ବୋଲି ସନ୍ନି ଟ୍ବିଟ୍ କରିଛନ୍ତି।

ସମ୍ବନ୍ଧିତ ଖବର