ବହୁମୁଖୀ ପ୍ରତିଭା ସଂପନ୍ନ କଳାକାର ସଞ୍ଜୀବ କୁମାରଙ୍କ ପ୍ରକୃତ ନାମ ହେଲା ହରିହର ଜେଠଲାଲ ଜରିଓ୍ଵାଲା । ତାଙ୍କର ଜନ୍ମ ୧୯୩୮ ମସିହା ଜୁଲାଇ ୯ ତାରିଖରେ ଗୁଜୁରାଟର ସୁରାଟରେ ହୋଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ପରିବାର ମୁମ୍ବାଇ ଚାଲି ଆସିଥିଲା । ସେ ମୁମ୍ବାଇରେ ପଦାର୍ପଣ କରିବା ପରେ ସିନେମାରେ ସକ୍ରିୟ ହୋଇଥିଲେ ।ତାଙ୍କର ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ଅଙ୍ଗୁର୍, ଆନ୍ଧି, ଦସ୍ତକ, କୋଶିସ, ଶୋଲେ, ତ୍ରିଶୂଲ୍, ମୌସମ୍, ଆପକି କସମ୍, ସୀତା ଔର ଗୀତା, ନମକିନ୍, ପତି ପତ୍ନୀ ଔର ହେ ବିଧାତା ଓ ହିରୋ ଇତ୍ୟାଦି ।
ସଞ୍ଜୀବ କୁମାର ତାଙ୍କ ଜୀବନ ପରିଧିକୁ ଆସିଥିବା ମହିଳା ମାନଙ୍କୁ ସର୍ବଦା ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ସେଇଥିପାଇଁ ତାଙ୍କ ମାଆ ସବୁବେଳେ କହୁଥିଲେ ଯେ ଏତେ ସନ୍ଦେହ କରିବୁ ତ ରହିଯିବୁ । ଆଉ ମାଆଙ୍କ କଥା ସତ ହୋଇଥିଲା । ଜଣେ ସଫଳ, ସୁନ୍ଦର ଓ ଧନୀ ବ୍ୟକ୍ତି ହୋଇ ବି ସଞ୍ଜୀବ ହାତକୁ ଦି ହାତ ହୋଇପାରି ନ ଥିଲେ । ମାତ୍ର ୪୭ ବର୍ଷରେ ମୃତ୍ୟୁବରଣ କରିଥିବା ସଞ୍ଜୀବ କୁମାର ଅବିବାହିତ ରହିବାର ଆଉ ଏକ କାରଣ ହେଲା ସେ ଡ୍ରିମ୍ ଗର୍ଲ ହେମା ମାଳିନୀଙ୍କୁ ପାଗଳ ଭଳି ଭଲ ପାଉଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ, ମାତ୍ର ହେମା ମନା କରିବାରୁ ସେ ବାହା ନ ହେବାର ପ୍ରତିଜ୍ଞା କରିଥିଲେ । ଆଉ କେହି କେହି କହନ୍ତି ଯେ ସେ ଭାରି କଂଜୁସ୍ ଥିଲେ। ଏହି ଗୁଣ ଯୋଗୁଁ ସେ ପ୍ରେମରେ ଅସଫଳ ହୋଇଥିଲେ।