ନୂଆଦିଲ୍ଳୀ: ସୁଶାନ୍ତ ସିଂହ ରାଜପୁତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଜାଲ୍ ପ୍ରେସକ୍ରିପସନ୍ ବନାଇଛନ୍ତି ବୋଲି ତାଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ନାମରେ ଆସିଥିବା ଅଭିଯୋଗକୁ ଖାରଜ କରିବାକୁ ମନା କରି ଦେଇଛନ୍ତି ବମ୍ବେ ହାଇକୋର୍ଟ। ଜଷ୍ଟିସ୍ ଏସ୍ ଏସ୍ ସିନ୍ଧେ ଓ ଏମ୍ ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ସୁଶାନ୍ତଙ୍କ ଅନ୍ୟ ଜଣେ ଭଉଣୀ ମିତୁ ସିଂହଙ୍କ ନାମରେ ରହିଥିବା ଅଭିଯୋଗକୁ କିନ୍ତୁ ଖାରଜ କରି ଦେଇଛନ୍ତି। ଏହି ଅଭିଯୋଗ ଆଧାରିତ ମାମଲା ଖାରଜ କରିବା ଲାଗି ସୁଶାନ୍ତଙ୍କ ଭଉଣୀ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ପ୍ରିୟଙ୍କା ସିଂହଙ୍କ ବିରୋଧରେ ଯେପରି ଅଭିଯୋଗ ରହିଛି ମିତୁ ସିଂହଙ୍କ ବିରୋଧରେ ସେପରି ଅଭିଯୋଗ ନାହିଁ। ପୂର୍ବରୁ ଦୁଇ ଭଉଣୀଙ୍କ ନାମରେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଜାଲ୍ ପ୍ରେସକ୍ରିପସନ୍ ପ୍ରସ୍ତୁତ କରିଥିବା ଅଭିଯୋଗ ଆସିବା ପରେ ସେମାନେ ଏହି ଅଭିଯୋଗକୁ ଖାରଜ କରିବାକୁ ଅଦାଲତରେ ନିବେଦନ କରିଥିଲେ।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଦେ ଦିବଗଂତ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀ ଗତବର୍ଷ ସେପ୍ଟେମ୍ବର ୭ ତାରିଖରେ ବାନ୍ଦ୍ରା ପୁଲିସ୍ ଷ୍ଟେସନ୍ରେ ପ୍ରିୟଙ୍କା ସିଂହ, ମିତୁ ସିଂହ ଓ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାରଙ୍କ ନାମରେ ଅଭିଯୋଗ ଆଣିବା ପରେ ମାମଲା ରୁଜୁ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ଜୁନ୍ ୧୪ ତାରିଖରେ ଅଭିନେତା ସୁଶାନ୍ତଙ୍କ ସିଂହଙ୍କ ମୃତଦେହ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପିତା କେକେ ସିଂହ ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ନାମରେ ପ୍ରତାରଣା ଓ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗ ଆଣିଥିଲେ।