‘ବୋଉ ବୁଟ୍ଟୁ ଭୂତ’ର ସଫଳତା ପରେ ଏବେ ପୁଣି କେତୋଟି ଓଡ଼ିଆ ଛବି ପରଦାକୁ ଆସୁଛି, ଯାହାର କାହାଣୀ ‘ଭୂତ’ ଉପରେ କେନ୍ଦ୍ରୀଭୂତ।

Advertisment

ଶିବଶଙ୍କର ଓଝା

‘ବୋଉ ବୁଟ୍ଟୁ ଭୂତ’ର ବଡ଼ ସଫଳତା ପରେ ଏବେ ଭୂତ କାହାଣୀ ପ୍ରଯୋଜକ-ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୁକ୍ତି ପ୍ରତୀକ୍ଷାରେ ଥିବା ‘ଦର୍ପଣ’, ‘ଅପେକ୍ଷା’, ‘ମନ୍ତ୍ରମୁଗ୍ଧ’, ‘ଦାହାନ୍‌’ ଓ ‘ମିଡ୍‌ନାଇଟ୍‌’ ଆଦି ୫ଟି ଓଡ଼ିଆ ଛବିର କାହାଣୀର କେନ୍ଦ୍ରରେ ରହିଛି ଭୂତ। ଏହି କ୍ରମରେ ଆସେ ସାୟନ୍ ପ୍ରଡକ୍ସନ୍‌ ହାଉସ୍ ନିବେଦିତ ଓଡ଼ିଆ ହରର୍ ଥ୍ରିଲର୍ ‘ଦର୍ପଣ’। ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଥିବା ‘ଦର୍ପଣ’ର ସେନ୍‌ସର୍ ସରି ଏହାକୁ ‘ଏ’ ସାର୍ଟିଫିକେଟ୍ ମିଳିଛି। ଏହି ସିନେମାର କାହାଣୀ ଓ ପ୍ରଯୋଜନା ଦାୟିତ୍ବରେ ଅଛନ୍ତି ଦିଲୀପ କୁମାର ସାହୁ ଓ ନିର୍ଦ୍ଦେଶନା ଦେଇଛନ୍ତି ଭାରତ ପୁଷ୍ପରାଗ ଏବଂ ଟେକ୍‌ନିକାଲ୍‌ ସପୋର୍ଟ ଡାଇରେକ୍ଟର୍‌ ଅଛନ୍ତି ଆନନ୍ଦ କୁମାର। ‘ଦର୍ପଣ’ର କାହାଣୀ ଅନୁଯାୟୀ, ପ୍ରେମିକ ତା’ର ଗର୍ଭବତୀ ପ୍ରେମିକାକୁ ଏକ ଦର୍ପଣର କାଚରେ ହତ୍ୟା କରେ। ତା’ପରେ ପ୍ରେମିକାର ଆତ୍ମା ଦର୍ପଣ ଭିତରେ ରହିଯାଏ। ପରେ  ସେହି ଦର୍ପଣ ଭୂତ ସାଜି ପ୍ରେମୀଯୁଗଳଙ୍କୁ ହଇରାଣ କରେ ଓ ପ୍ରତିଶୋଧ ନିଏ। ଏହି ଚଳଚ୍ଚିତ୍ରରେ ଅଙ୍କିତ କୁମାର୍, ଭାରତ, ତୃପ୍ତି ମୀରମ୍ବିକା ଓ ହିରଣ୍ମୟୀ, ପ୍ରଦ୍ୟୁମ୍ନ ଲେଙ୍କା, ରାନୁ ପାଢ଼ୀ, କାଳୀ ଚରଣ, ଲଲାଟ ଓ ପ୍ରଜ୍ଞା ପ୍ରମୁଖ ଅଭିନୟ କରିଛନ୍ତି।

ସେହିପରି ବର୍ଷା ପଟ୍ଟନାୟକ ଓ ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ଏକ ହରର୍ କମେଡି। ଅଫିସ୍‌ର ତିନି କର୍ମଚାରୀ ଏକ ସ୍ଥାନକୁ ଅବସର ବିତାଇବାକୁ ଯାଇଥିବା ବେଳେ ସେଠାରେ ଭୂତର ଆବିର୍ଭାବ ଘଟୁଛି। ଭୂତକୁ ଦେଖିବା ପରେ ଭୟାର୍ତ୍ତ ଅବସ୍ଥାରେ ସେମାନେ ଯେଉଁ କାର୍ଯ୍ୟକଳାପ ପ୍ରଦର୍ଶନ କରୁଛନ୍ତି, ତାହା  ହାସ୍ୟରସ ସୃଷ୍ଟି କରୁଛି। ଅନୁପମ ପଟ୍ଟନାୟକଙ୍କ ଏହି ସିନେମାରେ ସନୋଜ କୁମାର, ମନ୍ମୟ ଦେ, ସାର୍ଥକ ଭରଦ୍ୱାଜ, ଦ୍ୱୀପନ୍ୱିତ ଦାଶ ମହାପାତ୍ର, ଭୂମିକା ଦାଶ, ସୂର୍ଯ୍ୟମୟୀ ମହାପାତ୍ର, ହର ରଥ, ଚୌଧୁରୀ ଜୟପ୍ରକାଶ ଦାସ, ନିଶାନ୍ତ ମଜିଠିଆ, ସୋମା ହୋତା, ଭକ୍ତି ଦାସ, ପିହୁ ମହାପାତ୍ର ଓ ମିଷ୍ଟର୍‌ ରାଉତ ପ୍ରମୁଖ ଅଭିନୟ କରିଛନ୍ତି। ସେହିପରି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ତଥା ମୁକ୍ତି ପ୍ରତୀକ୍ଷିତ ‘ଦାହାନ୍‌’ବି ଏକ ହରର୍‌ ସିନେମା। ଏଥିରେ ପାର୍ଥସାରଥୀ, ବର୍ଷା ପଟ୍ଟନାୟକ ଓ ଅରୋଶିଖା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ନାୟକ ଜଣେ ଉଦୀୟମାନ ଅଭିନେତା ଆଉ ନାୟିକା ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ। ନାୟିକା ଦେହରେ ଭୂତ ଲଗେ। ଭୂତ ଲାଗିଥିବା ସମୟରେ ଉଭୟଙ୍କ ପ୍ରେମ ସଂପର୍କ ଆରମ୍ଭ ହୁଏ। ତା’ପରେ ସେମାନଙ୍କ ପ୍ରେମକାହାଣୀ କେଉଁ ରୂପ ନିଏ, ତାହା ଦେଖିବାକୁ ମିଳିବ କେ ତମନ୍ନାଙ୍କ ପ୍ରଯୋଜିତ ତଥା ଆନନ୍ଦ କୁମାରଙ୍କ ନିର୍ଦ୍ଦେଶିତ ‘ଅପେକ୍ଷା’ରେ। ଏହି ସିନେମାରେ ସାର୍ଥକ, ଶୁଭାଙ୍ଗୀ, ଚୌଧୁରୀ ବିକାଶ ଦାସ, ପୁ‌ଷ୍ପା ପଣ୍ଡା, ପ୍ରଦୀପ ଦେବତା, ରତନ ମେହେର, ଶକ୍ତି ବରାଳ ଓ ରମେଶ ପ୍ରମୁଖ ଅଭିନୟ କରିଛନ୍ତି।

ରିଲିଜ୍‌ ଅପେକ୍ଷାରେ ଥିବା ରହସ୍ୟ ରୋମାଞ୍ଚଧର୍ମୀ ଓଡ଼ିଆ ସିନେମା ‘ମିଡ୍‌ ନାଇଟ୍’ ବି ଏକ ଭୌତିକ କାହାଣୀ। ମନୁ ଦ୍ବିବେଦୀଙ୍କ ପ୍ରଯୋଜିତ-ନିର୍ଦ୍ଦେଶିତ ଏହି ସିନେମାର କାହାଣୀ ତିନିଜଣ ଯୁବତୀଙ୍କ ଉପରେ ପର୍ଯ୍ୟବସିତ। ତିନି ଯୁବତୀ ଗୋଟିଏ ଘରେ ରହନ୍ତି। ସେଠି ସେମାନେ ହଠାତ୍‌ ଏକ ଭୂତକୁ ଦେଖନ୍ତି! ତା’ପରେ ପ୍ରକୃତରେ ଭୂତ କିଏ ଓ କାହିଁକି ସେ ଏଭଳି ରୂପ ନେଇଥାଏ ତାହା ସିନେମାର କ୍ଲାଇମାକ୍ସରେ ଉନ୍ମୋଚିତ ହେ‌ାଇଛି। ଏଥିରେ ମନୁ ଦ୍ବିବେଦୀ, ପ୍ରତିଭା ପଣ୍ଡା, ଦେବୁ ବ୍ରହ୍ମା, ଆଲିଆ ଓ ଅକ୍ଷୟ ବସ୍ତିଆ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।