ବକ୍ସ ଅଫିସରେ ଭିକି କୌଶଲଙ୍କୁ ଜୋରଦାର ଟକ୍କର ଦେଉଛନ୍ତି ଆୟୁଷ୍ମାନ

ରିଲିଜର ଦ୍ଵିତୀୟ ଦିନରେ 'ଭୁତ' ତୁଳନାରେ ଭଲ ବ୍ୟବସାୟ କଲା 'ଶୁଭ ମଙ୍ଗଲ ଜ୍ୟାଦା ସାବଧାନ'

ମୁମ୍ବାଇ: ଏଥର ଫ୍ରାଇଡେ ରିଲିଜରେ ପରଦାକୁ ଦୁଇଟି ବଲିଉଡ ଫିଲ୍ମ ଆସିଥିଲା | ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ସିନେମା ଶୁଭ ମଙ୍ଗଲ ଜ୍ୟାଦା ସାବଧାନକୁ ଟକ୍କର ଦେବାକୁ ରିଲିଜ ହୋଇଥିଲା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ଭୂତ-ଦ ହଂଟେଡ ସିପ୍ | ରିଲିଜ ହେବାର ଦୁଇ ଦିନ ମଧ୍ୟରେ ଫିଲ୍ମ ଭୂତ-ଦ ହଂଟେଡ ସିପ୍ ସମୁଦାୟ ୧୦ କୋଟି ୬୨ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବାବେଳେ ଶୁଭ ମଙ୍ଗଲ ଜ୍ୟାଦା ସାବଧାନ ପାଖାପାଖି ୨୦ କୋଟି ୬୩ ଲକ୍ଷ ଟଙ୍କାର ବ୍ୟବସାୟ କରିଛି | ଶୁଭ ମଙ୍ଗଲ ଜ୍ୟାଦା ସାବଧାନର କଥା କହିବାକୁ ଗଲେ ୨୦୧୭ରେ ରିଲିଜ ଶୁଭମଙ୍ଗଲ ସାବଧାନର ସିକ୍ୱେଲ ଭାବେ ଏହି ସିନେମା ନିର୍ମାଣ ହୋଇଛି |

ସମଲିଙ୍ଗୀଙ୍କ ପ୍ରେମକଥାକୁ ନେଇ ଆସିଛି ବଲିଉଡର କମେଡି ଡ୍ରାମା ଚଳଚ୍ଚିତ୍ର ଶୁଭମଙ୍ଗଲ ଜ୍ୟାଦା ସାବଧାନ । ଶୁଭ ମଙ୍ଗଲ ଜ୍ୟାଦା ସାବଧାନର କାହାଣୀରେ ରହିଛି ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସମଲିଙ୍ଗୀଙ୍କ ପ୍ରସଙ୍ଗ । ଯାହାକୁ କମେଡି ଅନ୍ଦାଜରେ ପରଷିଛନ୍ତି ଫିଲ୍ମ ନିର୍ଦ୍ଦେଶକ ହିତେଶ କୈବଲ୍ୟ । ଫିଲ୍ମରେ ମୁଖ୍ୟ ଭୁମିକାରେ ଆୟୁଷ୍ମାନ ଖୁରାନା, ଜିତେନ୍ଦ୍ର କୁମାର, ନୀନୀ ଗୁପ୍ତା, ଗଜରାଜ ରାଓ ପ୍ରମୁଖ ଭୁମିକାରେ ଅଭିନୟ କରିଛନ୍ତି ।

ସେହିପରି ଭୂତଙ୍କ ସହ ହରର ଡ୍ରାମାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ଭୂତ-ଦ ହଂଟେଡ ସିପ୍ । ଏହି ହରର ସିନେମାରେ ଆତ୍ମାଙ୍କ ଭିତରେ ରହି ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି ଅଭିନେତା ଭିକି କୌଶଲ । ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ହରର ସିନେମାରେ ଭିକି କୌଶଲ ଓ ଭୂମି ପେନ୍ଦନକରଙ୍କ ଅଭିନୟ ରହିଛି । ଭାନୁ ପ୍ରତାପ ସିଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ତେବେ ଆଗକୁ ଦୁଇଟି ସିନେମାକୁ କେତେ ସଫଳତା ମିଳୁଛି ତାହା ସମୟ ହିଁ କହିବ |

ସମ୍ବନ୍ଧିତ ଖବର