ଆରା(ବିହାର): ଭଉଣୀର ବିଦାୟୀ ପୂର୍ବରୁ ଉଠିଲା ଭାଇର କୋକେଇ। ବିହାରର ଆରାରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା। ଭଉଣୀର ବିବାହ ଦିନ ଭାଇର ମୃତ୍ୟୁ ହେବା ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବିବାହର ରୀତିନୀତି କରିବା ସମୟରେ ଘରେ ଖୁସିର ଲହରୀ ଖେଳି ଯାଇଥିଲା। ଝିଅକୁ ବିଦା କରିବା ପାଇଁ ପରିବାର ପ୍ରସ୍ତୁତ ହେଉଥିବା ବେଳେ ପୁଅକୁ ଏଭଳି ବିଦାୟ ଦେବାର ସମୟ ଆସିବ ବୋଲି କେହି ଭାବି ନଥିଲେ।
ଏହି ଘଟଣା ରବିବାର ବିଳମ୍ବିତ ରାତିରେ ଆରା ଜିଲ୍ଲାର ମୁଫସିଲ ପୁଲିସ ଷ୍ଟେସନ ଅଞ୍ଚଳର ସୈଦପୁର ଗ୍ରାମରେ ଘଟିଛି। ବିବାହ ପୂର୍ବରୁ ବରାଯାତ୍ରୀଙ୍କୁ ଜଳଖିଆ ଦେବା ପରେ ଘରକୁ ଫେରୁଥିବା କନ୍ୟାଙ୍କ ଦାଦା ପୁଅକୁ ଅଜ୍ଞାତ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ଯୁବକକୁ କିଏ ଗୁଳି କଲା ଏବଂ କାହିଁକି? ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଅନ୍ୟପକ୍ଷରେ, ଘଟଣାର ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ହେଉଛନ୍ତି ସୈଦପୁର ଗାଁର ବାସିନ୍ଦା ଧର୍ମେନ୍ଦ୍ର ସିଂଙ୍କ ପୁଅ ରୋହିତ କୁମାର ସିଂ (୨୦)। ରୋହିତ ସ୍ନାତକ କରୁଥିବା ସହ ଘରେ ରହି ପାଠ ପଢ଼ୁଥିଲେ। ଧର୍ମେନ୍ଦ୍ର ସିଂଙ୍କ ବଡ଼ ଭାଇଙ୍କ ଝିଅର ବିବାହ ଦିନ ରୋହିତ ବରଯାତ୍ରୀଙ୍କୁ ଖାଇବାକୁ ଦେବା ପାଇଁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଏବେ ଏହି ହତ୍ୟା ପଛରେ କାହାର ହାତ ରହିଛି, ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ।