ଆଇନଜୀବୀ ଭୂମିକାରେ ବୁଦ୍ଧାଦିତ୍ୟ

ଭୁବନେଶ୍ବର: ବେଶ କିଛି ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡର ଲୋକପ୍ରିୟ ନାୟକ ବୁଦ୍ଧାଦିତ୍ୟ ମହାନ୍ତି। ସେ ଯେଉଁ ସିନେମାରେ ପୁଣି ନଜର ଆସିବେ ତାହା ହେଲା ‘ଡେଲିଭରି ବୟ’। ଏଥିରେ ବୁଦ୍ଧାଦିତ୍ୟଙ୍କୁ ଜଣେ ଆଇନଜୀବୀ ଭୂମିକାରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ଚରିତ୍ରର ନାଆଁ ହେଲା ବଚ୍ଚନ ଭାଇ। ଏହାଛଡ଼ା ଶୈଳେନ୍ଦ୍ର, ପ୍ରିୟମ୍ବଦା ଓ ସୂର୍ଯ୍ୟମୟୀଙ୍କୁ ବି ଦେଖିବାକୁ ମିଳିବ। ସବୁଠାରୁ ମଜା କଥା ହେଲା ଯେ ସୂର୍ଯ୍ୟମୟୀ ବି ଆଇନଜୀବୀ ଭୂମିକାରେ ଅଛନ୍ତି। ବୁଦ୍ଧାଦିତ୍ୟ ଓ ସୂର୍ଯ୍ୟମୟୀଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ପାଇବେ ଦର୍ଶକ। ଏହାର ନିର୍ଦ୍ଦେଶକ ହେଲେ ଅଶ୍ବିନୀ ତ୍ରିପାଠୀ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।


୨୦୦୬ରେ ରିଲିଜ୍ ହୋଇଥିବା ‘ଆଇ ଲଭ ମାଇଁ ଇଣ୍ଡିଆ’ରୁ ବୁଦ୍ଧାଦିତ୍ୟ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପରେ ସେ ‘ପ୍ରେମରୋଗୀ’, ‘ନନ୍ଦିନୀ ଆଇ ଲଭ୍ ୟୁ’, ‘ଲୋଫର୍ , ‘ତୁ ଥିଲେ ମୋ’ ଡର କାହାକୁ, ‘ପାଗଳ କରିଚି ପାଉଁଜି ତୋ’ର’, ସଙ୍ଗମ, ଓମସାଇରାମ, ‘କେଉଁ ଦୁନିଆଁରୁ ଆସିଲ ବନ୍ଧୁ’, ‘ଜଗା ହାତରେ ପଘା’, ବାଏବାଏ ଦୁବାଇ ଓ ‘ଶ୍ରୀମାନ୍ ସୁରଦାସ’ ଆଦି ଓଡ଼ିଆ ସିନେମାରେ ଅଭିନୟ କରିସାରିଲେଣି। ଖାଲି ସେତିକି ନୁହେଁ ସେ କେତେକ ହିନ୍ଦୀ ମେଗା ଧାରାବାହିକରେ ବି ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି।

ସମ୍ବନ୍ଧିତ ଖବର