ନୂଆଦିଲ୍ଲୀ: ରେଣୁକାସ୍ୱାମୀ ହତ୍ୟା ମାମଲାରେ ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ଜାମିନ୍ ବାତିଲ୍ କଲେ ସୁପ୍ରିମକୋର୍ଟ। ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନଙ୍କୁ କିଛି ମାସ ତଳେ ଜାମିନ୍ ମିଳିଥିଲା। ଏବେ ଅଭିନେତାଙ୍କୁ ଦିଆଯାଇଥିବା ଜାମିନକୁ ବାତିଲ କରିବା ପାଇଁ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ବିଚାରପତି ଜେବି ପାରଦିୱାଲା ଏବଂ ବିଚାରପତି ଆର ମହାଦେବନଙ୍କ ଖଣ୍ଡପୀଠ କର୍ଣ୍ଣାଟକ ସରକାର ଓ ଦର୍ଶନଙ୍କ ଓକିଲଙ୍କ ପକ୍ଷ ଶୁଣିବା ପରେ ଜୁଲାଇ ୨୪ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି କୋର୍ଟ ଅଭିନେତାଙ୍କୁ କୌଣସି ଆଶ୍ୱସ୍ତି ନଦେଇ ଜାମିନକୁ ବାତିଲ କରିଛନ୍ତି।
କର୍ଣ୍ଣାଟକ ସରକାର, କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନ ଏବଂ ଅନ୍ୟମାନଙ୍କ ଜାମିନ ମଞ୍ଜୁର କରିଥିଲେ କର୍ଣ୍ଣାଟକ ହାଇକୋର୍ଟ, ଯାହାକୁ ଆଜି ବାତିଲ୍ କରିଛନ୍ତି ସୁପ୍ରିମକୋର୍ଟ। ଜାମିନ୍ ବାତିଲ୍ କରିବା ସହ ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କୁହାଯାଇଛି।
ଜୁଲାଇ ୨୪ରେ ଶୁଣାଣି ବେଳେ କର୍ଣ୍ଣାଟକ ହାଇକୋର୍ଟର ଜାମିନ୍ ଦେବା ରାୟ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ ଖଣ୍ଡପୀଠ। ଏହା ଇଚ୍ଛାଧୀନ କ୍ଷମତାର ଅପବ୍ୟବହାର ବୋଲି କହିଥିଲେ ଖଣ୍ଡପୀଠ। ରେଣୁକାସ୍ୱାମୀ ହତ୍ୟା ମାମଲାରେ ଅଭିନେତା ଦର୍ଶନ ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ବାତିଲ କରିବା ପାଇଁ କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଲିଖିତ ଯୁକ୍ତି ଦାଖଲ କରିବା ପରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।
କର୍ଣ୍ଣାଟକ ସରକାରଙ୍କ ଦ୍ବାରା ଦାଖଲ ଯୁକ୍ତିରେ ଦର୍ଶନଙ୍କ କଥିତ ସମ୍ପୃକ୍ତି ପ୍ରମାଣ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଆଲୋକପାତ କରାଯାଇଥିଲା ଏବଂ ଯୁକ୍ତି ଦିଆଯାଇଥିଲା ଯେ, ହାଇକୋର୍ଟଙ୍କ ଜାମିନ ପ୍ରଦାନ ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ।
ଉଲ୍ଲେଖଯୋଗ୍ୟ, ରେଣୁକାସ୍ୱାମୀ ଚିତ୍ରଦୁର୍ଗର ଜଣେ ବାସିନ୍ଦା ଥିଲେ। କନ୍ନଡ ଅଭିନେତା ଦର୍ଶନଙ୍କ ତଥାକଥିତ ପ୍ରେମିକା ପବିତ୍ର ଗୌଡାଙ୍କୁ ଅଶ୍ଳୀଳ ମେସେଜ ପଠାଇବା ପରେ ଅଭିନେତାଙ୍କ ସହିତ କାମ କରୁଥିବା ଲୋକମାନେ ତାଙ୍କୁ ଅପହରଣ କରି ହତ୍ୟା କରିଥିଲେ। ଅଭିଯୋଗ ହୋଇଥିଲା ଯେ, ରେଣୁକାସ୍ୱାମୀ ଜଣେ ଅଭ୍ୟାସଗତ ଅପରାଧୀ ଥିଲେ ଯିଏ ଅନେକ ମହିଳାଙ୍କୁ ଅଶ୍ଳୀଳ ମେସେଜ ପଠାଉଥିଲେ।