ଓଲିଉଡ୍ର ଜଣାଶୁଣା ନାୟିକା କାବ୍ୟାକିରଣଙ୍କୁ ଦର୍ଶକ ଖୁବ୍ଶୀଘ୍ର ଏକ ନୂଆ ଓଡ଼ିଆ ସିନେମା ‘ଆଞ୍ଜେଲ୍’ରେ ଦେଖିବାକୁ ପାଇବେ। ଏଥିରେ ତାଙ୍କୁ ପୁଣିଥରେ ଗୃହିଣୀ ଭୂମିକାରେ ଦେଖିବାକୁ ମିଳିବ। ଆଗରୁ ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ଖୁସି’ରେ ବି ସମାନ ଚରିତ୍ରରେ ନଜର ଆସିଥିଲେ କାବ୍ୟା। ହେଲେ ଉଭୟ ଚରିତ୍ରରେ ଅସମାନତା ରହିଛି। କାବ୍ୟା କିରଣ କହନ୍ତି, ‘ଖୁସି’ରେ ଆମେ ହାପି କପଲ୍ ଥିଲୁ। ମୁଁ ସେଥିରେ ଖୁସିର ମାଆ ଭୂମିକାରେ ଅଭିନୟ କରିଥିଲି। ଏଥିରେ ଆଞ୍ଜେଲ୍ର ମାଆ ଚରିତ୍ରରେ ଅଛି। ନାଆଁ ରହିଛି ରିମି। କିନ୍ତୁ ଏହି ସିନେମାରେ ମୁଁ ଭଲ ଦାମ୍ପତ୍ୟ ବିତାଉ ନଥିବା ମହିଳା ଭୂମିକାରେ ଅଭିନୟ କରୁଛି।’
ଜିତେନ୍ଦ୍ରୀୟ ପ୍ରଧାନଙ୍କ ନିର୍ଦ୍ଦେଶିତ ‘ଆଞ୍ଜେଲ୍’ରେ କାବ୍ୟା କିରଣଙ୍କ ବିପକ୍ଷରେ ଅଛନ୍ତି ଅଭିନେତା ପାର୍ଥସାରଥୀ। ଟାଇଟଲ୍ ରୋଲ୍ରେ ଶିଶୁ କଳାକାର ସାଇତ୍ରିଷ୍ଣାଙ୍କୁ ଦେଖିବାକୁ ମିଳିବ। ସୂଚନାଯୋଗ୍ୟ, କାବ୍ୟାକିରଣ ୨୦୧୪ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପ୍ରଥମେ ପରଦାକୁ ଆସିଥିଲେ। ‘କାଉଁରି କନ୍ୟା’ ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡ୍କୁ ଯାଇସାରିଥିଲେ। ସେଠି ସେ ‘ରାମରତନ୍’, ‘ରଙ୍ଗ୍-ଏ-ଇସ୍କ’, ଓ ‘ଜୟବୀର ପାଂଘଲ’ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ। ଏହାପରେ କାବ୍ୟାକିରଣ ‘ରହସ୍ୟ’, ‘ରଘୁ ସର୍ଦ୍ଦାର’, ‘ତୋ ନା ର ମାନେ ହଁ’, ‘ଖୁସି’ ଓ ‘ଭୋକ’ ଆଦି ଓଡ଼ିଆ ଛବିରେ କାମ କରିଛନ୍ତି। ଏହାଛଡ଼ା ତାଙ୍କୁ ‘୭୨ ଆୱାର୍ସ’ ଓ ‘ଏକ୍ସପୋଜ୍’ ଭଳି ୱେବ୍ ସିରିଜ୍ରେ ବି ଦେଖିବାକୁ ପାଇଛନ୍ତି ଦର୍ଶକ।