ଆତ୍ମହତ୍ୟା ପାଇଁ ଉସ୍‌କାଇବା ମାମଲା ତଦନ୍ତରେ ସିବିଆଇ ବିଫଳ!

ନୂଆଦିଲ୍ଲୀ:  ସିବିଆଇ ବିଶ୍ବର ଏକ ସଫଳ ତଦନ୍ତକାରୀ ସଂସ୍ଥା ହୋଇଥିଲେ ମଧ୍ୟ ଆତ୍ମହତ୍ୟା ପାଇଁ ଉସ୍‌କାଇବା ମାମଲାରେ ସିବିଆଇର ବିଫଳତା କାହାକୁ ଅଛପା ନାହିଁ। ଆଜିଯାଏ ଗୋଟିଏ ବି ଆତ୍ମହତ୍ୟା ମାମଲାର ସିବିଆଇ ସଫଳ ତଦନ୍ତ କରିପାରିନଥିବା ରିପୋର୍ଟ କହୁଛି। ସୁଶାନ୍ତ ସିଂହ ରାଜପୁତଙ୍କ ରହସ୍ୟମୟ ଆତ୍ମହତ୍ୟା ମାମଲାରେ ତାଙ୍କ ବାନ୍ଧବୀ ରିଆ ଚକ୍ରବର୍ତୀ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଏବେ ଏହି ମାମଲାର ତଦନ୍ତ ଭାର ସିବିଆଇ ହାତକୁ ହସ୍ତାନ୍ତର ହୋଇଛି। ତେବେ ଏହି ମାମଲା‌ର ରହସ୍ୟ ଉନ୍ମୋଚନରେ ସିବିଆଇ କେତେ ସଫଳ ହେବ ସେ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ପୂର୍ବରୁ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ୨୦୧୭ ମସିହାରେ ସିବିଆଇ କେବଳ ଚାର୍ଜସିଟ୍‌ ଦାଖଲ କରିବା ଛଡ଼ା ତଦନ୍ତରେ ଅଧିକ କିଛି ଆଗେଇ ପାରିନାହିଁ।

ଇଣ୍ଡିଆ ଟୁଡେକୁ ଜଣେ ସିବିଆଇ ଅଧିକାରୀ ସାକ୍ଷାତକାର ଦେଇ କହିଛନ୍ତି, ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ ଉସ୍‌କାଇବାର ଅଧିକାଂଶ ମାମଲାରେ ଅଭିଯୁକ୍ତଙ୍କର ଉଦ୍ଦେଶ୍ୟ ଓ ମୃତକଙ୍କ ମାନସିକ ସ୍ଥିତି ଜାଣିବା ବେଶି ଗୁରୁତ୍ବପୂର୍ଣ୍ଣ। ଯେହେତୁ ପୀଡ଼ିତ ଜଣକ ମୃତ ଏଭଳି ମାମଲାରେ ଅଭିଯୁକ୍ତ ତାଙ୍କୁ କ’ଣ କହିଥିଲେ ଓ ସେମାନଙ୍କ ଭିତରେ କ’ଣ ହୋଇଥିଲା, ସେ କଥା ପ୍ରମାଣ କରିବା କଷ୍ଟକର। ଏଭଳି ମାମଲାରେ ଯଦି ଅଭିଯୁକ୍ତଙ୍କର ପ୍ରତ୍ୟକ୍ଷ ସଂପୃକ୍ତି‌ ଯୋଗୁଁ ପୀଡ଼ିତ ଜଣକ ଆତ୍ମହତ୍ୟା କରିଛନ୍ତି ପ୍ରମାଣିତ ହୋଇପାରିବ ତେବେ ଯାଇ ଆତ୍ମହତ୍ୟା ପାଇଁ ଉସ୍‌କାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇପାରିବେ। ସେ ଏହି କ୍ଷେତ୍ରରେ ୧୯୯୩ ଡିସେମ୍ବର ୨୮ ଟେନିସ୍‌ ‌ଖେଳାଳି ରୁଚିକା ଗିଲ୍‌ହୋତ୍ରା ଆତ୍ମହତ୍ୟା ମାମଲାର ଉଦାହରଣ ଦେଇଛନ୍ତି। ହରିଆନା ପୁଲିସ ଆଇଜି ରାଥୋଡ୍‌ଙ୍କୁ ଏହି ମାମଲାରେ ଆତ୍ମହତ୍ୟା ପାଇଁ ଉସ୍‌କାଇବା ପାଇଁ ନୁହେଁ ଅସଦାଚରଣ ପାଇଁ ଦଣ୍ଡ ମିଳିଥିଲା ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର