କଥାରେ ଅଛି, ଯେ ପର୍ଯ୍ୟନ୍ତ ନିଜ ଉପରକୁ କଥା ନ ଅ‌ାସିଛି କୌଣସି ବ୍ୟକ୍ତି କଷ୍ଟ ମନେହେଉଥିବା କାର୍ଯ୍ୟଟିକୁ ଶିଖିପାରିବ ନାହିଁ। ରୋଷେଇ ମଧ୍ୟ ଠିକ୍‌ ସେହିପରି ଏକ କାମ। ଯେ ପର୍ଯ୍ୟନ୍ତ ଆମେ ନିଜେ କଡ଼େଇ-ଖଡ଼ିକା ଧରିନାହଁୁ ସେ ପର୍ଯ୍ୟନ୍ତ ରାନ୍ଧଣାର ମଜା ପାଇପାରିବା ନାହିଁ ବୋଲି କହିଛନ୍ତି ଓଲିଉଡ୍‌ର ଜଣାଶୁଣା ଅଭିନେତା-ନିର୍ଦ୍ଦେଶକ ହରିହର ମହାପାତ୍ର। ନିକଟରେ  ଓଡ଼ିଆ ଦର୍ଶକ ‘ଭଗିଆ ଭାରିଯା’ ଚଳଚ୍ଚିତ୍ରରେ  ତାଙ୍କର ମନଛୁଆଁ ଅଭିନୟ ଦେଖିବାର ସୁଯୋଗ ପାଇଛନ୍ତି। 

Advertisment

ନିଜର ରାନ୍ଧଣା ଅନୁଭୂତି ବଖାଣି ସେ କହନ୍ତି, ‘‘ମୁଁ  ବ୍ୟାଚଲର୍‌ ଥିବା ସମୟରେ ରୋଷେଇ ଶିଖିଛି। ପୁଣି କେବଳ ଭାତ ଆଉ ଡାଲମା। ତା’ଠାରୁ ଅଧିକ କିଛି ମୋତେ ଆସୁ ନଥିଲା। ସେତେବେଳେ ସୋସିଆଲ୍‌ ମିଡିଆ ନଥିଲା ଯେ ୟୁଟ୍ୟୁବ୍‌ କି ଫେସ୍‌ବୁକ୍‌ ଦେଖି ନୂଆ ନୂଆ ଆଇଟମ୍‌ କରିବୁ। ତେଣୁ କେବଳ ଭାତ, ଡାଲମା ଏବଂ ଆଳୁ ସିଝା ଥିଲା ଆମ ପାଇଁ ଜିନ୍ଦାବାଦ୍‌। ବାହାଘର ପରେ ସ୍ତ୍ରୀଙ୍କ ହାତରନ୍ଧା ଖାଇ ନୂଆ ନୂଆ ସ୍ବାଦ ପାଇଲୁ। ବହୁତ ଥର ନୂଆ ରେସିପି ମଧ୍ୟ କରିବା ପାଇଁ ଚେଷ୍ଟା କରିଛି, କିନ୍ତୁ ମୋ ହାତରେ ହେଲାନି। ସେଇ ଡାଲମାରେ ହିଁ ରହିଗଲି। କଥାରେ ଅଛି ନା, ସ୍ତ୍ରୀଙ୍କ ଆଗରେ ଫୁଟାଣି ମାରିବ ଯଦି ହାରିଯିବ। ସେମିତି ରୋଷେଇ କରି ଖୁଆଇବି ବୋଲି ଯେତେବେଳେ ଭାବିଛି ସେତିକି ଥର କଡ଼େଇ ପୋଡ଼ିଛି। କେତେବେଳେ କେମିତି ସୁଆଦ ଆସିଯାଏ ନହେଲେ ସ୍ତ୍ରୀଙ୍କ ହାତରନ୍ଧା ସବୁଠାରୁ ସୁଆଦ।’’ 

ମତେ ପୁରୀର ବାଡ଼ିଆ ଡାଲମା ବହୁତ ଭଲ ଲାଗେ। ଆଉ ଆମ ଦେଶୀ ଖାଦ୍ୟର ସ୍ବାଦ ଆଗରେ ସବୁ ଫିକା। ନୂଆ ବିଦେଶୀ ଖାଦ୍ୟ ମତେ ଏତେ ପସନ୍ଦ ଆସେନି। ଓଡ଼ିଶାର ପରିଚୟ ହେଉଛି ଡାଲମା। ଭାରତବର୍ଷରେ ଡାଲମା କହିଲେ ଓଡ଼ିଆଙ୍କ ଖାଦ୍ୟ ବୋଲି ଲୋକେ ଜାଣନ୍ତି। ତେବେ ଚାଲନ୍ତୁ ବାଡ଼ିଆ ଡାଲମାଟେ କରିବା।

l ଏଥିପାଇଁ ପ୍ରଥମେ ଆଳୁ, କଖାରୁ, ସାରୁ, ଦେଶୀଆଳୁ, ବାଇଗଣ, ଝୁଡ଼ୁଙ୍ଗ, କଞ୍ଚା କଦଳୀ ଇତ୍ୟାଦି ସଜ ପରିବା ଯୋଗାଡ଼ି ତାକୁ କାଟି ରଖିବାକୁ ହେବ। 
l ପ୍ରେସର୍‌ କୁକର୍‌ରେ ମାପ ଅନୁସାରେ ପାଣି ନେଇ ସେଥିରେ ହରଡ଼ ଡାଲି, ମୁଗ ଡାଲି ଓ ବୁଟ ଡାଲିରେ ପରିବା ମିଶାଇ ସିଝାଇଦେବା।
l ଗୋଟେ ହୁଇସିଲ୍‌ ଆସିବା ପରେ ସଙ୍ଗେ ସଙ୍ଗେ ଖୋଲିଦେବା ଯେପରି ଡାଲି ବେଶି ସିଝି ନ ଯିବ।
l ଏହାପରେ ଗୋଟେ କଡ଼େଇରେ ତେଲ ଗରମ କରି, ପଞ୍ଚ ଫୁଟଣ, ଶୁଖିଲା ଲଙ୍କା, ଭୁର୍ସୁଙ୍ଗ ପତ୍ର ଫୁଟାଇ ସେଥିରେ ଅଦା କୋରା ପକାଇବା।
l ଏସବୁ ଟିକେ ଭାଜି ହୋଇ ଆସିବା ପରେ ସେଥିରେ ଦରକାର ମୁତାବକ ଟମାଟୋ ପକାଇ କଷିଦେବା।
l ଏହାପରେ ଜିରା ଗୁଣ୍ଡ ଓ ଗରମ ମସଲା ଗୁଣ୍ଡ ପକାଇ ଭଲରେ କଷିଦେବା
l ଏହାପରେ କଡ଼େଇରେ ଅଳ୍ପ ପାଣି ଦେଇ ତାକୁ ଫୁଟାଇବା। ପାଣି ଫୁଟିଲେ ସିଝା ଡାଲମାକୁ ପକାଇ ଦେବା ଏବଂ ପରେ ପରେ ଲଙ୍କା ଓ ଜିରା ଗୁଣ୍ଡ ପକାଇ ଓହ୍ଲାଇଦେବା।
 ଏବେ ପ୍ରସ୍ତୁତ ହୋଇଗଲା ଆମର ଗରମ ଗରମ ବାଡ଼ିଆ ଡାଲମା। ଏହାର ସ୍ବାଦ ଯେମିତି ମଜାଦାର, ଶରୀର ଲାଗି ସେମିତି ଉପକାରୀ।