ଚଳଚ୍ଚିତ୍ର ଅଭିନେତା, ଟେଲିଭିଜନ୍ ଓ ମଞ୍ଚ ଉପସ୍ଥାପକ ତଥା ପ୍ରାକ୍ତନ ଆଲବମ୍ ଅଭିନେତା ପୁପିନ୍ଦର ସିଂ ଦର୍ଶକ ମହଲରେ ବେଶ୍ ପରିଚିତ। ୨୦୦୮ ମସିହାରେ ଓଡ଼ିଆ ଛବି ‘ତୋ ବିନା ଭଲ ଲାଗେନା’ ଜରିଆରେ ଅଭିନୟ ଜୀବନ ଆରମ୍ଭ କରିଥିଲେ ପୁପିନ୍ଦର। ଖୁସ୍ ମିଜାଜ୍ର ପୁପିନ୍ଦର ତାଙ୍କର ଅଭିନୟରେ ଯେପରି ଦର୍ଶକଙ୍କ ମନକୁ ବାନ୍ଧିପାରନ୍ତି ଠିକ୍ ସେମିତି ବ୍ୟଞ୍ଜନ କଳାରେ ବି ଲୋକଙ୍କ ପାଟି ବାନ୍ଧିପାରନ୍ତି। ପୁପିନ୍ଦର ରୋଷେଇରେ ବି ଧୁରନ୍ଧର! ଆସନ୍ତୁ ତାଙ୍କଠୁ ଶିଖିବା ମସଲା ଡାଲମା।
ଏ ପ୍ରସଙ୍ଗରେ ପୁପିନ୍ଦର କହନ୍ତି, ‘‘ଯେତେବେଳେ ମଁୁ ୨୦ ବର୍ଷ ତଳେ ମୁମ୍ବାଇରେ ରହୁଥିଲି ମୋ ରୁମ୍ମେଟ୍ ଓ ସୋସାଇଟିର ସାଙ୍ଗମାନେ ମୋ ମସଲା ଡାଲମାକୁ ବହୁତ ପସନ୍ଦ କରୁଥିଲେ। ବ୍ୟାଚ୍ଲର ଜୀବନରେ ଡାଲମା ଛଡ଼ା ଆଉ ଆସେ ବା କ’ଣ? ମୋ ଅଫିସ୍ର ଜଣେ ସାଙ୍ଗ ଛୁଟିଦିନରେ କେବଳ ଡାଲମା ଖାଇବାକୁ ମୋ ପାଖକୁ ଆସୁଥିଲେ। ମତେ ସେମାନଙ୍କର ସ୍ନେହ ଓ ଭଲପାଇବା ହିଁ ବାନ୍ଧି ରଖିଥିଲା। ମୁଁ ଏଇ ମସଲା ଡାଲମା ସହ ଭାତ ରାନ୍ଧି ସେମାନଙ୍କୁ ଖାଇବାକୁ ଡାକେ। ଆଜି ବି ସେଦିନର କଥା ଭାରି ମନେପଡ଼େ। ଆଉ ସେଇ ମସଲା ଡାଲମା ମୋର ସେଇ ବନ୍ଧୁମାନଙ୍କ ପାଇଁ ଚାଲନ୍ତୁ ଆଉ ଥରେ ତିଆରି କରିବା।’’
ମୁଁ ମସଲା ଡାଲମାରେ ବେଶି କିଛି ପରିବା ପକାଏନି। କେବଳ ହରଡ଼ ଡାଲି ଓ ଆଳୁ। ଚାଲନ୍ତୁ ବନେଇବା ମସଲା ଡାଲମା।
l ପ୍ରଥମେ ଡାଲି ଓ ଆଳୁକୁ ସିଝାଇଦେବା।
l ଏକ କଡ଼େଇରେ ତେଲ ପକାଇ, ସେଥିରେ ଅଳ୍ପ ଚିନି ଓ ତେଜପତ୍ର ଦେଇ ଫୁଟାଇଦେବା।
l ଏହାପରେ କିଛି ପିଆଜ ପକାଇ ଲାଲ୍ ହେବାଯାଏ ଭାଜିଦେବା। ଏହାପରେ ଅଦା-ରସୁଣ ବଟା ପକାଇ କିଛି ସମୟ ଭାଜିବା।
l ଏହାପରେ ଟମାଟୋ, ଜିରାଗୁଣ୍ଡ, କରି ପାଉଡର୍, ଲଙ୍କାଗୁଣ୍ଡ ଓ ଗରମ ମସଲା ପକାଇ କିଛି ସମୟ କଷି ଦେବା।
l ମସଲାରୁ ତେଲ ଛାଡ଼ିଗଲା ପରେ ସେଥିରେ ଡାଲି ଓ ଆଳୁ ସିଝାକୁ ପକାଇ କିଛି ସମୟ ଫୁଟାଇଦେବା
l ଏହାପରେ ସେଥିରେ ଧନିଆଗୁଣ୍ଡ ପକାଇ ଓହ୍ଲାଇଦେବା।
ଏବେ ପ୍ରସ୍ତୁତ ହୋଇଗଲା ଆମର ମସଲା ଡାଲମା। ଏହା ଗରମ ଭାତରେ ଖାଇବାକୁ ଖୁବ୍ ଭଲ ଲାଗେ। ଏହାସହ ଅନ୍ୟ କୌଣସି ଆଇଟମ୍ ଖାଇବାକୁ ପସନ୍ଦ ଆସିବନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/24/GjAV7nYyUAjEbvecqIMY.jpg)