ଦିନେ ଛାଡ଼ି ହୋଲି। ଏହି ପର୍ବ ପାଇଁ ଘରେ ଘରେ ଖାଦ୍ୟପେୟ ସହ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଲୁଣି, ମିଠା ଓ ସରବତ୍ର ମଜା ହୋଲି ଖେଳକୁ ଦୁଇଗୁଣିତ କରିଦେଇଥାଏ। ଯିଏ ଯେଉଁଠି ଥାଉ ନା କାହିଁକି ମା’ ହାତରନ୍ଧା ଖାଦ୍ୟ ଖାଇବା ପାଇଁ ଘରକୁ ଲେଉଟିଥାଏ। ଏଥିରୁ ମଧ୍ୟ ବାଦ୍ ପଡ଼ନ୍ତିନି ସିନେ ଇଣ୍ଡଷ୍ଟ୍ରିର ଅଭିନେତା ଅଭିନେତ୍ରୀମାନେ। ସେମାନେ ମଧ୍ୟ ସୁଟିଂ ସାରି ହୋଲି ଖେଳର ମଜା ଉଠାଇବା ପାଇଁ ଘରେ ବିଭିନ୍ନ ପ୍ରକାରର ପିଠାପଣା ସଙ୍ଗକୁ ମିଠା ଓ ନମ୍କିନ୍ ତିଆରି କରିଥାଆନ୍ତି। ହୋଲି ପର୍ବରେ ରୋଷେଇକୁ ନେଇ ଅଭିନେତ୍ରୀ ଅନୁ ଚୌଧୁରୀ କହନ୍ତି, ‘‘ହୋଲି ତ ରଙ୍ଗର ପର୍ବ। ସମସ୍ତେ ଏକାଠି ମିଶି ଖାଇବା ଖେଳିବାର ପର୍ବ। ରୋେଷଇ ବିଷୟରେ କହିବାକୁ ଗଲେ ପ୍ରତ୍ୟେକ ରୋଷେଇ ମଁୁ ମୋ ମା’ଙ୍କଠାରୁ ଶିଖିଛି। ତା’ଙ୍କ ହାତରନ୍ଧା ଦେଶୀ ଖାଦ୍ୟ ମୋର ଭାରି ପସନ୍ଦ। ଯେପରି କଖାରୁ ଡଙ୍କ ତରକାରି, ସନ୍ତୁଳା, ଭଳିକି ଭଳି ପିଠା ଓ ଖିରି। ବିଭିନ୍ନ ପ୍ରକାର ଚଟଣୀ ଯେପରି- ବନ୍ଧାକୋବି, ପୋଦିନା, ନଡ଼ିଆ, ଜହ୍ନି ଆଦିର ଚଟଣୀ। ଏସବୁ ଚଟଣୀର ସ୍ବାଦ ନିଆରା। ତାଙ୍କରି ପ୍ରେରଣାରେ ଆଜି ମଁୁ ବି ବହୁତ ଆଇଟମ୍ କରି ଶିଖିଛି। ଅାଉ ଘର ତିଆରି ଖାଦ୍ୟ ହିଁ ମୋର ଅଧିକ ପସନ୍ଦ। ତା’ ଭିତରୁ ଚଣା କଟ୍ଲେଟ୍ ସହ ଚଟଣୀ ମୋର ଖୁବ୍ ପସନ୍ଦ। କଳାଚଣା ପାଟିକୁ ଯେପରି ସୁଆଦ ଶରୀର ପାଇଁ ମଧ୍ୟ ପୁଷ୍ଟିକର ଅଟେ। ହୋଲିରେ ମିଠା ସହିତ ଏପରି କଟ୍ଲେଟ୍ର ମଜା ମଧ୍ୟ ନେଇପାରିବା।’’
ଆବଶ୍ୟକ ସାମଗ୍ରୀ
ସିଝାଚଣା, କଞ୍ଚାଲଙ୍କା, ପିଆଜ, ଜିରା, ଶୁଖିଲାଲଙ୍କା, ଗରମ ମସଲା, ଆମ୍ଚୁର୍, ଅଦା, ରସୁଣ, ବେସନ, ଲୁଣ, ସିଝାଆଳୁ ଓ ରାଶି।
ପ୍ରସ୍ତୁତି ପ୍ରଣାଳୀ
ରାତିରେ ଚଣା ବତୁରାଇଦେବା। ସକାଳେ ବତୁରାଚଣାକୁ କଞ୍ଚାଲଙ୍କା, ପିଆଜ ଓ ଲୁଣ ପକାଇ ସିଝାଇ ଦେବା। ତା’ପରେ ଏଥିରୁ ପାଣି ନିଗାଡ଼ି ବାଟିଦେବା। ଏହି ପାଣିକୁ ନ ଫିଙ୍ଗି ଅନ୍ୟ ତରକାରିରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଆଉ ଏକ କଡ଼େଇରେ ଅଳ୍ପ ତେଲ ପକାଇ, ସେଥିରେ ଜିରା, ଶୁଖିଲାଲଙ୍କା, ଗରମ ମସଲା, ଆମଚୁର୍, ଅଦା ଓ ରସୁଣ ବଟା ପକାଇ କିଛି ସମୟ ଭାଜି ଦେବା। ତାପରେ ପ୍ରସ୍ତୁତ ମସଲାକୁ ବଟାଚଣାରେ ମିଶାଇ ଦେବା। ସେଥିରେ ଗୋଟେ ସିଝାଆଳୁ ଓ ବେସନ ମିଶାଇ ମନପସନ୍ଦ ଆକୃତିର କଟ୍ଲେଟ୍ ପ୍ରସ୍ତୁତ କରିବା। ଏଥର ଆଉ ଏକ ତାୱାରେ ସାମାନ୍ୟ ତେଲ ପକାଇ ସେଥିରେ ରାଶି ଛୁଙ୍କ ଦେଇ ଏହି କଟ୍ଲେଟ୍ଗୁଡ଼ିକୁ ସେକି ନେବା। ଏଥର ପ୍ରସ୍ତୁତ ହୋଇଗଲା ଚଣା କଟ୍ଲେଟ୍। ଏହା ସହିତ ଆପଣ ପୋଦିନା, ଧନିଆ ଓ ବନ୍ଧାକୋବି ଚଟଣୀ ଖାଇପାରିବେ। ଚଟଣୀ ପାଇଁ ବନ୍ଧାକୋବିର କଅଁଳିଆ ପତ୍ର ନେବା। ଏହି ପତ୍ରକୁ ଟିକେ ଜିରାରେ ଭାଜିନେବା। ପରେ ସେଥିରେ, ନଡ଼ିଆ, କଞ୍ଚାଲଙ୍କା, ତେନ୍ତୁଳି ଓ ଲୁଣ ଦେଇ ବାଟି ଦେବା। ଏହାକୁ କଟ୍ଲେଟ୍ ସହିତ ଖାଇ ଆମେ ମଜା ନେଇପାରିବା।