ଓଲିଉଡ୍‌ରେ ‘ଚଣ୍ଡୀ’ ନାଁରେ ସେ ବେଶ୍ ଜଣାଶୁଣା। ପାଖାପାଖି ଚାରି ଦଶନ୍ଧି ହେବ ଓଡ଼ିଆ ସିନେମା ସହ ତାଙ୍କର ସଂପୃକ୍ତି। ୧୯୮୫ ମସିହାରେ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କ ସହକାରୀ ଭାବେ ଓଲିଉଡ୍‌ରେ ପାଦ ଥାପନ୍ତି ସେ। ଆଉ ୧୯ଗୋଟି ଓଡ଼ିଆ ସିନେମାରେ ସହକାରୀ, ମୁଖ୍ୟ ସହକାରୀ ଓ ସହଯୋଗୀ ଭାବେ କାର୍ଯ୍ୟ କରିବା ପରେ ସ୍ବାଧୀନ ଭାବେ ନିର୍ଦ୍ଦେଶକ ହେବାର ସୌଭାଗ୍ୟ ପ୍ରାପ୍ତ ହୁଅନ୍ତି ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ହିମାଂଶୁ ପରିଜା (ଚଣ୍ଡୀ)।

Advertisment

ଧୀର ବିଶ୍ବାଳଙ୍କ ପ୍ରଯୋଜିତ ତଥା ଶିଶିର ମିଶ୍ରଙ୍କ ନିର୍ଦ୍ଦେଶିତ ‘ଏଇ ଆମ ସଂସାର’ ଜରିଆରେ ନିର୍ଦ୍ଦେଶନା ସହକାରୀ ଭାବେ ସିନେମା ଜଗତରେ ପ୍ରବେଶ କରିଥିଲେ ଚଣ୍ଡୀ। ଏହାପରେ ସେ ରାଜୁ ମିଶ୍ର, ହର ପଟ୍ଟନାୟକ ଓ ରବି କିନ୍ନାଗୀଙ୍କ ଭଳି ପ୍ରଖ୍ୟାତ ନିର୍ଦ୍ଦେଶକଙ୍କ ସହ କାମ କରିଥିଲେ। ତେବେ ଜଣାଶୁଣା ପ୍ରଯୋଜକ କେଶବ ରାଉତ ହିମାଂଶୁଙ୍କୁ ‘ସୁନା ହରିଣୀ’ ଛବିରେ ସର୍ବପ୍ରଥମେ ନିର୍ଦ୍ଦେଶକ ଭାବେ ସୁଯୋଗ ଦେଲେ। ‘ସୁନା ହରିଣୀ’ରେ ସିଦ୍ଧାନ୍ତ, ରଚନା, ହର ପଟ୍ଟନାୟକ ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନୟ କରିଥିଲେ ବି ସେଭଳି ଆଖିଦୃଶିଆ ସଫଳତା ମିଳି ନ ଥିଲା।

ନିର୍ଦ୍ଦେଶକ ହିମାଂଶୁ ପରିଜା ଓଲିଉଡ୍‌ରେ ଚାରି ଦଶକ ପୂରଣ କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଦୁଇଟି ଓଡ଼ିଆ ଛବି ମୁକ୍ତି ପ୍ରତୀକ୍ଷାରେ ରହିଛି।

ତେବେ ଜଣାଶୁଣା ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ‘ମୋ କୋଳ ତୋ ଝୁଲଣା’ ଥିଲା ହିମାଂଶୁ ପରିଜାଙ୍କର କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ। ସିଦ୍ଧାନ୍ତ, ରଚନା, ବିଜୟ ମହାନ୍ତି, ଉତ୍ତମ ମହାନ୍ତି ଓ ହର ପଟ୍ଟନାୟକ ପ୍ରମୁଖଙ୍କ ଅଭିନୀତ ଏହି ସିନେମା ସୁପରହିଟ୍ ହେବା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ଚଣ୍ଡୀ। ତା’ପରେ ସେ ‘ଯେ ପାଞ୍ଚେ ପରମନ୍ଦ’, ‘କଥା ଦେଇଥିଲି ମା’କୁ’, ‘ନାରୀ ନୁହେଁ ତୁ ନାରାୟଣୀ’, ‘ରକତେ ଲେଖିଚି ନାଁ’, ‘ଆଲୋ ମୋର କଣ୍ଢେଇ’, ‘ସୁନା ଚଢ଼େଇ ମୋ ରୁପା ଚଢ଼େଇ’, ‘ହାତ ଧରି ଚାଲୁଥା’, ‘ତୁ ମୋ ଦେହର ଛାଇ’, ‘ଲଭ ୟୁ ହମେଶା’, ‘ଏ ଦିଲ୍ ମାନେନା’, ‘ଧୋରେ ବାବୁ ଧୋ’ ଓ ‘କେମିତି ଏ ସଂପର୍କ’ ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ନିର୍ଦ୍ଦେଶିତ ‘ପବିତ୍ର ବନ୍ଧନ’ ଏବେ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏଥିରେ ଦୀପକ, ରିୟା, ନମ୍ରତା ଦାସ ଓ ପୃଥ୍ବୀରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ତେଣେ ତାଙ୍କର ଅନ୍ୟ ଏକ ଛବି ‘ନିଜଠୁ ଲା‌ଗୁ ତୁ ଅତି ନିଜର’ର ସବୁ କାମ ସରିଛି। ଏଥିରେ ସମ୍ବିତ, ତମନ୍ନା, ପ୍ରଦ୍ୟୁମ୍ନ ଲେଙ୍କା ଓ ଅସିତ ପତି ପ୍ରମୁଖ ବି ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।
-ଶିବଶଙ୍କର ଓଝା