ନୂଆଦିଲ୍ଲୀ:  କିଛି ଦିନ ତଳେ ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ୍ ଏକ୍ସରେ ଏକ ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋରେ ଜଣେ ବ୍ୟକ୍ତି ଲୁଙ୍ଗି ପିନ୍ଧିଥିବା ସହ ଚା’ ଢ଼ାଳୁଥିବା ଦେଖିବାକୁ ମିଳିଥିଲା। ଏଭଳି ଫଟୋ ପୋଷ୍ଟ କରି ପ୍ରକାଶ ରାଜ୍ ଲେଖିଥିଲେ, “ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ। ଏହା ପରେ ହାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଙ୍ଗ ବୋଲି ଲେଖିଥିଲେ ପ୍ରକାଶ ରାଜ୍।

Advertisment

ଏଭଳି ପୋଷ୍ଟ ପରେ ଏକ୍ସ ବ୍ୟବହାରକାରୀ ପ୍ରକାଶ ରାଜଙ୍କୁ ଟ୍ରୋଲ କରିବା ସହିତ ପ୍ରକାଶଙ୍କ ବିରୋଧରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ବନହଟ୍ଟି ପୁଲିସ ଷ୍ଟେସନରେ ହିନ୍ଦୁ ସଙ୍ଗଠନର ନେତାମାନେ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ଗତକାଲି ଅଗଷ୍ଟ ୨୩ ତାରିଖ ବୁଧବାର ସନ୍ଧ୍ୟା ୬.୦୪ରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତା ସହ ଅବତରଣ କରିଥିଲା। ଯାହାକୁ ସାର ବିଶ୍ବ ଦେଖିଥିଲା। ଏହି ସଫଳ ଅବତରଣ ପରେ ପ୍ରକାଶ ରାଜ ଟୁଇଟ କରି ଲେଖିଥିଲେ, ‘ଭାରତ ଓ ମାନବଜାତି ପାଇଁ ଏହା ଗୌରବର ମୁହୂର୍ତ୍ତ। ଧନ୍ୟବାଦ ଇସ୍ରୋ, ଚନ୍ଦ୍ରଯାନ-୩, ବିକ୍ରମ ଲ୍ୟାଣ୍ଡର। ଏଥିସହିତ ଏହି ମିଶନରେ ସାମିଲ ଥିବା ପ୍ରତ୍ୟେକ ସଦସ୍ୟଙ୍କୁ ଶୁଭେଚ୍ଛା। ଏହା ଆମ ବିଶ୍ବକୁ ଦେଖାଇବା ସହିତ ଏହାର ରହସ୍ୟ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ମାର୍ଗଦର୍ଶନ ହୋଇପାରେ।’

ପ୍ରକାଶ ରାଜଙ୍କ ଏହି ଟୁଇଟର ପ୍ରତିକ୍ରିୟା ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀ ଟ୍ରୋଲ କରି ଲେଖିଛନ୍ତି, ‘ଆପଣଙ୍କୁ ବି ଶୁଭେଚ୍ଛା। ଆମର ଚା’ବାଲା ଓ ଆମର ବୈଜ୍ଞାନିକ ଆଜି ଇତିହାସ ରଚିଛନ୍ତି। ଆଉ ହିଂସା କରୁଥିବା ଲୋକଙ୍କୁ ଉଚିତ ଜବାବ ଦେଇଛନ୍ତି।