ମୁମ୍ବାଇରେ ମାତ୍ର ଦୁଇ ଦିନର ସୁଟିଂ ପରେ ‘ଚାରିଧାମ’ର କାମ ଆଉ ଆଗକୁ ଯାଇ ନଥିଲା। ହେଲେ ଚଳିତ ମାସରେ ପୁଣି  ‘ଚାରିଧାମ’ ଫ୍ଲୋର୍‌କୁ ଯାଉଥିବା ନେଇ ଏହାର ନିର୍ଦ୍ଦେଶକ ତାପସ ସରଘରିଆ ସୂଚନା ଦେଇଛନ୍ତି। ପୂର୍ବରୁ ‘ଲଭ୍ ଇନ୍ ଲଣ୍ଡନ୍’ (୨୦୨୩)ର ପ୍ରଯୋଜନା କରିଥିବା ଜେ. ବି. ଫିଲ୍ମସ୍‌ ଏହାର ନିର୍ମାତା।

Advertisment

ତାପସଙ୍କ କହିବା ଅନୁଯାୟୀ, ଏହାର ସୁଟିଂ ପୁରୀ, ଦ୍ବାରିକା, ବଦ୍ରିନାଥ ଓ ରାମେଶ୍ବରମ୍ ଠାରେ କରାଯିବ। ଏଥିପାଇଁ ପାଖାପାଖି ୫୦ ଦିନର ସିଡ୍ୟୁଲ୍ ରଖାଯାଇଛି।  ଏହି ସିନେମାରେ ଅନୁଭବ, ସନମୀରା, ପ୍ରଦ୍ୟୁମ୍ନ ଲେଙ୍କା, ମହାଶ୍ବେତା, ପୃଥ୍ବୀରାଜ ଓ ଗୁଲୁଆ ପ୍ରମୁଖ ଅଭିନୟ କରୁଛନ୍ତି।  ‘ଚାରିଧାମ’ ଜରିଆରେ ପ୍ରଥମ ଥର ଲାଗି ଅନୁଭବ-ସନମୀରା  ଯୋଡ଼ି ପରଦାକୁ ଆସୁଛନ୍ତି। 

ଅଖିଳ ରାଉତରାୟ  ‘ଚାରିଧାମ’ର କାହାଣୀକାର। ସୁରେଶ ପଟ୍ଟନାୟକ ଚିତ୍ରନାଟ୍ୟ ଲେଖିଥିବା ବେଳେ ସଂଳାପ ରଚନା କରିଛନ୍ତି କୁମାର ଶ୍ରୀ। ବିଭୂତିଭୂଷଣ ଗଡ଼ନାୟକ ଓ ବୈଦ୍ୟନାଥ ଦାଶ ସଂଗୀତ ସଂଯୋଜନା କରିଛନ୍ତି। ଏହି ଫିଲ୍ମର କଥାବସ୍ତୁ ବାପା-ମାଆଙ୍କ ପ୍ରତି ପୁଅର କର୍ତ୍ତବ୍ୟ ପ୍ରସଙ୍ଗ ଉପରେ ଆଧାରିତ। ଏହାର ଶୁଭ ମହୁରତ୍ ଗତବର୍ଷ ପୁରୀଠାରେ ହୋଇଥିଲା।