ପ୍ରଖ୍ୟାତ ହାସ୍ୟାଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଝିଅ ଜୋସେଫାଇନ୍‌ଙ୍କ ଦେହାନ୍ତ

ୱାସିଂଟନ୍‌ ଡିସି: ସୁପ୍ରସିଦ୍ଧ ହାସ୍ୟାଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫାଇନ୍‌ ହାନ୍ନା ଚାପ୍‌ଲିନ୍‌ଙ୍କର ଦେହାନ୍ତ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ କହିଛନ୍ତି।

ମୃତ୍ୟୁର କାରଣ କୁହାଯାଇ ନ ଥିଲେ ବି ଜୁଲାଇ ୧୩ ତାରିଖ ଦିନ ଫ୍ରାନ୍‌ସ୍‌ର କାର୍ଣ୍ଣେଟ୍‌ ଡ୍ୟୁ ଜୋର୍‌ରେ ତାଙ୍କର ମୃତ୍ୟୁ ହୋଇଥିବା କଥା ସେମାନେ ସୁନିଶ୍ଚିତ କରି କହିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

୧୯୪୯ ମସିହା ମାର୍ଚ ୨୮ ତାରିଖ ଦିନ ସାଣ୍ଟା ମୋନିକାରେ ଜନ୍ମିତା ଜୋସେଫାଇନ୍‌ ଥିଲେ ଚାର୍ଲି ଚାପ୍‌ଲିନ୍‌ଙ୍କ ୮ ସନ୍ତାନଙ୍କ ମଧ୍ୟରେ ତୃତୀୟ ତଥା ତାଙ୍କ ୪ର୍ଥ ପତ୍ନୀ ଉନା ଓ’ନିଲ୍‌ଙ୍କ ଝିଅ।

Image Courtesy of Euro Weekly News

ଶିଶୁ କଳାକାର ଭାବେ ସେ ପ୍ରଥମେ ୧୯୫୨ରେ ତାଙ୍କ ବାପାଙ୍କ ସହିତ ‘ଲାଇମ୍‌ଲାଇଟ୍‌’ ଚଳଚ୍ଚିତ୍ର ଓ ୧୯୬୭ରେ ‘ଏ କାଉଣ୍ଟେସ୍‌ ଫ୍ରମ୍‌ ହଂକଂ’ରେ ଅଭିନୟ କରିଥିଲେ। ତା’ପରେ ସେ ୧୯୭୨ରେ ନାଟକ ‘ଲ‌ୋଓଡେୟୁର୍‌ ଡେସ୍‌ ଫଭିସ୍‌’ରେ ଏଡିଥ୍‌ ଓ ୧୯୯୨ରେ ଡ୍ରାମା ଫିଲ୍ମ ‘ଏସ୍‌କେପ୍‌ ଟୁ ଦି ସନ୍‌’ରେ ନିନା ଭୂମିକାରେ ଅଭିନୟ କରିଥିଲେ। ସେହିପରି, ୧୯୭୨ରେ ସେ ‘ଏସ୍‌-ରେଟେଡ୍‌’ ଚଳଚ୍ଚିତ୍ର ‘ଦି କ୍ୟାଣ୍ଟର୍‌ବରି ଟେଲ୍ସ୍‌’ରେ ମେ’ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୮୪ରେ ସେ ‘ଦି ବେ ବୟ ଆଣ୍ଡ୍‌ ହେମିଙ୍ଗ୍‌ୱେ’ ଚଳଚ୍ଚିତ୍ରରେ ବି ଅଭିନୟ କରିଥିଲେ।

୧୯୬୯ରେ ସେ ଗ୍ରୀକ୍‌ ବ୍ୟବସାୟୀ ନିକ୍କି ସିସ୍ତୋବାରିସ୍‌ଙ୍କୁ ବିବାହ କରିଥିଲେ ଓ ୧୯୭୭ରେ ସେମାନଙ୍କର ବିବାହ ବିଚ୍ଛେଦ ହୋଇଥିଲା। ପରେ ସେ ଫରାସୀ ଅଭିନେତା ମୌରିସ୍‌ ରୋନେଟ୍‌ଙ୍କୁ ପ୍ରେମ କରି ତାଙ୍କ ସହିତ ବସବାସ କରୁଥିଲେ। କିନ୍ତୁ, ୧୯୮୩ରେ କର୍କଟ ରୋଗରେ ତାଙ୍କର ମୃତ୍ୟୁ ହୋଇଗଲା। ତା’ପରେ ଜୋସେଫାଇନ୍‌ ପ୍ରତ୍ନତତ୍ତ୍ବବିତ୍‌ ଜିନ୍‌-କ୍ଲାଉଡ଼ି ଗାର୍ଡିଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୨୦୧୩ରେ ଗାର୍ଡିଙ୍କର ଦେହାନ୍ତ ହୋଇଗଲା।

ଜୋସେଫାଇନ୍‌ଙ୍କର ୩ଟି ସନ୍ତାନ ଅଛନ୍ତି।

ସମ୍ବନ୍ଧିତ ଖବର