ମୁମ୍ବାଇ: ଅକ୍ଷୟ ନେଉଥିବା ପାରିଶ୍ରମିକଠାରୁ ଟଙ୍କାଟେ ଅଧିକ ମାଗିବାରୁ 'ମାଷ୍ଟରସେଫ'ରୁ ବାହାର କରିଦେଇଥିଲେ। ଏବେ ଏଭଳି ଦାବି କରିଛନ୍ତି ଖ୍ୟାତନାମା ରୋଷେୟା ସଞ୍ଜୀବ କପୁର। ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କଠାରୁ ଅଧିକ ଟଙ୍କା ମାଗିବା ପରେ ତାଙ୍କୁ ମାଷ୍ଟର ସେଫ ଇଣ୍ଡିଆ ସିଜନ ୧ରୁ ବାହାର କରାଯାଇଥିଲା ବୋଲି ସେ କହିଛନ୍ତି। ୨୦୧୦ରେ ଭାରତୀୟ ଦର୍ଶକଙ୍କ ପାଇଁ ମାଷ୍ଟର ସେଫ୍ ଇଣ୍ଡିଆ ଆରମ୍ଭ ହୋଇଥିଲା। ନିଜ ସ୍ବାଦିଷ୍ଟ ରାନ୍ଧଣାକୁ ବିଶ୍ବ ସ୍ତରରେ ପହଞ୍ଚାଇବା ପାଇଁ ଦେଶର ବିଭିନ୍ନ କୋଣରୁ ପ୍ରତିଯୋଗୀ ଆସିଥିଲେ। ପ୍ରଥମ ସିଜିନରେ ଅକ୍ଷୟ କୁମାର ଅନ୍ୟତମ ଜଜ୍ ଥିଲେ।

Advertisment

ଏକ ନୂତନ ସାକ୍ଷାତକାରରେ ସଞ୍ଜୀବ କପୁର କହିଛନ୍ତି ଯେ, ତାଙ୍କୁ ଅକ୍ଷୟଙ୍କ ସହ 'ମାଷ୍ଟରସେଫ'ର ଜଜ୍ ହେବାକୁ କୁହାଯାଇଥିଲା। ହେଲେ ନିର୍ମାତା ଅକ୍ଷୟଙ୍କଠାରୁ ଅଧିକ ଟଙ୍କା ଦେବାକୁ ରାଜିନଥିଲେ। ତାଙ୍କ କହିବା ମୁତାବକ, 'ମାଷ୍ଟରସେଫ' ଆରମ୍ଭ ହେବା ସମୟରେ ନିର୍ମାତା ମୋତେ କହିଥିଲେ ବର୍ତ୍ତମାନ ସଞ୍ଜୀବ କପୁରଙ୍କଠାରୁ ବଡ଼ ଆଉ କେହି ନାହାନ୍ତି। ତେଣୁ ସେ ମୋତେ ଜଜ୍ ଭାବେ ନେବାକୁ ଚାହୁଥିଲେ। କିଛି ଦିନ ପରେ ମୋ‌ତେ କୁହାଗଲା ଯେ, ସେ‌ା’ରେ ଅକ୍ଷୟ କୁମାର ମଧ୍ୟ ଜଜ୍ ହୋଇ ଆସିବେ। ଏହା ଶୁଣି ମୁଁ ଖୁସି ହେଲି। ହେଲେ ମୁଁ ନିର୍ମାତାଙ୍କ ଆଗରେ ଗୋଟେ ସର୍ତ୍ତ ରଖିଥିଲି ଯେ, ଅକ୍ଷୟ ନେଉଥିବା ପାରିଶ୍ରମିକଠାରୁ ଟଙ୍କାଟେ ଅଧିକ ମୋତେ ଦେବ। କାରଣ ମୁଁ ଏହି ପେସାରେ ଅଛି ଏବଂ ତାଙ୍କଠାରୁ ଅଧିକ ଜାଣିଛି। ହେଲେ ନିର୍ମାତା ରାଜି ହେଲେ ନାହିଁ। ତେଣୁ ମୁଁ ସିଜିନ-୧ କଲିନାହିଁ। କିନ୍ତୁ ସିଜିନ-୨ ସମୟରେ ନିର୍ମାତା ଅକ୍ଷୟଙ୍କୁ ହଟାଇ ମୋତେ ନେବାକୁ ଚାହିଁଲେ। ଏହା ପରେ ମୁଁ ମୋ ସର୍ତ୍ତ ହିସାବରେ ସୋ’ କରିବାକୁ ରାଜି ହେଲି।