ଭୁବନେଶ୍ବର: ହଲିଉଡ୍‌ ହେଉ କି ବଲିଉଡ୍‌ ପୁଣି ଭାରତୀୟ ଆଞ୍ଚଳିକ ଭାଷାର ସିନେମା ଜଗତରେ ବେଶ୍‌ କିଛିଦିନ ହେବ ପ୍ରଚାର ପ୍ରସାରର ଅଭିନବ ଦୃଶ୍ୟ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆ ପଞ୍ଝାରେ ଏବେ ପ୍ରାୟ ଦର୍ଶକ କାବୁ ହେଇଛନ୍ତି। ଆଉ ସମୟ ବାହାର କରି ପୂର୍ବ ପ୍ରସ୍ତୁତି ନେଇ କିଏ ବା ପ୍ରେକ୍ଷାଳୟକୁ ଯାଉଛି! ପ୍ରଥମେ ୟୁ-ଟ୍ୟୁବ୍‌, ଫେସ୍‌ ବୁକ୍‌ ଆଉ ହ୍ଵାଟ୍ସଆପ୍‌ରେ ନୂଆ ସିନେମାର ପ୍ରମୋ ଅଥବା ଗୀତଦୃଶ୍ୟ ଦେଖିବାଟା ହେଇଯାଉଛି। ପୁଣି କିଛିଦିନ ପରେ ପୂରା ସିନେମା ବି ସୋସିଆଲ ମିଡିଆରେ ଉପଲବ୍‌ଧ ହେଉଛି। ଏଥିପାଇଁ ସିନେମା ହଲ୍‌ରୁ ଦର୍ଶକ ମୁହଁ ଫେରାଇନେଲେଣି।

Advertisment

ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ତିଆରି ହେଇଥିବା ପ୍ରଥମ ଓଡ଼ିଆ କମର୍ସିଆଲ୍‌ ବାୟୋପିକ୍‌ ‘ଛବିରାଣୀ’ର ପ୍ରଚାର ପ୍ରସାର ପାଇଁ ପ୍ରଯୋଜକ ନିର୍ଦ୍ଦେଶକ ବବି ଇସ୍‌ଲାମ୍‌ ନୂଆ ବାଟ ଧରିଛନ୍ତି। ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିବାକୁ ଥିବା ‘ଛବିରାଣୀ’ ଚଳଚ୍ଚିତ୍ରର ‘ଛତା’ ମାଧ୍ୟମରେ ପ୍ରଚାର ହେଉଛି। ବସ୍‌ଷ୍ଟାଣ୍ଡ, ରେଳଷ୍ଟେସନ୍‌, ଏୟାରପୋର୍ଟ ବ୍ୟତୀତ ପ୍ରାୟ ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ ‘ଛବିରାଣୀ’ ପୋଷ୍ଟର ଥିବା ଛତା ବଣ୍ଟାଯାଉଛି। ଅବଶ୍ୟ ଅସହାୟ, ଅସମର୍ଥ ଏବଂ ବୃଦ୍ଧ ଓ ବୟସ୍କ ବ୍ୟକ୍ତିଙ୍କୁ ଏହି ଛତା ପ୍ରଦାନ କରାଯାଉଛି।

publive-image

ଏହାଭିତରେ ଜଗତସିଂହପୁର ଏବଂ ଏହି ଜିଲ୍ଲାର ଦଳେଇ ଘାଇ, କନ୍ଦରପୁର, ବାଲିକୁଦା ସହିତ କଟକ, ବ୍ରହ୍ମପୁର, ବାଲେଶ୍ୱର, ବାରିପଦା, ରାଉରକେଲା, ଯାଜପୁର ଆଦି ଅଞ୍ଚଳରେ ଛବିରାଣୀ ଛତା ଦେଖିବାକୁ ମିଳିଲାଣି। ପ୍ରଯୋଜନା ସଂସ୍ଥା ଅତିକମ୍‌ରେ ପାଞ୍ଚ ହଜାର ଛତା ବାଣ୍ଟିବାକୁ ଲକ୍ଷ୍ୟ ରଖିଛି। ସବୁଠୁ ମଜା କଥା ହେଲା, ‘ଛବିରାଣୀ’ ଛତା ବସ୍‌ରେ ଯାଇ ପହଞ୍ଚିଛି କୋଲକାତାରେ। ଚଳଚ୍ଚିତ୍ର ‘ଛବିରାଣୀ’ର ନାୟିକା ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ ଏଇ ଛତା ଧରି ସେଠାରେ ସେଲ୍‌ଫି ନେଇଛନ୍ତି। ଏହି ଫଟୋ ମାଧ୍ୟମରେ ଚନ୍ଦ୍ରାଣୀ ଓଡ଼ିଶାର ସିନେପ୍ରେମୀଙ୍କୁ ‘ଛବିରାଣୀ’ ଚଳଚ୍ଚିତ୍ର ଦେଖିବାକୁ ଆହ୍ଵାନ କରିଛନ୍ତି।