ଭାବୁକ କରୁଛି ‘ଛପକ’ର ଟ୍ରେଲର : ଦୀପିକା କହିବେ ଏସିଡ୍‌ ପୀଡ଼ିତାଙ୍କ ସଂଘର୍ଷ କାହାଣୀ

ଭୁବନେଶ୍ବର : ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌ ନୂଆବର୍ଷ ୨୦୨୦ ଆରମ୍ଭରୁ ଏକ ନୂଆ ରୂପରେ ଦେଖାଦେବେ। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଝିଅଟିଏ କିଭଳି ସମାଜରେ ଏସିଡ୍‌ ବିକ୍ରି ବିରୋଧରେ ସ୍ବର ଉତ୍ତୋଳନ କରି ବିଜୟୀ ହେଉଛି, ତାହାର ଚିତ୍ରଣ ଦେଖିବାକୁ ମିଳିବ। ୨୦୦୫ ମସିହାରେ ୧୫ବର୍ଷୀୟା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନଦିମ୍‌ ଖାନ୍‌ ନାମକ ବ୍ୟକ୍ତି ଏସିଡ୍‌ ଆକ୍ରମଣ କରିବା ପରେ ତାଙ୍କ ସହିତ ଘଟିଥିବା ପୂରା ଘଟଣାକୁ ‘ଛପକ’ରେ ଚିତ୍ରଣ କରାଯାଇଛି। ବଡ଼ କଥା ହେଉଛି, ଏସିଡ୍‌ ବିକ୍ରି ଉପରେ ଅଙ୍କୁଶ ଲଗାଇବା ପାଇଁ ୨୭ହଜାର ଦସ୍ତଖତ ସଂଗ୍ରହ କରି ସେ ଯେପରି ଉଚ୍ଚନ୍ୟାୟାଳୟରେ ଲଢ଼ିଥିଲେ ତାହା ତାଙ୍କୁ ସମଗ୍ର ବିଶ୍ବରେ ପରିଚିତି ଦେଇଥିଲା। ନିର୍ଦେଶିକା ମେଘନା ଗୁଲ୍‌ଜାର ଓ ଦୀପିକା ପାଦୁକୋନ୍‌ ଲକ୍ଷ୍ମୀଙ୍କ ବାସ୍ତବ କାହାଣୀ ଦ୍ବାରା ଏତେ ପ୍ରଭାବିତ ହୋଇଥିଲେ ଯେ ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଆଗେଇ ଆସିଥିଲେ।

‘ଛପକ’ରେ ଦୀପିକା ପାଦୁକୋନ୍‌ ଲକ୍ଷ୍ମୀଙ୍କ ଭୂମିକା ନିଭାଉଥିବା ବେଳେ ତାଙ୍କ ବିପକ୍ଷରେ ଅଛନ୍ତି ବିକ୍ରାନ୍ତ ମାସେ। ଚଳଚ୍ଚିତ୍ରର ଟ୍ରେଲର୍‌ ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଦର୍ଶକ ଏହି ଭିଡିଓ ଦେଖିବା ମାତ୍ରେ ଭାବୁକ ପାଲଟି ଯାଉଛନ୍ତି। ଚଳଚ୍ଚିତ୍ରଟି ୧୦ତାରିଖରେ ମୁକ୍ତିଲାଭ କରିବାକୁ ଯାଉଥିଲେ ହେଁ ଏବେଠୁ ଦୀପିକାଙ୍କ ପରିବର୍ତେ ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ବିଷୟରେ ଜାଣିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିବାରେ ‌ଲାଗିଛି।

ଲକ୍ଷ୍ମୀ ଅଗ୍ରୱାଲ୍‌ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ଏସିଡ୍‌ ଆକ୍ରମଣ ପରେ ମୁଁ ଯେବେ ମେଡିକାଲ୍‌ରେ ଧୀରେଧୀରେ ସୁସ୍ଥ ହେଉଥାଏ ସେତେବେଳେ ସେ ରହୁଥିବା ୱାର୍ଡରେ ଆଇନାଟିଏ ବି ନ ଥାଏ। ତେଣୁ ଯେତେବେଳେ ନିଜର ବ୍ୟାଣ୍ଡେଜ୍‌ଡ ମୁହଁକୁ ପାଣିରେ ଦେଖିଲି, ମୁଁ କେବେ ମୋ ‌ପ୍ରକୃତ ଚେହେରାକୁ ଦେଖିଥିଲି ମନେ ପକେଇ ବହୁତ ଭାଙ୍ଗି ପଡ଼ିଥିଲି। ତେବେ ଏତିକିରେ ଅଟକି ଯାଇନି ତାଙ୍କର ଜୀବନଯାତ୍ରା। ବରଂ ଯୋଉ ଏସିଡ୍‌ ତାଙ୍କର ଏଭଳି ଦଶା କଲା ସେଇ ଏସିଡ୍‌ ବିରୋଧରେ ସେ ଲଢ଼େଇ କରି ଖାଲି ଏସିଡ୍‌ ବିକ୍ରି ଉପରେ ଅଙ୍କୁଶ ଲଗାଇଲେ ନାହିଁ, ବରଂ ଏସିଡ୍‌ ପୀଡ଼ିତାଙ୍କ ପାଇଁ ପାଲଟି ଯାଇଛନ୍ତି ଉଦାହରଣ।

ଛପକର ନିର୍ଦେଶିକା ମେଘନା ଗୁଲ୍‌ଜାର ଦୀପିକା ପାଦୁକୋନ୍‌ଙ୍କୁ ଏହି ଭୂମିକାରେ ନେବା ପାଇଁ ପସନ୍ଦ କରିବାର କାରଣ ସମ୍ପର୍କରେ ମତ ରଖି ଏକ ସାକ୍ଷାତକାରରେ କହିଛନ୍ତି, ସେ ୨୦୧୬ରେ ଲକ୍ଷ୍ମୀଙ୍କୁ ଭେଟିବା ସହ ତାଙ୍କ ସହ ଗୋଟେ ବର୍ଷ ବିତାଇଥିଲେ। ଯେବେ ସେ ଲକ୍ଷ୍ମୀଙ୍କ ଏସିଡ୍‌ ଆକ୍ରମଣ ପୂର୍ବର ଫଟୋ ଦେଖିଲେ, ତାଙ୍କ ସାମ୍ନାରେ ଦୀପିକା ହିଁ ପ୍ରଥମ ପସନ୍ଦ ଭାବେ ମନକୁ ଆସିଥିଲେ। ଦୀପିକା ଓ ଲକ୍ଷ୍ମୀଙ୍କ ମଧ୍ୟରେ ଅଲୌକିକ ସମାନତା ଉପଲବ୍ଧି କରିଥିଲେ। ତେଣୁ ସେ ଛପକରେ ଦୀପିକାକୁ ନେଇଥିଲେ ‌ବୋଲି କହିଥିଲେ।

ସମ୍ବନ୍ଧିତ ଖବର