ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ସାମ୍ନାକୁ ଆସିଛି। ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ସହ ଜଡିତ ଏକ ମାନହାନୀ ମାମଲାରେ ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ରାଜଶେଖର ଏବଂ ତାଙ୍କ ପତ୍ନୀ ଜୀବିତାଙ୍କୁ କୋର୍ଟ ୧ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ନାମପଲିର ୧୭ତମ ଅତିରିକ୍ତ ମୁଖ୍ୟ ମହାନଗର ନିଗମ ମାଜିଷ୍ଟ୍ରେଟ୍ ଏହି ଦମ୍ପତିଙ୍କୁ ଏକ ବର୍ଷ ଜେଲ ଦଣ୍ଡ ସହ ୫୦୦୦ଟଙ୍କା ଜରିମାନା ଦେବାକୁ କହିଛନ୍ତି।

Advertisment

ସୂଚନା ମୁତାବକ, ଚିରଞ୍ଜୀବୀ ବ୍ଲଡ ବ୍ୟାଙ୍କ ମାଧ୍ୟମରେ ଅଭାବୀ ଲୋକଙ୍କୁ ସାହାଯ୍ୟ କରାଯାଏ। ୨୦୧୧ମସିହାରେ, ଦକ୍ଷିଣ ସିନେମାର ଅଭିନେତା ରାଜଶେଖର ଏବଂ ତାଙ୍କ ପତ୍ନୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ମେଗାଷ୍ଟାର ଚିରଞ୍ଜୀବୀଙ୍କ ଦ୍ୱାରା ପରିଚାଳିତ ଏହି ବ୍ଲଡ ବ୍ୟାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ବ୍ଲଡ ବ୍ୟାଙ୍କ ମାଧ୍ୟମରେ ସଂଗୃହିତ ରକ୍ତ ଅଭାବୀ ଲୋକଙ୍କୁ ଦିଆ ନଯାଇ ବଜାରରେ ବିକ୍ରି ହେଉଛି।

ତାଙ୍କର ଏଭଳି ଦାବି ପରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବାପା ଚଳଚ୍ଚିତ୍ର ନିର୍ମାତା ଅଲ୍ଲୁ ଅରବିନ୍ଦ, ରାଜଶେଖର ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ମାମଲା ଦାୟର କରି କୋର୍ଟରେ ପହଞ୍ଚିଥିଲେ। ରାଜାଶେଖର ଏବଂ ତାଙ୍କ ପତ୍ନୀ ଜୀବିତାଙ୍କ ଅଭିଯୋଗ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରି ସେ କହିଥିଲେ ଯେ ଚିରଞ୍ଜୀବୀଙ୍କ ବ୍ଲଡ ବ୍ୟାଙ୍କ ବିରୋଧରେ ଦୁହେଁ ଆଣିଥିବା ଅଭିଯୋଗ ମିଥ୍ୟା। ଚିରଞ୍ଜୀବୀଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ଦୁହେଁ ଏପରି କଥା କହିଥିଲେ ବୋଲି ଅଲ୍ଲୁ ଅରବିନ୍ଦ ଅଭିଯୋଗ କରିଥିଲେ। ପରେ ଏହି ବ୍ଲଡ ବ୍ୟାଙ୍କ ବିରୋଧରେ ଗଣମାଧ୍ୟମରେ ଦମ୍ପତିଙ୍କ ଅଭିଯୋଗ ସିଡି ଫର୍ମରେ କୋର୍ଟରେ ଦାଖଲ କରାଯାଇଥିଲା।

ଏହି ମାମଲାର ଦୀର୍ଘ ଦିନର ଶୁଣାଣି ଏବଂ ଅନୁସନ୍ଧାନ ପରେ ଶେଷରେ କୋର୍ଟ ରାୟ ଦେଇଛନ୍ତି।