ଭୁବନେଶ୍ୱର: ବର୍ତ୍ତମାନ ଓଡ଼ିଶାରେ ଭଲ ଫିଲ୍ମ ନିର୍ମାଣ ହେଉଛି ବୋଲି ଗୋଟିଏ ଧାରଣା ସୃଷ୍ଟି ହେଲାଣି। ଫଳରେ ପୁଣି ଦର୍ଶକ ଓଡ଼ିଆ ସିନେମାମୁହାଁ ହେଉଛନ୍ତି। ଓଡ଼ିଆ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଛି, ଶିକ୍ଷିତ ଯୁବପିଢ଼ି ମଧ୍ୟ ଏ ସିନେମା ଦେଖିବାକୁ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଦର୍ଶକଙ୍କ ଭିତରେ ଏଥିପାଇଁ ଉତ୍କଣ୍ଠା ଭରି ରହିଛି। ହେଲେ ଦୁଃଖର କଥା, ଓଡ଼ିଆ ଫିଲ୍ମ ଦେଖିବାକୁ ହଲ୍‌ ନାହିଁ। ଯାହା ଅଛି, ସେ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି।  

Advertisment

କିଛି କାଳ ଧିମେଇବାପରେ ବର୍ତ୍ତମାନ କମ୍‌ ସଂଖ୍ୟାରେ ହେଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଭଲ ଓଡ଼ିଆ ଫିଲ୍ମ ନିର୍ମାଣ ହେଉଛି। ‘ପ୍ରତୀକ୍ଷା’ ଓ ‘ଦମନ’ ଭଳି ଫିଲ୍ମ ଓଡ଼ିଆ ଦର୍ଶକଙ୍କ ଭିତରେ ସକାରାତ୍ମକ ଭାବ ଯୋଡ଼ିଥିବା ବେଳେ ଏହି ଧାରାକୁ ଏବେ ଆଗକୁ ନେଉଛି ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କର୍ମ’। ଓଡ଼ିଶା ସମେତ ସାରାଦେଶରେ ‘କର୍ମ’କୁ ନେଇ ଗୋଟିଏ କ୍ରେଜ୍‌ ସୃଷ୍ଟି ହୋଇଛି। ଗୋଟିଏ ପରେ ଗୋଟେ ରେକର୍ଡ ବ୍ରେକ୍‌ କରୁଛି ‘କର୍ମ’। ସେହିପରି ସମାନ ଦଶହରାରେ ରିଲିଜ୍ ହୋଇଥିବା ଫିଲ୍ମ ‘ଭିଲେନ୍‌’ ମଧ୍ୟ ଦଶହରା ବଜାରରୁ ପଇସା ଛାଣୁଛି। ହେଲେ ଦୁଃଖର କଥା, ଓଡ଼ିଶାରେ ଏ ଫିଲ୍ମକୁ ଦେଖିବାକୁ ଚାହୁଥିବା ଦର୍ଶକଙ୍କ ପାଖରେ ହଲ୍‌ ନାହିଁ। ଏକଦା ୧୦୦ରୁ ଅଧିକ ହଲ୍‌ ଥିବା ଓଡ଼ିଶାରେ ଏବେ ୨୦୦-୩୦୦ ହଲ୍‌ ହେବା କଥା। କିନ୍ତୁ ଏବେ ମାତ୍ର ୫୨ଟି ହଲ୍‌ ବଞ୍ଚି ରହିଛି। ପୁଣି ସେଥିରୁ ୩୦ଟି ହେଉଛି ମଲ୍ଟି ପ୍ଲେକ୍ସ, ମାତ୍ର ୨୨ଟି ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ ରହିଛି। ୧୯୯୯ ମସିହା ମହାବାତ୍ୟା ପରେ ଅଧିକାଂଶ ଫିଲ୍ମ ହଲ୍‌ ବନ୍ଦ ହୋଇଯାଇଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଗତ ୧୦ ବର୍ଷରେ ୪୦ରୁ ଅଧିକ ହଲ୍‌ ବନ୍ଦ ହୋଇଥିବା ଜଣାପଡ଼ିଛି।

ରାଜ୍ୟରେ ସିନେମା ହଲ୍‌ ସଂଖ୍ୟା କମୁଛି

୧୦ ବର୍ଷରେ ବନ୍ଦ ହେଲାଣି ୪୦ରୁ ଅଧିକ

ଓଡ଼ିଆ ଫିଲ୍ମ ଦେଖିବାରୁ ବଞ୍ଚିତ ଗ୍ରାମାଞ୍ଚଳ ଦର୍ଶକ

୩୦ଟି ମଲ୍ଟି ପ୍ଲେକ୍ସ ଓ ୨୨ଟି ସିଙ୍ଗଲ୍‌ ସ୍କ୍ରିନ୍‌ ସିନେମା ହଲ୍‌ ଉପରେ ପୂରା ଶିଳ୍ପ ନିର୍ଭରଶୀଳ

ଭୁବନେଶ୍ବରରେ ଏକାମ୍ର, ରବି ଟକିଜ୍‌ ଭଳି ହଲ୍ ବନ୍ଦ ହୋଇଯାଇଛି। ଖାଲି ଭୁବନେଶ୍ବରର ନୁହେଁ, ପୁରୀ ସହରରେ ଏବେ ସିନେମା ହଲ୍‌ଟିଏ ନାହିଁ। ପୁରୀର ଶ୍ରୀକୃଷ୍ଣ, ଜନତା ଓ ଲକ୍ଷ୍ମୀ ଟକିଜ୍ ଇତିହାସ ହୋଇଗଲେଣି। କଟକରେ ନିଶାମଣି, ଗ୍ରାଣ୍ଡ ସିନେମା, ଜୟଶ୍ରୀ ଆଦି ହଲ୍‌ ବନ୍ଦ ହୋଇଯାଇଛି। ଓଡ଼ିଆ ଫିଲ୍ମ ଅଧିକ ମାତ୍ରାରେ ଦେଖୁଥିବା ଉପକୂଳ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଅଞ୍ଚଳରେ ମଧ୍ୟ ହଲ୍‌ ସଂଖ୍ୟା ଅତି ନଗଣ୍ୟ ପାଲଟିଗଲାଣି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା ୨୬, ହେଲେ ସିନେମା ହଲ୍‌ ସଂଖ୍ୟା ୨,୮୦୦ରୁ ଅଧିକ। ପଶ୍ଚିମବଙ୍ଗର ଜିଲ୍ଲା ସଂଖ୍ୟା ୩୦ ହୋଇଥିବା ବେଳେ ସେଠି ଫିଲ୍ମ ହଲ୍‌ ସଂଖ୍ୟା ୪୦୦ରୁ ଅଧିକ, କିନ୍ତୁ ଓଡ଼ିଶାରେ ମାତ୍ର ୫୨ଟି। ଯଦିଓ ବ୍ୟାବସାୟିକ ଫିଲ୍ମ ଦୃଷ୍ଟିରୁ ଦେଖିଲେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି ସହିତ ପ୍ରାୟ ସମାନ! ଗାଁ ଗହଳିରେ ରହୁଥିବା ଦର୍ଶକ ଫିଲ୍ମଟିଏ ଦେଖିବାକୁ ଜିଲ୍ଲା ମୁଖ୍ୟାଳୟ କିମ୍ବା ରାଜଧାନୀ ଆସୁଛନ୍ତି।

ଏମିତି କରିପାରୁଥିବା ଦର୍ଶକଙ୍କ ସଂଖ୍ୟା ବହୁତ କମ୍‌। କିନ୍ତୁ ଦେଖିବାକୁ ଗ‌ଲେ ସେହି ଗାଁ ଗହଳିର ଲୋକଙ୍କ ପାଖରେ ଓଡ଼ିଆ ଭାଷା ବଞ୍ଚି ରହିଛି। ଓଡ଼ିଆ ଫିଲ୍ମର ମଧ୍ୟ ବଡ଼ ବଜାର ସେଇଠି ରହିଛି। କିନ୍ତୁ ଗ୍ରାମାଞ୍ଚଳର ଲୋକେ ଓଡ଼ିଆ ଫିଲ୍ମ ଦେଖିବାକୁ ବଞ୍ଚିତ ହେଉଛନ୍ତି। ତେବେ ଓଡ଼ିଶାରେ ନୂଆ ସରକାର ଆସିବା ପରେ ଅନେକଙ୍କ ଭିତରେ ଓଡ଼ିଶା ସିନେମା ଶିଳ୍ପକୁ ନେଇ ଆଶା ସଞ୍ଚରିଛି। ଏଭଳି ସ୍ଥିତିରେ ବଞ୍ଚିବାର ରାହା ଖୋଜୁଥିବା ରାଜ୍ୟ ସିନେଶିଳ୍ପକୁ ପୁନର୍ଜୀବନ ଦେବା କ୍ଷେତ୍ରରେ ନୂଆ ସରକାର କି ପଦକ୍ଷେପ ନେଉଛନ୍ତି, ତା' ଉପରେ ସମସ୍ତଙ୍କ ନଜର ରହିଛି।