ହୃଦଘାତର ଶିକାର ହେଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି

ମୁମ୍ବାଇ: ହୃଦଘାତର ଶିକାର ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ହଠାତ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଦିଲ୍ଲୀର ସରକାରୀ ଡାକ୍ତରଖାନା ଏମ୍ସରେ ଭର୍ତ୍ତି କରାଯାଇଛି। ରାଜୁ ଶ୍ରୀବାସ୍ତବଙ୍କ ଭାଇ ଏହି ଖବରକୁ ନିଶ୍ଚିତ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ରାଜୁ ଶ୍ରୀବାସ୍ତବ ହୋଟେଲ ଜିମରେ ବ୍ୟାୟାମ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ସେ ରହୁଥିବା ହୋଟେଲର ଜିମକୁ ଯାଇ ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ କିଛି ସମୟ ପରେ ସେ ତଳେ ପଡ଼ିଯାଇଥିଲା। ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ରାଜୁଙ୍କ ଜିମ୍ ପ୍ରଶିକ୍ଷକ ତାଙ୍କୁ ଏମ୍ସ ନେଇଥିବା ବେଳେ ତାଙ୍କ ହୃଦୟକୁ ପୁନଃ ସ୍ଥାପିତ କରିବା ପାଇଁ ଦୁଇଥର ସିପିଆର ଦିଆଯାଇଥିବା ଜଣାପଡ଼ିଛି।

ରାଜୁଙ୍କ ପିଆରଓ ଅଜିତ ସକ୍ସେନା କହିଛନ୍ତି ଯେ, ହାସ୍ୟ ଅଭିନେତା ଦଳର କିଛି ବଡ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ରହିଥିଲେ। ସକାଳେ ଜିମ୍ ଯାଇ ବ୍ୟାୟାମ କରୁଥିବାବେଳେ ତାଙ୍କର ହୃଦଘାତ ହୋଇଥିଲା। ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ରାଜୁ ଶ୍ରୀବାସ୍ତବଙ୍କ ହୃଦ ସ୍ପନ୍ଦନ ଠିକ ରହିଛି ଏବଂ ସେ ସୁସ୍ଥ ହେଉଛନ୍ତି। ଏଭଳି କହି ଅଜିତ ସକ୍ସେନା ହାସ୍ୟ ଅଭିନେତାଙ୍କ ସମସ୍ତ ପ୍ରଶଂସକଙ୍କୁ ରାଜୁଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ହାସ୍ୟ ଅଭିନେତାଙ୍କୁ ନେଇ ଆସିଥିବା ଏହି ଦୁଃଖଦ ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ଏହା ସହ ପ୍ରଶଂସକମାନେ ରାଜୁ ଶ୍ରୀବାସ୍ତବଙ୍କ ଶୀଘ୍ର ସୁସ୍ଥତା କାମନା କରି ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର