ମୁମ୍ବାଇ: ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ଅଭିଯୁକ୍ତ ମହାଠକ ସୁକେଶ ଚନ୍ଦ୍ରଶେଖରର ନାମ ଦୀର୍ଘ ଦିନ ଧରି ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ସହ ଯୋଡା ଯାଉଛି। ସୁକେଶ ତାଙ୍କୁ ଅନେକ ଥର ବିଶେଷ ଉପହାର ମଧ୍ୟ ଦେଇଛନ୍ତି। ପୂର୍ବରୁ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଏବେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ୩୯ତମ ଜନ୍ମଦିନରେ ସୁକେଶ ତାଙ୍କୁ ଏକ ବିଳାସପୂର୍ଣ୍ଣ ଜାହାଜ ଉପହାର ଦେବାକୁ ଯାଉଥିବା ଜଣାପଡ଼ିଛି। ନ୍ୟୁଜ୍ ଏଜେନ୍ସି ଆଏଏନଏସର ରିପୋର୍ଟ ଅନୁଯାୟୀ, ସୁକେଶ ଚନ୍ଦ୍ରଶେଖର ଦାବି କରିଛି ଯେ, ୨୦୨୧ ମସିହାରେ ଜାକଲିନ ପସନ୍ଦ କରିଥିବା ବିଳାସପୂର୍ଣ୍ଣ ଜାହାଜକୁ ସେ ଉପହାର ଆକାରରେ ଦେବେ, ଯାହାର ନାମ ରହିଛି 'ଲେଡି ଜାକଲିନ୍'।
ତିହାରରୁ ସୁକେଶ ଏକ ଚିଠି ଲେଖି ଜାକଲିନଙ୍କୁ ଜନ୍ମଦିନରେ ଦେଉଥିବା ଉପହାର ବିଷୟରେ ଜଣାଇଛି। ଏହା ସହ ସେ କେରଳର ୱାଏନାଡରେ ହୋଇଥିବା ଭୂସ୍ଖଳନ ପାଇଁ ରାଜ୍ୟ ସରକାରଙ୍କୁ ୧୫କୋଟି ଦେବା ସହ ୩୦୦ଘର ନିର୍ମାଣ କରିବେ ବୋଲି ଚିଠିରେ ଦାବି କରିଛି। ସୁକେଶ ଜାକଲିନଙ୍କୁ ପଠାଇଥିବା ଚିଠିରେ ଲେଖିଛି ଯେ, "ଜନ୍ମଦିନର ଶୁଭେଚ୍ଛା ମୋ ବେବି ଗର୍ଲ। ତୁମକୁ ଜୀବନରେ ବହୁତ ସଫଳତା ମିଳୁ। ଆମେ ଦୂରରେ ଥାଇ ବି ଆମ ହୃଦୟ ପରସ୍ପର ସହ ଜଡ଼ିତ ଅଛି। ତୁମ ଜନ୍ମଦିନ ପାଇଁ ଏହି ମାସରେ 'ଲେଡି ଜାକଲିନ୍' ନାମକ ଏକ ଜାହାଜ ତୁମକୁ ପ୍ରଦାନ କରାଯିବ। ଏହି ଜାହାଜର ସମସ୍ତ ଟିକସ ମଧ୍ୟ ପ୍ରଦାନ କରାଯାଇଛି। ଏହା ବର୍ତ୍ତମାନ ସମ୍ପୂର୍ଣ୍ଣ ବୈଧ ଅଟେ। ଏହା ସହ ଜାକଲିନଙ୍କ ଗୀତ 'ୟିମ୍ମି ୟିମ୍ମି'କୁ ସୁପରହିଟ୍ କରିଥିବାରୁ ତାଙ୍କର ପ୍ରଶଂସକଙ୍କ ମଧ୍ୟରୁ ୧୦୦ଜଣକୁ ୧୦୦ଟି ଆଇଫୋନ-୧୫ ଦେବି" ବୋଲି ଲେଖିଛି ସୁକେଶ।