ଗ୍ୟାଙ୍ଗଷ୍ଟରରୁ ଆରମ୍ଭକରି ରାଜ୍ ଦ ମିଷ୍ଟ୍ରିଜ୍, ଓ ଲମ୍ହେ, ସାକା ଲାକା ବୁମ୍ ବୁମ୍, ଲାଇଫ୍ ଇନ୍ ଏ ମେଟ୍ରୋ, ଫ୍ୟାସନ୍, ୱାଦା ରହା, କାଇଟ୍ସ, ୱାନ୍ସ ଅପନ ଏ ଟାଇମ୍ ଇନ୍ ମୁମ୍ବାଇ, ନକ୍ ଆଉଟ୍, ନୋ ପ୍ରୋବ୍ଲେମ୍, ତନୁ ୱେଡ୍ସ ମନୁ, ଗେମ୍, ଡବଲ୍ ଧମାଲ୍, କୁଇନ୍, କ୍ରିଶ୍-୩, ଧଡକ୍, ଲକ୍ ଅପ୍ ପରି ଚଳଚ୍ଚିତ୍ରର ନାୟିକା କଙ୍ଗନା ରଣାୱତ୍। ସେ ଦୁଇ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ୨୦୨୧ ସେପ୍ଟେମ୍ବର ମାସରେ ଅଭିନେତ୍ରୀ-ନେତ୍ରୀ ଜୟଲଳିତାଙ୍କ ଜୀବନୀ ଆଧାରରେ ସେ ନିଜେ ନିର୍ମାଣ କରିଥିଲେ ଚଳଚ୍ଚିତ୍ର ‘ଥଲାଇବୀ’। ଉକ୍ତ ଚଳଚ୍ଚିତ୍ରଟି ସାରା ବିଶ୍ବରେ ମୁକ୍ତିଲାଭ କରିଥିଲା। ହେଲେ କରୋନା ସଂକ୍ରମଣ ଯୋଗୁ ଏହା ବ୍ୟବସାୟିକ ସଫଳତା ପାଇ ନ ଥିଲା।
ଏଇ ଚଳଚ୍ଚିତ୍ର ପାଇଁ କଙ୍ଗନାଙ୍କୁ ସାହାଯ୍ୟ କରିଥିଲା ଜି ଷ୍ଟୁଡିଓଜ୍। କଙ୍ଗନାଙ୍କୁ ଅନ୍ୟୂନ ଛ’ କୋଟି ଟଙ୍କା ଦେଇଥିଲା ଏବଂ ସାରା ବିଶ୍ବରେ ଏଇ ଚଳଚ୍ଚିତ୍ରର ବିତରଣ ଭାର ନେଇଥିଲା ଜି ଷ୍ଟୁଡିଓଜ୍। ଏବେ ଇଣ୍ଡିଆନ୍ ମୋସନ୍ ପିକଚର ପ୍ରଡ୍ୟୁସର୍ସ ଆସୋସିଏସନ୍ (ଆଇଏମ୍ପିପିଏ) ପାଖରେ ଫେରାଦ ଦେଇଛି ଜି ଷ୍ଟୁଡିଓଜ୍। କାରଣ କ’ଣ ଜାଣନ୍ତି, କଙ୍ଗନା ଏପର୍ଯ୍ୟନ୍ତ ଜି ଷ୍ଟୁଡିଓଜ୍କୁ ଦେଇଥିବା ଟଙ୍କା ଫେରାଇନାହାନ୍ତି । ବେଶ୍ କିଛିଦିନ ହେବ ବିଭିନ୍ନ ବିବାଦ ଘେରରେ ରହିଥିବା କଙ୍ଗନା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଚଳଚ୍ଚିତ୍ର ‘ଥଲାଇବୀ’ ପାଇଁ। ଏଇ ଚଳଚ୍ଚିତ୍ରଟି ଭାଇବ୍ରି ମୋସନ୍ ପିକ୍ଚର୍ସ ନିର୍ମାଣ କରିଥିଲା, ଯାହାର ପ୍ରଯୋଜିକା ନିଜେ କଙ୍ଗନା ରଣାୱତ୍।
ଚଳଚ୍ଚିତ୍ର ‘ଥଲାଇବୀ’ରେ କଙ୍ଗନାଙ୍କ ବ୍ୟତୀତ ଅରବିନ୍ଦ ସ୍ବାମୀ, ଭାଗ୍ୟଶ୍ରୀ ଏବଂ ରାଜ୍ ଅର୍ଜୁନ ପ୍ରଭୃତି କଳାକାରମାନେ ପ୍ରମୁଖ ଭୂମିକାରେ ଅଛନ୍ତି। ଅଭିନେତ୍ରୀ-ନେତ୍ରୀ ଜୟଲଳିତାଙ୍କ ଜୀବନ କାହାଣୀ ଉପରେ ପର୍ଯ୍ୟବସିତ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଏ. ଏଲ୍. ବିଜୟ। ପ୍ରଥମେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ଏହା ପରେ ନେଟ୍ଫ୍ଲିକ୍ସ ମାଧ୍ୟମରେ ଦର୍ଶକ ଦେଖିଲେ। କିନ୍ତୁ ମଲ୍ଟିପ୍ଲେକ୍ସରୁ ଏହା ବାଦ୍ ପଡ଼ିଗଲା। ମାତ୍ର ୩୨ ଲକ୍ଷ ଟଙ୍କାର ବ୍ୟବସାୟରୁ ଆରମ୍ଭ ହେଇଥିବା ଏଇ ଫିଲ୍ମର ମୋଟ ବ୍ୟବସାୟ ୨ କୋଟିରେ ପହଞ୍ଚିଛି। ଅବଶ୍ୟ ତେଲୁଗୁ ଓ ତାମିଲ୍ ଭାଷାରେ ମୁକ୍ତିଲାଭ କରିଥିବା ‘ଥଲାଇବୀ’ ଚିତ୍ରଟିର ବ୍ୟବସାୟ ୫.୭୫ କୋଟିରେ ପହଞ୍ଚିଛି। ହେଲେ ଜି ଷ୍ଟୁଡିଓଜ୍ର ୬ କୋଟି ଟଙ୍କା ଫେରସ୍ତ କରିବାରେ କଙ୍ଗନା ସମର୍ଥ ହେଇନାହାନ୍ତି। କଙ୍ଗନାଙ୍କୁ ଏଥିପାଇଁ ଜି ଷ୍ଟୁଡିଜ୍ ପକ୍ଷରୁ ଭର୍ତ୍ସନା କରଯାଇ କୁହାଯାଇଛି ତୁମେ ଜଣେ ବିବାଦୀୟ ନାୟିକା। ସମ୍ଭବତଃ ଏଥିପାଇଁ କଙ୍ଗନାଙ୍କ ନାଁରେ ଜି ଷ୍ଟୁଡିଓଜ୍ ପୋଲିସରେ ମାମଲା ରୁଜୁ କରିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/thai.jpg)