ବିଶ୍ୱ ଇତିହାସରେ ଅନେକ ଫିଲ୍ମ ବିବାଦ ଓ ବିରୋଧର ଶିକାର ହୋଇଛନ୍ତି। ଅନେକ ଫିଲ୍ମକୁ ମୂଳରୁ ରିଲିଜ୍ ହେବାକୁ ମଧ୍ୟ ଦିଆ ଯାଇନାହିଁ। ଫିଲ୍ମକୁ କେନ୍ଦ୍ରକରି ପୋଡ଼ାଜଳା ଓ ଦଙ୍ଗା ହୋଇଛି। ଏ ପ୍ରସଙ୍ଗରେ ବୋଧେ ଭାରତ ଅନ୍ୟ ଅନେକ ଆଧୁନିକ ଦେଶଠାରୁ ଆଗରେ ରହିଛି! ଏହାର କାରଣ ହେଉଛି, ଭାରତୀୟମାନେ ଫିଲ୍ମକୁ ନେଇ ପାଗଳ, କିନ୍ତୁ ଇତିହାସ, ନେତା ଓ ଅନ୍ୟ ଅନେକ ପ୍ରସଙ୍ଗକୁ ନେଇ ଖୁବ୍ ସ୍ପର୍ଶକାତର। ବର୍ତ୍ତମାନ ଚର୍ଚ୍ଚାରେ ଥିବା ଫିଲ୍ମ ‘ପଦ୍ମାବତ୍’କୁ ନେଇ ସାରା ଦେଶରେ କିଭଳି ବିରୋଧର ବହ୍ନି ଜଳୁଛି, ସମସ୍ତେ ଜାଣନ୍ତି। ଫିଲ୍ମଟି ଗତ ୨୫ ତାରିଖରେ ସାରା ଭାରତରେ ରିଲିଜ୍ ତ ହୋଇଛି, କିନ୍ତୁ ତା’ର ଭବିଷ୍ୟତକୁ ନେଇ ଏଯାଏ ପ୍ରଶ୍ନଚିହ୍ନ ରହିଛି। ଏ ଲେଖା ପ୍ରକାଶ ପାଇବାବେଳକୁ ସ୍ଥିତି କ’ଣ ହୋଇଥିବ, ଏବେଠୁ କହିବା ଅସମ୍ଭବ। ‘ପଦ୍ମାବତ୍’ ପୂର୍ବରୁ ଆହୁରି ଅନେକ ଭାରତୀୟ ଫିଲ୍ମ ବିରୋଧ ଓ ବିବାଦର ଶିକାର ହୋଇଛନ୍ତି।
ଗର୍ମ ହାଓ୍ଵା (୧୯୭୩ )
‘ଗର୍ମ ହାଓ୍ଵା’ ପ୍ରଖ୍ୟାତ ଉର୍ଦ୍ଦୁ ଲେଖକ ଇସ୍ମତ୍ ଚୁଗ୍ତାଇଙ୍କ ଲିଖିତ ଏକ ଗଳ୍ପ ଉପରେ ପର୍ଯ୍ୟବେସିତ ଥିଲା। ୧୯୪୭ ମସିହାରେ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଥିଲେ ମଧ୍ୟ ଦେଶର ବିଭାଜନ ପରେ ଲୋକମାନେ କିଭଳି ପରିସ୍ଥିତିର ସାମ୍ନା କରିଥିଲେ, ତାହା ଏଥିରେ ଦର୍ଶାଯାଇଥିଲା। ଫିଲ୍ମଟିର କେନ୍ଦ୍ରରେ ଥିଲା ଜଣେ ମୁସଲମାନ ବ୍ୟବସାୟୀଙ୍କର କରୁଣ କାହାଣୀ। ସେ ଭାରତରେ ରହିବେ ନା ପାକିସ୍ତାନ ଚାଲିଯିବେ, ସେହି ଦ୍ୱନ୍ଦ୍ୱରେ ଥିଲେ। ଦେଶ ବିଭାଜନ ସମୟରେ ଭାରତରେ ମୁସଲମାନମାନଙ୍କ ଦୁର୍ଦ୍ଦଶାକୁ ସୁନ୍ଦର ଭାବେ ବୟାନ କରୁଥିବା ଏହି ଫିଲ୍ମଟିକୁ ଅନେକ ଲୋକ ପ୍ରଶଂସା କରିଥିଲେ। କିନ୍ତୁ ସମାନ୍ତରାଳ ଭାବେ ଏଥିରେ ଥିବା କିଛି ଦୃଶ୍ୟ ଏକ ସଂପ୍ରଦାୟର ଭାବନାରେ ଆଘାତ କରୁଛି ବୋଲି କିଛିଲୋକ ଭାବୁଥିଲେ।
ଆନ୍ଧି (୧୯୭୫ )
ଏହି ବ୍ୟବସାୟିକ ଫିଲ୍ମଟି ଜଣେ ମହିଳା ରାଜନେତ୍ରୀଙ୍କ ଉପରେ କେନ୍ଦ୍ରିତ ଥିଲା। ତେବେ ଫିଲ୍ମଟିର କାହାଣୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ସ୍ୱାମୀଙ୍କ ଉପରେ ଆଧାରିତ ବୋଲି ଅଭିଯୋଗ ହୋଇଥିଲା, ଯଦିଓ ଏହା ସତ ନ ଥିଲା। କେବଳ ଇନ୍ଦିରା ଗାନ୍ଧୀଙ୍କ ଚେହେରା ସହ ମୁଖ୍ୟ ଚରିତ୍ରର ଚେହେରାର ସାମଞ୍ଜସ୍ୟକୁ ଛାଡ଼ିଦେଲେ ଫିଲ୍ମରେ ଇନ୍ଦିରାଙ୍କ ଜୀବନର କୌଣସି ସୂଚନା ନ ଥିଲା।
କିସ୍ସା କୁର୍ସି କା (୧୯୭୭)
ଏମ୍.ପି ଅମ୍ରିତ୍ ନାହାଟାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କ ଶାସନକାଳ ଉପରେ ଏକ ବିଦ୍ରୁପ ଥିଲା। ଫିଲ୍ମଟିକୁ ୧୯୭୫ ମସିହାରେ ସେନ୍ସର ପାଇଁ ଦାଖଲ କରାଯାଇଥିଲା। ଏହାକୁ ନେଇ ଅନେକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲୋକେ ଦଙ୍ଗା କରିବାର ପରିସ୍ଥିତି ସୃଷ୍ଟି ହୋଇଥିଲା।
ବ୍ୟାଣ୍ଡିଟ୍ କୁଇନ୍ (୧୯୯୪)
ଏହି ଫିଲ୍ମଟିର କାହାଣୀ ଦୁର୍ଦ୍ଧଷ ମହିଳା ଡ଼କାଏତ ତଥା ଚମ୍ବଲର ରାଣୀ ଭାବେ ଖ୍ୟାତ ଫୁଲନ ଦେବୀଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ଥିଲା। ଫିଲ୍ମଟିକୁ ଶେଖର କପୁରଙ୍କ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟିରେ ଅତ୍ୟଧିକ ଅପମାନଜନକ ଭାଷା, ନଗ୍ନତା, ଉତ୍ତେଜକ ଦୃଶ୍ୟ ଥିବାରୁ ଏହା ସମାଲୋଚନାର ଶିକାର ହୋଇଥିଲା। ଦେଶବ୍ୟାପୀ ପ୍ରବଳ ବିରୋଧର ଶିକାର ହୋଇଥିଲା।
ଫାୟାର୍ (୧୯୯୬)
‘ଫାୟାର୍’ର ନିର୍ଦ୍ଦେଶିକା ଥିଲେ ଦୀପା ମେହେଟ୍ଟା। ପ୍ରଥମ ଭାରତୀୟ ସିନେମା ଭାବେ ସମଲିଙ୍ଗୀ ଯୌନ ସଂପର୍କ ଉପରେ ଏହା ଆଲୋକପାତ କରିଥିଲା। କିନ୍ତୁ ଏହାର ରିଲିଜ୍ ସମୟରେ ଲୋକମାନଙ୍କ ରୋଷର ଶିକାର ହେବାକୁ ପଡ଼ିଥିଲା। ଶିବସେନା କର୍ମୀମାନେ ପ୍ରବଳ ବିରୋଧ କରିଥିଲେ। ଫିଲ୍ମର ପୋଷ୍ଟର୍ ଚିରିବାଠୁ ନେଇ ସିନେମା ରିଲିଜ ହେଉଥିବା ହଲ୍ଗୁଡ଼ିକର ଭଙ୍ଗାରୁଜା ମଧ୍ୟ କରାଯାଇଥିଲା।।
ପାଞ୍ଚ ( ୨୦୦୩ )
ଅନୁରାଗ କାଶ୍ୟପ ଅନେକ ନିର୍ଭୀକ ବିଷୟବସ୍ତୁକୁ ନେଇ ଫିଲ୍ମ ତିଆରି କରିବାରେ ବେଶ୍ ପରିଚିତ। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଫିଲ୍ମ ‘ପାଞ୍ଚ’ର କାହାଣୀ ଏକ ବ୍ୟାଣ୍ଡ୍ପାର୍ଟିର ପାଞ୍ଚଜଣ ସଦସ୍ୟଙ୍କ ଜୀବନ ଉପରେ ପର୍ଯ୍ୟବେସିତ ଥିଲା, ଯେଉଁମାନେ ଏକ ଅପହରଣ ଘଟଣାରେ ଛନ୍ଦି ହୋଇ ପଡ଼ିଥିଲେ। ତେବେ ଫିଲ୍ମରେ ଥିଲା ଡ୍ରଗସ୍ ସେବନ, ହିଂସା ଓ ଯୌନତାର ଦୃଶ୍ୟସବୁ, ଯାହାକୁ ଅନେକ ଲେଶକ ନାପସନ୍ଦ କରିଥିଲେ।
ହାଓ୍ଵା ଆନେ ଦେ ( ୨୦୦୪ )
ଏହି ଫିଲ୍ମଟି ଏକ ଇଣ୍ଡୋ- ଫ୍ରେଞ୍ଚ ଫିଲ୍ମ ଥିଲା, ଯେଉଁଥିରେ ଭାରତ- ପାକିସ୍ତାନ ଯୁଦ୍ଧ ସମ୍ବନ୍ଧୀୟ କିଛି ସମ୍ବେଦନଶୀଳ ତଥ୍ୟ ଥିଲା। ଭାରତୀୟ ସେନ୍ସର୍ ବୋର୍ଡ଼ ଫିଲ୍ମଟିର ୨୧ଟି ଅଂଶ ବାଦ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ନିର୍ଦ୍ଦେଶକ ପାର୍ଥ ସେନ୍ଗୁପ୍ତ ରାଜି ହୋଇ ନ ଥିଲେ। ସେଥିପାଇଁ ଫିଲ୍ମଟି ଭାରତରେ ରିଲିଜ୍ ହୋଇପାରିନଥିଲା।
ଓ୍ଵାଟର୍ (୨୦୦୫ )
ଏହା ନିର୍ଦ୍ଦେଶିକା ଦୀପା ମେହେଟ୍ଟାଙ୍କର ତୃତୀୟ ଫିଲ୍ମ ଥିଲା। ଫିଲ୍ମଟି ବାରଣାସୀର ଏକ ଆଶ୍ରମର ବିଧବାମାନଙ୍କ ଜୀବନକୁ ପ୍ରଦର୍ଶିତ କରାଯାଇଥିଲା। ଫିଲ୍ମଟିକୁ କିଛି ମୌଳବାଦୀ ହିନ୍ଦୁ ସଂଗଠନ ବିରୋଧ କରି ସୁଟିଂସେଟ୍ ଭଙ୍ଗାରୁଜା କରିଥିଲେ।
ଦି ପିଙ୍କ୍ ମିରର୍ ( ୨୦୦୬ )
ଏ ଫିଲ୍ମରେ ପ୍ରଥମଥର ପାଇଁ ଦୁଇଜଣ କିନ୍ନର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏହା ଭାରତୀୟ ସିନେମା ଇତିହାସରେ ଏକ ନୂଆ ମୋଡ଼ ହୋଇଥିଲା ବେଳେ ସେନ୍ସର୍ ବୋର୍ଡ଼ର ଏନେଇ ଭିନ୍ନ ମତ ଥିଲା। ଫିଲ୍ମଟି ଅମାର୍ଜିତ ଓ ଅପମାନଜନକ ଥିଲା ବୋଲି ବୋର୍ଡ ମତ ଦେଇଥିଲା। ଏହାକୁ ନେଇ ବିରୋଧ ଓ ଶାନ୍ତିଭଙ୍ଗର ଆଶଙ୍କା ଅଛି ବୋଲି କୁହା ଯାଇଥିଲା।
ବ୍ଲାକ୍ ଫ୍ରାଇଡ଼େ (୨୦୦୭)
ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଏକ ସାମୟିକ କଟକଣାର ଶିକାର ହୋଇଥିଲା। ଏହା ମୁମ୍ବାଇ ବୋମା ବିସ୍ଫାରଣ ଉପରେ ଆଧାରିତ ହୋଇଥିବାରୁ ଏବଂ ଉପରୋକ୍ତ ମାମଲାରେ ବମ୍ବେ ହାଇକୋର୍ଟରେ ଶୁଣାଣି ନ ସରିବା ଯାଏଁ ତା’ର ରିଲିଜ ଉପରେ କଟକଣା ଲଗା ଯାଇଥିଲେ। ତେଣୁ ଅନୁରାଗଙ୍କୁ ଫିଲ୍ମଟି ରିଲିଜ୍ କରିବା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଲା।
ଯୋଧା ଆକବର୍ (୨୦୦୮)
ଆଶୁତୋଷ ଗୋଓ୍ଵାରିକର୍ ନିର୍ଦ୍ଦେଶିତ ଏହି ଐତିହାସିକ ଫିଲ୍ମଟି ଅନେକ ବିରୋଧର ଶିକାର ହେଇଥିଲା। ଫିଲ୍ମର ନିର୍ଦ୍ଦେଶକ ଇତିହାସକୁ ବିକୃତ କରିଛନ୍ତି ବୋଲି ରାଜପୁତ୍ ସଂପ୍ରଦାୟ ଯୁକ୍ତି କରିଥିଲା। ସେମାନଙ୍କ ମତରେ ‘ଯୋଧା’ ମାରଓ୍ଵାର ଉଦୟ ସିଂହଙ୍କ ଝିଅ ଏବଂ ସେ ଆକବରଙ୍କ ପୁଅ ସଲିମ୍ଙ୍କୁ ବିବାହ କରିଥିଲେ। କିନ୍ତୁ ଫିଲ୍ମରେ ‘ଯୋଧା’ ରାଜା ଭାରମଲ୍ଙ୍କ ଝିଅ ଓ ସେ ଆକବରଙ୍କୁ ବିବାହ କରିଥିବାର ଦେଖାଯାଇଥିଲା। ଅନେକ ତର୍କ ବିତର୍କ ପରେ ଅବଶ୍ୟ ଫିଲ୍ମଟି ରିଲିଜ ହୋଇ ସଫଳତା ପାଇଥିଲା।
ଇନ୍ସା ଆଲ୍ଲା, ଫୁଟ୍ବଲ୍ (୨୦୧୦ )
ଏହା ଏକ ଡକୁମେଣ୍ଟାରି ଫିଲ୍ମ। ଏଥିରେ ଥିଲା କଶ୍ମୀରର ଜଣେ ବାଳକ ଯିଏ ଫୁଟ୍ବଲ ଖେଳାଳୀ ହେବାର ସ୍ୱପ୍ନ ଦେଖେ। କିନ୍ତୁ ଯେତେବେଳେ ତାକୁ ବିଦେଶକୁ ଯିବା ପାଇଁ ଅନୁମତି ମିଳେନାହିଁ, ତା’ର ସ୍ୱପ୍ନ ଭାଙ୍ଗିଯାଏ। ତେବେ ଏହି କାହାଣୀକୁ କହିବା ଲାଗି ଫିଲ୍ମରେ ଯେଉଁସବୁ ଚରିତ୍ର ଓ ଦୃଶ୍ୟକୁ ସୃଷ୍ଟି କରା ଯାଇଥିଲା, ତାହାକୁ ନେଇ ଦଙ୍ଗା ସୃଷ୍ଟି ହେବାର ଆଶଙ୍କା ଥିଲା। ତେଣୁ ଏହା ବିରୋଧର ସମ୍ମୁଖୀନ ହୋଇଥିଲା।
ଇଣ୍ଡିଆସ୍ ଡଟର୍ (୨୦୧୫)
ବ୍ରିଟିଶ ସିନେନିର୍ମାତା ଲେସ୍ଲି ଉଡ଼ଓ୍ଵିନ୍ ୨୦୧୨ ମସିହାରେ ଜଣେ ୨୩ ବର୍ଷୀୟ ଭାରତୀୟ ଛାତ୍ରୀ ଜ୍ୟୋତି ସିଂହଙ୍କୁ ଗଣ ଧର୍ଷଣ ଓ ହତ୍ୟା କରାଯିବା ଘଟଣାକୁ ନେଇ ଏହି ଫିଲ୍ମଟିକୁ ନିର୍ମାଣ କରିଥିଲେ। ଫିଲ୍ମଟିରେ ଉକ୍ତ ମାମଲାରେ ସଂପୃକ୍ତ ଥିବା ଜଣେ ଅପରାଧୀ ମୁକେଶ ସିଂହର ଏକ ସାକ୍ଷାତକାର ମଧ୍ୟ ଥିଲା। କିନ୍ତୁ ସେଥିରେ ସେ ଦେଇଥିବା ବିବାଦୀୟ ମନ୍ତବ୍ୟ ଦେଶର ସମ୍ମାନହାନୀ କରୁଛି ବୋଲି ଦର୍ଶାଇ ଶାନ୍ତିଭଙ୍ଗ ଓ ବିରୋଧର ଆଶଙ୍କା ଯୋଗୁଁ ଏହାର ରିଲିଜ୍କୁ ନିଷେଧ କରାଯାଇଥିଲା।
ଉଡ୍ତା ପଞ୍ଜାବ୍ (୨୦୧୬ )
ଅଭିଷେକ ଚୌବେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପଞ୍ଜାବରେ ଡ୍ରଗ୍ସର ଅବାଧ କାରବାରକୁ ଅତି ନିଖୁଣ ଭାବେ ଦର୍ଶାଯାଇଥିଲା। ସେ ମାମଲାରେ ରାଜନୈତିକ ଦଳମାନେ ମଧ୍ୟ କିଭଳି ସଂପୃକ୍ତ, ତା’ର ଚିତ୍ର ଥିଲା। ତେଣୁ ଫିଲ୍ମଟି ରାଜ୍ୟର ବଦନାମ କରୁଛି ବୋଲି ପଞ୍ଜାବର କିଛି ରାଜନୈତିକ ଦଳ ଓ ନେତା ଅଭିଯୋଗ କରିଥିଲେ। ଅନେକ ସ୍ଥାନରେ ପୋଡ଼ାଜଳା ମଧ୍ୟ ହୋଇଥିଲା।
ଫାଇନାଲ ସଲ୍ୟୁସନ୍ ( ୨୦୦୪ )
ରାକେଶ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଗୋଧ୍ରା ଟ୍ରେନ୍ ପୋଡ଼ି ଉପରେ ଆଧାରିତ। ତେବେ ଫିଲ୍ମଟିରେ ସାଂପ୍ରଦାୟିକତା ଏବଂ ଉଗ୍ରବାଦକୁ ଇନ୍ଧନ ଯୋଗାଯାଇଛି ବୋଲି ଅଭିଯୋଗ ଉଠିଥିଲା। ଫିଲ୍ମଟିକୁ ରିଲିଜ୍ କରାଗଲେ ସାଂପ୍ରଦାୟିକ ଦଙ୍ଗା ହେବାର ଆଶଙ୍କା କରା ଯାଇଥିଲା। ତେଣୁ ଫିଲ୍ମଟିକୁ ନିଷେଧ କରାଯାଇଥିଲା। କିନ୍ତୁ ଏହା ବିରୋଧରେ ଅନ୍ଲାଇନ୍ ପିଟିସନ୍ଠୁ ଆରମ୍ଭ କରି ଶୋଭାଯାତ୍ରା, ଦସ୍ତଖତ ଅଭିଯାନ ଆଦି ଆରମ୍ଭ ହୋଇଥିଲା। ଶେଷରେ ଫିଲ୍ମଟି ଉପରୁ କଟକଣା ଉଠାଯାଇଥିଲା। ଏ ଫିଲ୍ମଟି ବହୁ ପୁରସ୍କାର ପାଇଥିଲା।