ମୁମ୍ବାଇ: ପ୍ରେକ୍ଷାଳରେ ଦର୍ଶକଙ୍କୁ ଭର୍‌ପୂର ମନୋରଞ୍ଜନ ଯୋଗାଉଥିବା ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର୍‌’ ରିଲିଜ୍‌ ହେବା ପରଠାରୁ ବିବାଦରେ ରହିଛି। ଏହି ଫିଲ୍ମର ଏକ ଦୃଶ୍ୟରେ ଜଣେ କଣ୍ଟ୍ରାକ୍ଟ କିଲର୍‌ ବା ଠିକା ହତ୍ୟାକାରୀ ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌ (ଆଇପିଏଲ୍‌) ଟିମ୍‌ର ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଜର୍ସି ପିନ୍ଧିଥିବା ହେତୁ ଫିଲ୍ମଟି ବିବାଦରେ ରହିଥିଲା।

Advertisment

ଏବେ ଦିଲ୍ଳୀ ହାଇକୋର୍ଟ ଏହାକୁ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେପ୍ଟେମ୍ବର ୧ ସୁଦ୍ଧା ହତ୍ୟାକାରୀ ଆର୍‌ସିବି ଜର୍ସି ପିନ୍ଧିବା ଦୃଶ୍ୟ ଆଉ ଚଳଚ୍ଚିତ୍ରରେ ଦେଖାଯିବା ଉଚିତ ନୁହେଁ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ଆଇପିଏଲ୍ ଟିମ୍, ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍  ଫିଲ୍ମ ନିର୍ମାତାଙ୍କ ବିରୋଧରେ ଦଳର ଜର୍ସି ବ୍ୟବହାରକୁ ଅପମାନଜନକ ଢଙ୍ଗରେ ବ୍ୟବହାର କରିଥିବା ଅଭିଯୋଗ ଆଣିଥିଲା। ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ପ୍ରତିଭା ଏମ୍ ସିଂ କହିଛନ୍ତି ଯେ ‘‘ରଜନୀକାନ୍ତଙ୍କ ଅଭିନୀତ ଏହି ସିନେମାଟି ଟେଲିଭିଜନ, ସାଟେଲାଇଟ୍ ଏବଂ ଓଟିଟି ପ୍ଲାଟଫର୍ମ ଆଦି ସମସ୍ତ ସ୍ଥାନରେ ପରିବର୍ତ୍ତିତ ସଂସ୍କରଣ ଦୃଶ୍ୟମାନ ହେବ। ସେପ୍ଟେମ୍ବର ୧ ପରଠାରୁ ଆଉ ବିବାଦୀୟ ଦୃଶ୍ୟକୁ ପରଦାରେ ଦେଖାଇ ପାରିବେ ନାହିଁ ନିର୍ମାତା।’’

ଅଭିଯୋଗ ହୋଇଛି ଯେ ଜର୍ସି ପିନ୍ଧି ଫିଲ୍ମରେ ଅଭିନୟ କରିଥିବା ହତ୍ୟାକାରୀ ଜଣେ ମହିଳାଙ୍କ ବିଷୟରେ ଅପମାନଜନକ ଏବଂ ନିନ୍ଦନୀୟ କଥା କହିଥଲେ। ଆଇପିଏଲ୍ ଦଳ ପକ୍ଷରୁ ଯୁକ୍ତି କରିଛନ୍ତି ଯେ ବିନା ଅନୁମତିରେ ସେମାନଙ୍କ ଜର୍ସି ବ୍ୟବହାର କରାଯାଇଛି, ଯାହାକି ସେମାନଙ୍କ ବ୍ରାଣ୍ଡ ଇମେଜକୁ ନଷ୍ଟ କରିପାରେ।

ଏହି ମକଦ୍ଦମା ଦାୟର ହେବା ପରେ ଚଳଚ୍ଚିତ୍ର ନିର୍ମାତା ଏବଂ ଆଇପିଏଲ୍ ଦଳ ମଧ୍ୟରେ ଉପୁଜିଥିବା ବିବାଦର ଏବେ ସମାଧାନ ହୋଇଛି। ଅଗଷ୍ଟ ୧୦ ତାରିଖରେ ଏହି ସିନେମା ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି।