ଫିଲ୍ମ ‘କାଳୀ’ ବିବାଦ: ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କୁ ଅଗଷ୍ଟ ୬ରେ ହାଜର ହେବାକୁ କହିଲେ ଦିଲ୍ଲୀ କୋର୍ଟ

ମୁମ୍ବାଇ: ମୁକ୍ତିଲାଭ କରିବାକୁ ଯାଉଥିବା ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ପୂର୍ବରୁ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଥିବା ବେଳେ ଏବେ ଲୀନା ମଣିମେକଲାଈଙ୍କୁ ଦିଲ୍ଲୀର ଏକ କୋର୍ଟ ଅଗଷ୍ଟ ୬ରେ ହାଜର ହେବାକୁ କହିଛନ୍ତି। ପୋଷ୍ଟର ଏବଂ ପ୍ରମୋସନାଲ ଭିଡିଓରେ ହିନ୍ଦୁ ଦେବୀ ମା’ କାଳୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗରେ ତାଙ୍କୁ ହାଜର ହେବାକୁ କୁହାଯାଇଛି। ତାଙ୍କ ବିରୋଧରେ କୌଣସି ନିର୍ଦ୍ଦେଶ ଦେବା ପୂର୍ବରୁ ଲୀନାଙ୍କ ପକ୍ଷ ମଧ୍ୟ ଶୁଣିବା ଜରୁରୀ ବୋଲି କହି କୋର୍ଟ ତାଙ୍କୁ ହାଜର ହେବାକୁ କହିଛନ୍ତି।

ଏହା ପୂର୍ବରୁ ଭୋପାଳ ପୁଲିସ ଲୀନାଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ପାଇବା ପରେ ଚଳଚ୍ଚିତ୍ର ‘କାଳୀ’ର ନିର୍ମାତ୍ରୀ ଲୀନା ମଣିମେକଲାଈଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଥିଲା। ନିଜ ଫିଲ୍ମର ପୋଷ୍ଟରରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍‌ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ଦେଖାଇ ବିବାଦୀୟ ହୋଇପଡ଼ିଥିବା ଲୀନାଙ୍କ ପାଇଁ ଏବେ ସ୍ଥିିତି ବିଗିଡ଼ିବାରେ ଲାଗିଛି।

ସୂଚନାଯୋଗ୍ୟ, ଭାରତର ମଦୁରାଇରେ ଜନ୍ମିତା ଏବଂ ଟରଣ୍ଟୋରେ ବସବାସ କରୁଥିବା ଲୀନା ମଣିମେକଲାଈ ପ୍ରଥମେ ‘କାଳୀ’ ଚଳଚ୍ଚିତ୍ରର ଏକ ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ସେଥିରେ ଜଣେ ନାରୀ ଦେବୀ କାଳୀଙ୍କ ପରି ବେଶଭୂଷା ହୋଇ ହାତରେ ‘ଏଲ୍‌ଜିବିଟିକ୍ବ୍ୟୁ’ ପତାକା ଧରି ସିଗାରେଟ୍‌ ଟାଣୁଥିବାର ଦୃଶ୍ୟ ରହିଛି। ଏହି ପୋଷ୍ଟ୍‌ ଭାଇରାଲ୍‌ ହେବା ପରେ ବିବାଦ ଆରମ୍ଭ ହୋଇଥିଲା। ପ୍ରାମାଣିକ ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟର୍‌ ସାମାଜିକ ଗଣମାଧ୍ୟମରେ ରିଲିଜ୍‌ କରିବା ପରଠାରୁ ଲୀନା ତୀବ୍ର ସମାଲୋଚନାର ସରବ୍ୟ ହୋଇ ଆସୁଛନ୍ତି। ତାଙ୍କ ନାଁରେ କେତେଗୁଡ଼ିଏ ‘ଏଫ୍‌ଆଇଆର୍‌’ ମଧ୍ୟ ପଞ୍ଜିକୃତ ହୋଇଛି। ‘କାଳୀ’ର ପୋଷ୍ଟର୍‌କୁ କେନ୍ଦ୍ର କରି ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ବି ବାଦବିବାଦ ଚାଲିଛି।

ସମ୍ବନ୍ଧିତ ଖବର