କରୋନା କବଳରେ କଳାକାର : ୩୪ ଘଣ୍ଟାରେ ବଚ୍ଚନ ଏବଂ ଖେର୍ ପରିବାର ପରେ କରୋନା ସଂକ୍ରମିତ ହେଲେ ଟିଭି ତାରକା

ନୂଆଦିଲ୍ଲୀ: ସାରା ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଭୁତାଣୁ । ମହାରାଷ୍ଟ୍ର , ଦିଲ୍ଲୀ , ଚେନ୍ନାଇ ଭଳି ବଡ଼ ବଡ଼ ସହରରେ ଅଧିକାଂଶ ଲୋକଙ୍କୁ କବଳିତ କରିଛି କରୋନା । ତେବେ ଏହାରି ଭିତରେ ବାଦ୍ ପଡ଼ିନାହାନ୍ତି ସିନେ ତାରକା ଏବଂ ତାଙ୍କ ପରିବାର । ମାତ୍ର ୩୪ ଘଣ୍ଟାରେ ବଲିଉଡର ଚର୍ଚ୍ଚିତ ଚେହେରା ଏବଂ ତାଙ୍କ ପରିବାର ସଦସ୍ୟ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି । ଖାଲି ସିନେତାରକା ନୁହଁ, ଟେଲି ତାରକା ବି କରୋନା ଆକ୍ରାନ୍ତ ହୋଇଛନ୍ତି ।

ବଚ୍ଚନ ପରିବାର : ୨ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିବା ବଲିଉଡ଼୍ ଅଭିନେତା ବିଗ୍ ବି ଅମିତାଭ୍ ବଚ୍ଚନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କ ସମ୍ପୁର୍ଣ୍ଣ ପରିବାରର ସ୍ୱାବ ଟେଷ୍ଟ୍ କରାଯାଇଥିଲା, ଯେଉଁଥିରେ ପୁଅ ଅଭିଶେକ ଆକ୍ରାନ୍ତ ଥିବା ନେଇ ସ୍ପଷ୍ଟ ହୋଇଥିଲା ଏବଂ ଅନ୍ୟ ସମସ୍ତେ ନେଗେଟିଭ୍ ଆସିଥିଲେ । ପରେ ପରେ ଦ୍ୱିତୀୟଥର ପାଇଁ ସମସ୍ତଙ୍କର ସ୍ୱାବ ଟେଷ୍ଟ୍ ହୋଇଥିଲା, ଯେଉଁଥିରେ ବଚ୍ଚନ ପରିବାରର ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟା ବଚ୍ଚନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଅମିତାଭଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏବେ ନାନାବତୀ ହସ୍ପିଟାଲରେ ବିଗ୍ ବିଙ୍କ ଚିକିତ୍ସା ଚାଲିଥିବା ବେଳେ ସେ ଏବେ ସୁସ୍ଥ ଥିବା ଜଣା ପଡିଛି |

ଖେର୍ ପରିବାର : ବଲିଉଡର ଦମଦାର୍ ଅଭିନେତା ଅନୁପମ୍ ଖେରଙ୍କ ଘରେ ମଧ୍ୟ ପ୍ରବେଶ କରିଛି କରୋନା । ଅନୁପମଙ୍କ ମା’ , ଭାଇ ,ଭାଉଜ ଏବଂ ଝିଆରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁପମ ଏବଂ ତାଙ୍କ ପୁତୁରାଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ସ୍ତ୍ରୀ କିରଣ୍ ଖେର୍ ଘରଠାରୁ ଦୂରରେ ରହିଥିବାରୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପୁର୍ଣ୍ଣ ଠିକ୍ ରହିିଛି ।

ଟେଲି ଅଭିନେତାଙ୍କୁ କରୋନା : ଲୋକପ୍ରିୟ ଟିଭି ସିରିଏଲ୍ “କସୌଟି ଜିନ୍ଦଗି କି” ର ଅଭିନେତା ପାର୍ଥ ସମଥାନଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଯାହାପରେ ସିରିଏଲର ସୁଟିଂକୁ ଅଧାରୁ ହିଁ ବନ୍ଦ କରାଯାଇଛି ।

ସିନେମା ‘ଉଙ୍ଗଲୀ’ ର ଅଭିନେତ୍ରୀ ରେଚଲ୍ ହ୍ୱାଇଟଙ୍କୁ ବି କବଳିତ କରିଛି କରୋନା । ଟ୍ୱିଟରରେ ସେ ଏହାର ସୂଚନା ଦେଇଛନ୍ତି ଏବଂ ଏବେ ସେ ହୋମ୍ କ୍ୱାରେଣ୍ଟିନରେ ରହିଛନ୍ତି ।

ବାଲାଜୀ ଟେଲିଫିଲ୍ମସର ଭାଇସ୍ ପ୍ରେସିଡେଣ୍ଟ୍ ତନୁଶ୍ରୀ ଦାସଗୁପ୍ତା ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ସେ ମଧ୍ୟ ସୋସିଆଲ୍ ମିଡିଆରେ ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଅପଡେଟ୍ ଦେଇଛନ୍ତି ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଜଣାଇଛନ୍ତି ।

ସମ୍ବନ୍ଧିତ ଖବର