ଅଭିନୟକୁ ଆସିବେ ସାରା ! ବିଦେଶରେ ଡାକ୍ତରୀ ପଢ଼ି ବଲିଉଡ୍ ପ୍ରୀତିରେ ପଡ଼ିଛନ୍ତି କି ସଚିନ୍ ତନୟା

ମୁମ୍ବାଇ:  ବିଶ୍ବବିଖ୍ୟାତ କ୍ରିକେଟର୍ ସଚିନ୍ ତେନ୍ଦୁଲକରଙ୍କ କନ୍ୟା ସାରା ଖେଳପଡ଼ିଆ ନୁହେଁ ବରଂ ପରଦା ପ୍ରେମରେ ପଡ଼ିଯାଇଛନ୍ତି। ଏବେ ସେ ବଲିଉଡ୍‌ରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସିନେମାରେ ହିରୋଇନ୍ ହେବାକୁ ହେଲେ ନିଜ ପରିବାରର ସିନେମା ଖାନ୍ଦାନୀ ଥିବ, ନଚେତ ଅଭିନୟ ଯୋଗ୍ୟତା କିମ୍ବା ମଡେଲିଂ ଅଭିଜ୍ଞତା ଥିବ। ସାରାଙ୍କ ବାପା ସଚିନ ତ କ୍ରିକେଟର୍ ଆଉ ମା’ ଅଞ୍ଜଳି ଜଣେ ଡାକ୍ତର। ଏଥିରୁ ସ୍ପଷ୍ଟ ହେଉଛି ଯେ ଖାନ୍ଦାନୀ ନୁହେଁ ବରଂ ସାରାଙ୍କ ବ୍ୟକ୍ତିଗତ ରୁଚି ଓ ପ୍ରଚେଷ୍ଟା ହିଁ ତାଙ୍କୁ ଅଭିନୟ କ୍ଷେତ୍ରରେ ପ୍ରବେଶ କରିବାର ଯୋଗ୍ୟତା ଦେଇଛି ଓ ସାହସ ଜୁଟାଇଛି।

କିଛିଦିନ ହେବ ଶୁଣାଯାଉଛି ସାରା ସାହିଦ କପୁରଙ୍କ ସହ ଯୋଡ଼ି ସାଜିବେ। ନିକଟରେ ଶାହାରୁଖ ଓ ଗୌରୀ ତନୟା ସୁହାନା, ସଞ୍ଜୟ କପୁର ଓ ମହୀଙ୍କ ଝିଅ ଶାନାୟା ବଲିଉଡ୍‌ରେ ପ୍ରବେଶ କରିଛନ୍ତି। ଆଉ କିଛିଦିନ ଭିତରେ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ମଧ୍ୟ ରୁପେଲି ପରଦାରେ ଦେଖାଦେବେ ବୋଲି ନିଶ୍ଚିତ ହେଇଗଲାଣି। ଲଣ୍ଡନ ବିଶ୍ବବିଦ୍ୟାଳୟରୁ ଡାକ୍ତରୀ ପାଠ ପଢ଼ି ଫେରିଥିବା ସାରା ହଠାତ ଅଭିନୟ ଦୁନିଆ ପ୍ରତି ଅନୁରକ୍ତ ହେଲେ କେମିତି? ହଁ, ଡାକ୍ତରୀ ପୋଥିରେ ଜଉମୁଦ ଲଗେଇ କିଛିଦିନ ହେବ ସାରା ଅଭିନୟ ଶିକ୍ଷା ଓ ତାଲିମରେ ଯୋଗଦେଇଥିଲେ। ଏପାଖେ ବାପା ସଚିନଙ୍କୁ ଝିଅ ସାରା ବଲିଉଡ୍‌ରେ ପ୍ରବେଶ କରିବା କଥା ପଚାରିଲେ ସେ ଟାଳି ଦେଉଛନ୍ତି। ସେ କହୁଛନ୍ତି- ଝିଅ ସାରା ଯେଉଁ ବିଷୟରେ ଉଚ୍ଚଶିକ୍ଷା ଲାଭ କରିଛି ସେଇ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିବାକୁ ପ୍ରସ୍ତୁତ ହେଉଛି। ସାରା ବଲିଉଡ୍‌କୁ ଯିବା କଥା ଯେଉଁ ଗୁଜବ ଉଠୁଛି ତାହା ଭିତ୍ତିହୀନ।

ସାରାଙ୍କ ବାନ୍ଧବୀ ଓ ପ୍ରଶଂସକମାନେ କିନ୍ତୁ ସଚିନଙ୍କ କଥାରେ ସହମତ ନୁହଁନ୍ତି। କାରଣ ସାରା ଡାକ୍ତରୀ ପଢ଼ିବା ସହ ମଡେଲିଂରେ ମଧ୍ୟ କ୍ୟାରିୟରର କରିଛନ୍ତି। ତେଣୁ ସେ ଡାକ୍ତରୀ ଅଥବା ଅଭିନୟ କେଉଁ କ୍ଷେତ୍ରକୁ ଯିବେ ତାଙ୍କ ଉପରେ ନିର୍ଭର କରୁଛି। ଦେଖାଯାଉ ସାରା ତେନ୍ଦୁଲକର କେଉଁ କ୍ଷେତ୍ରକୁ ଆପଣାଉଛନ୍ତି !

ସମ୍ବନ୍ଧିତ ଖବର