ବଲିଉଡ୍‌ରେ ସଂକଟ

ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ବୁଲୁଥିଲା, ଯେଉଁଥିରୁ ଜଣାପଡ଼ୁଥିଲା ଯେ ଲୋକମାନେ ବର୍ତ୍ତମାନ ଆଉ ନୂଆ ବଲିଉଡ୍ ଫିଲ୍ମ ଦେଖିବାକୁ ପସନ୍ଦ କରୁନାହାନ୍ତି। ବରଂ ସେମାନେ ଅମିତାଭ ବଚ୍ଚନଙ୍କ ପୁରୁଣା ଫିଲ୍ମ ଦେଖୁଛନ୍ତି। ଦର୍ଶକମାନେ ପ୍ରଥମ କରି ବିୟର ପିଇଥିବା କିଶୋରଙ୍କ ପରି ତାଳି ମାରି, ପାଟି କରି ନାଚୁଥିଲେ। ଦର୍ଶକ ସଂକଟକୁ ନେଇ ବଲିଉଡ୍ ଏବେ ବଡ଼ ଆହ୍ବାନର ସମ୍ମୁଖୀନ ହୋଇଥିବା ବେଳେ ଜଣେ ସଚେତନ ଭାରତୀୟ ମନରେ ପ୍ରଶ୍ନ ଉଠିପାରେ- ପ୍ରକୃତରେ କାହିଁକି ଏପରି ପରିସ୍ଥିତି ଉପୁଜିଛି?

ଦର୍ଶକଙ୍କ ମନରେ ଆନନ୍ଦ, ଉଚ୍ଛ୍ବାସ ଭରିଦେବାରେ ସିନେମାର କ୍ଷମତା କମିନାହିଁ। ଯଦି ୫୦ ବର୍ଷ ତଳର ସିନେମା ଆମେ ଦେଖିବାକୁ ଆଗ୍ରହ ପ୍ରକାଶ କରୁଛୁ, ତେବେ ବୁଝିବାକୁ ହେବ ଯେ ସମସ୍ୟା ‌ଦର୍ଶକଙ୍କ ପାଖରେ ନାହିଁ, ଅଛି ବର୍ତ୍ତମାନ ତିଆରି ହେଉଥିବା ସିନେମାଗୁଡ଼ିକରେ। ଲୋକମାନେ ପୁରୁଣା କ୍ଲାସିକାଲ ଫିଲ୍ମ ଦେଖୁଥିବାରୁ ମନେହୁଏ, ଫିଲ୍ମ କହିଲେ ପ୍ରକୃତରେ ଯାହା ବୁଝାଯାଏ ତାହା ଆଜିକାର ଫିଲ୍ମରୁ ସେମାନେ ପାଉନାହାନ୍ତି। ସିନେମାର ଆନନ୍ଦ ସିନେମା ହଲ୍‌ର ମାନରୁ ମିଳେ ନାହିଁ। ବାତାନୁକୂଳିତ ସିନେମା ହଲ୍, ଆରାମଦାୟକ ସିଟ୍, ପପ୍‌କର୍ଣ୍ଣର ମୂଲ୍ୟ ଆଦି ଦର୍ଶକଙ୍କୁ ମୋହିପାରେ ନାହିଁ। ଅଭିନୟପଟୁତା ଓ ଉଚ୍ଚମାନର କାହାଣୀର ଆବଶ୍ୟକତା ରହିଛି। ପୁରୁଣା ଫିଲ୍ମଗୁଡ଼ିକ ମୌଳିକ କାହାଣୀକୁ ନେଇ ସମୃଦ୍ଧ ଥିଲା। ଅବାସ୍ତବତାକୁ ନିୟମିତ ଭାବେ ଏଡ଼ାଇବାକୁ ଚେଷ୍ଟା କରାଯାଉଥିଲା। ପୁରୁଣା ସିନେମାଗୁଡ଼ିକରେ ଆବେଗିକ ସତ୍ୟ ପ୍ରଦର୍ଶିତ ହେଉଥିଲା। ମୌଳିକ କାହାଣୀରେ ସାମାଜିକ ମୂଲ୍ୟବୋଧ ରହୁଥିଲା। ସାମାଜିକ ପରିବର୍ତ୍ତନ ପାଇଁ ଉତ୍କଣ୍ଠା ରହୁଥିଲା। ଆଧୁନିକ ଦୁନିଆ ସହ ମେଳ ନ ଖାଇଲେ ମଧ୍ୟ ଆମ ଜୀବନଶୈଳୀ ତଥାପି ଉଚ୍ଚକୋଟୀର ବୋଲି ଦର୍ଶିତ ହେଉଥିଲା। କାହାଣୀଗୁଡ଼ିକ ଅଧିକାଂଶ ମିଳନାନ୍ତକ ଥିଲା। ମେଲୋଡ୍ରାମା ପ୍ରତ୍ୟେକ ଅଭିନୟର ମାନବୃଦ୍ଧି କରୁଥିଲା।

ପ୍ରାଚୀନ କ୍ଲାସିକ୍‌ଗୁଡ଼ିକର ଅନୁଭୂତି ଆଉ ଫେରାଇ ଆଣିହେବ ନାହିଁ। ଏବକାର ଦର୍ଶକମାନେ ବଦଳିଗଲେଣି। ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ଯେତେ ଚେଷ୍ଟା କରାଗଲେ ବି ତାହା ସଫଳ ହେଉନାହିଁ। କାହାଣୀରେ ନୂତନତା ଓ ବିଶେଷତା ରହୁ ନ ଥିବାରୁ ସେଗୁଡ଼ିକ ଲୋକଙ୍କୁ ଆକୃଷ୍ଟ କରିପାରୁ ନାହିଁ। ମଲ୍‌ଟିପ୍ଲେକ୍ସ-ପ୍ରଚୋଦିତ ମୁଭିଗୁଡ଼ିକର ଆଉ ଏକ ସମସ୍ୟା ହେଲା ଲୋକେ ଘରେ ବସି ଓଟିଟି ପ୍ଲାଟଫର୍ମରେ ସିନେମା ଦେଖିପାରୁଛନ୍ତି। ଫିଲ୍ମ ହଲ ଭଳି ଅନୁଭୂତି ବି ପାଇପାରୁଛନ୍ତି। ତେବେ ସାମୂହିକ ଦର୍ଶନରୁ ଯେଉଁ ଆନନ୍ଦ ମିଳେ ଘରେ ସେ ଆନନ୍ଦ ମିଳିବ ନାହିଁ। ଅପରପକ୍ଷେ ଦକ୍ଷିଣ ଭାରତରେ ତିଆରି ହେଉଥିବା ସ୍ଥାନୀୟ ଭାଷାର ସିନେମାଗୁଡ଼ିକ ପ୍ରତି ଲୋକ ଅଧିକ ଆକୃଷ୍ଟ ହେଉଛନ୍ତି। ବଲିଉଡ୍‌ର ଚମକକୁ ସେମାନେ ଚୋରି କରି ନେଉଛନ୍ତି। ସେମାନଙ୍କ ସିନେମା ହଲରେ ଯେତିକି ଗହଳି ହେଉଛି ବଲିଉଡ଼ ଫିଲ୍ମରେ ହେଉନାହିଁ। ସେମାନେ ତାରକାଙ୍କ ପିଛା ଅଧିକ ଖର୍ଚ୍ଚ ନ କରି ଫିଲ୍ମ ନିର୍ମାଣରେ ଅଧିକ ଖର୍ଚ୍ଚ କରୁଛନ୍ତି। ତେଣୁ ସିନେମାଗୁଡ଼ିକ ଅପେକ୍ଷାକୃତ ଭଲ ହେଉଛି।

ସମ୍ବନ୍ଧିତ ଖବର