ପୁରୁଣା ଭୁବନେଶ୍ବର: ଏକାମ୍ର କ୍ଷେତ୍ରରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସରକାର ଉଦ୍ୟମ କରୁଛନ୍ତି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ପର୍ଯ୍ୟଟକଙ୍କୁ ମିଳୁନି ଶୌଚାଳୟ ସୁବିଧା। ପୂର୍ବରୁ ଲିଙ୍ଗରାଜ ହାଟ ନିକଟରେ ଥିବା ଶୌଚାଳୟ ଭାଙ୍ଗିବା ପରେ ସେଠାରେ ନୂତନ ଶୌଚାଳୟ ତିଆରି ହେଲା ନାହିଁ। ତେବେ ମନ୍ଦିରର ଦକ୍ଷିଣ ପୂର୍ବ କୋଣରେ ନୂତନ ଶୌଚାଳୟର କାମ ୬ମାସ ହେବ ସରିଥିଲେ ମଧ୍ୟ ଏହାର ମଇଳା ପାଣି ନିଷ୍କାସନ ବାଟ ନଥିବାରୁ ଏହା ଖୋଲା ଯାଇପାରୁନାହିଁ। ବାଧ୍ୟ ହୋଇ ପର୍ଯ୍ୟଟକ ଓ ହାଟୁଆ ରାସ୍ତା କଡ଼ରେ ପରିସ୍ରା କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି, ବିଏମ୍ସି ପକ୍ଷରୁ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଦୁଇଟି ଶୌଚାଳୟ ଭାଙ୍ଗିଥିଲେ ମଧ୍ୟ ଅସ୍ଥାୟୀ ଶୌଚାଳୟ ତୁରନ୍ତ କରାଯିବ ବୋଲି କୁହାଯାଇଥିଲା। ହେଲେ ଘୋଷଣାର ୪ବର୍ଷ ପରେ ମଧ୍ୟ ଏହା ହୋଇପାରିଲା ନାହିଁ। ଲୋକଙ୍କ ସୁବିଧା ପାଇଁ ଲିଙ୍ଗରାଜ ମାର୍କେଟ ନିକଟରେ ଦୁଇଟି ଶୌଚାଳୟ ରହିଛି। ତେବେ ଏହି ଶୌଚାଳୟ କେତେବେଳେ ଖୋଲା ତ କେତେବେଳେ ତାଲା ପଡ଼ି ରହୁଛି। ଆଉ ଦିନ କେଇଟା ପରେ ଶ୍ରାବଣ ମାସରେ ହଜାର ହଜାର କାଉଡ଼ିଆ ଏକାମ୍ର କ୍ଷେତ୍ରକୁ ଆସିବେ। କିଛି ସପ୍ତାହ ପରେ ପର୍ଯ୍ୟଟନ ଋତୁ ଆସିବା ସହ ପର୍ଯ୍ୟଟକଙ୍କ ଆଗମନ ହେବ। ବଢ଼େଇବାଙ୍କ ଛକଠାରୁ ନୂଆ ଲିଙ୍ଗରାଜ ମାର୍କେଟ ଓ କେଦାରଗୌରୀ ରାସ୍ତାରେ ପର୍ଯ୍ୟଟକଙ୍କ ଗାଡ଼ି ରହିବ।
ହେଲେ ବଢ଼େଇବାଙ୍କ ଛକ ଆଖପାଖରେ ମଧ୍ୟ ଶୌଚାଳୟର ସୁବିଧା ନାହିଁ। ମନ୍ଦିର ନିକଟରେ ଥିବା ଇ-ଟଏଲେଟ୍ ଆଉ ନାହିଁ। ସେହିପରି କେଦାରଗୌରୀ, ମୁକ୍ତେଶ୍ବର, ପର୍ଶୁରାମେଶ୍ବର ମନ୍ଦିର ନିକଟକୁ ଆସୁଥିବା ପର୍ଯ୍ୟଟକ ନାନା ସମସ୍ୟା ଭୋଗୁଛନ୍ତି। ସେଠାରେ ଥିବା ଶୌଚାଳୟ ୫ବର୍ଷ ହେବ ଭଙ୍ଗା ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରିଲା ନାହିଁ। ଦେବୀ ପାଦହରା ପୁଷ୍କରିଣୀ ନିକଟରେ ଗୋଟିଏ ମାତ୍ର ଶୌଚାଳୟ ଯୋଗୁଁ ସାଧାରଣ ଲୋକ, ବ୍ୟବସାୟୀ, ପର୍ଯ୍ୟଟକ ଓ ସେବାୟତମାନେ ନାନା ସମସ୍ୟା ଭୋଗୁଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟର ଚନ୍ଦ୍ରଶେଖର ମଲିଆ କହିଛନ୍ତି, ଏକାମ୍ର ପ୍ରକଳ୍ପକୁ ଓବିସିସି କରୁଛି। ଶୌଚାଳୟ ନିର୍ମାଣ ହୋଇଥିଲେ ମଧ୍ୟ ନିଷ୍କାସନ ପାଇଁ ନାଳ କାମ ଶେଷ ହୋଇନି। ତେଣୁ ତୁରନ୍ତ ନାଳ କାମ ଶେଷ କରି ଶୌଚାଳୟ ଖୋଲିବାକୁ ଓବିସିସିକୁ ଚିଠି ଲେଖିବୁ।
ସପ୍ତାହକ ପରେ ଜମିବ କାଉଡ଼ିଆଙ୍କ ଭିଡ଼, ଲିଙ୍ଗରାଜ ମନ୍ଦିର ପାଖରେ ନାହିଁ ଶୌଚାଳୟ
ଏକାମ୍ର କ୍ଷେତ୍ରରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ସରକାର ଉଦ୍ୟମ କରୁଛନ୍ତି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ପର୍ଯ୍ୟଟକଙ୍କୁ ମିଳୁନି ଶୌଚାଳୟ ସୁବିଧା। ପୂର୍ବରୁ ଲିଙ୍ଗରାଜ ହାଟ ନିକଟରେ ଥିବା ଶୌଚାଳୟ ଭାଙ୍ଗିବା...
/sambad/media/media_files/2025/07/06/qvcxsdfg-2025-07-06-06-25-43.jpg)